ସୁନୀଲ ବଂଶଲ ହେଲେ ରାଜ୍ୟ ବିଜେପି ପ୍ରଭାରୀ: ତେଲେଙ୍ଗାନା, ପଶ୍ଚିମବଙ୍ଗ ସହ ସାମ୍ଭାଳିବେ ଓଡିଶା ଦାୟିତ୍ୱ

146

କନକ ବ୍ୟୁରୋ: ସୁନୀଲ ବଂଶଲ ହେଲେ ରାଜ୍ୟ ବିଜେପି ପ୍ରଭାରୀ । ତେଲେଙ୍ଗାନା, ପଶ୍ଚିମବଙ୍ଗ ସହ ଓଡିଶା ଦାୟିତ୍ୱ ସାମ୍ଭାଳିବେ । ଅମିତ ଶାହାଙ୍କ ଓଡିଶା ଗସ୍ତ ପରେ ନୂଆ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ଏନେଇ ବିଜେପି ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଡି ପୁରେନ୍ଦେଶ୍ୱରୀ ରାଜ୍ୟ ପ୍ରଭାରୀ ଦାୟିତ୍ୱରେ ଥିଲେ ।

ଉତ୍ତର ପ୍ରଦେଶ ବିଜେପିର ମହାମନ୍ତ୍ରୀ ଥିବା ସୁନିଲ ବଂଶଲକୁ ପଦୋନ୍ନତି ଦିଆଯାଇ ତାଙ୍କୁ ଦଳର ରାଷ୍ଟ୍ରୀୟ ମହାମନ୍ତ୍ରୀ କରାଯାଇଛି । ସେହିଭଳି ଝାଡଖଣ୍ଡର ବିଜେପି ପ୍ରଦେଶ ମହାମନ୍ତ୍ରୀ ଥିବା ଧର୍ମପାଲ ସିଂଙ୍କୁ ଉତ୍ତର ପ୍ରଦେଶ ବିଜେପିର ମହାମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି ।

ସେପଟେ ସୁନୀଲ ବଂଶଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟତର ବୋଲି କୁହାଯାଉଛି । ସେ ୟୁପି ଦାୟୀତ୍ୱରେ ଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନରେ ଉତ୍ତର ପ୍ରଦେଶରୁ ୭୩ ସାଂସଦ ବିଜୟୀ କରାଇ ଏକ ଉଦାହରଣ ସୃଷ୍ଟି କରିଥିଲେ । ଏହାପରେ ୟୁପି ବିଧାନସଭା ନିର୍ବାଚନ ୨୦୧୭ରେ ପାଖାପାଖି ୧୪ ବର୍ଷ ପରେ ଦଳକୁ କ୍ଷମତାକୁ ଫେରାଇବାରେ ସୁନୀଲ ବଂଶଲଙ୍କ ବଡ ଯୋଗଦାନ ରହିଥିବା କଥା ସେତେବେଳେ କୁହାଯାଇଥିଲା । ଏହାସହ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଦଳ ୩୫ ବର୍ଷର ରେକର୍ଡ ଭାଙ୍ଗିବା ଭଳି ପ୍ରଦର୍ଶନରେ ବି ସୁନୀଲ ବଂଶଲଙ୍କ ଭାଗିଦାରୀ ଥିବା କଥା ଦଳ କହିଥିଲା ।