ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହେବେ ଉଦୟ ଉମେଶ ଲଳିତ, ରାଷ୍ଟ୍ରପତି ଲଗାଇଲେ ମୋହର

229

କନକ ବ୍ୟୁରୋ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଉଦୟ ଉମେଶ ଲଳିତକୁ ନିଯୁକ୍ତି ଦିଆଯାଇଛି । ଏବେ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଏନଭି ରମନ୍ନାଙ୍କ ସୁପାରିଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଷ୍ଟିସ ଲଳିତ ଦେଶର ୪୯ ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି । ସେପଟେ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଏନଭି ରମନ୍ନା ଚଳିତମାସ ୨୬ ତାରିଖରେ ଅବସର ନେଉଥିବାରୁ ୨୭ ତାରିଖ ଦିନ ଜଷ୍ଟିସ ଉମେଶ ଉଦୟ ଲଳିତ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ।

କହିରଖୁ କି ଜଷ୍ଟିସ ଲଳିତ ମୁସଲମାନ ସଂପ୍ରଦାୟର ତିନ୍ ତଲାକ ଭଳି ପ୍ରଥା ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେବା ସହ ଅନେକ ଐତିହାସିକ ରାୟ ଦେଇ ଚର୍ଚ୍ଚାରେ ଥିଲେ । ୟୁ ୟୁ ଲଳିତ ଏଭଳି ଦ୍ୱିତୀୟ ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି ଯେ କି ସୁପ୍ରିମକୋର୍ଟ ବାରରୁ ସିଧା ସଳଖ ପଦୋନ୍ନତି ପାଇ ମୁଖ୍ୟ ବିଚାରପତି ହୋଇଛନ୍ତି । ତାଙ୍କ ପୂର୍ବରୁ ଜଷ୍ଟିସ ଏସ ଏମ ଶିକରୀ ୧୯୬୪ ମାର୍ଚ୍ଚ ମାସରେ ଶୀର୍ଷ ଅଦାଲତ ପୀଠରୁ ସିଧା ସଳଖ ପଦୋନ୍ନତି ପାଇଥିବା ପ୍ରଥମ ବିଚାରପତି । ସେ ଜାନୁଆରୀ ୧୯୭୧ ମସିହାରେ ପ୍ରଧାନ ବିଚାରପତି ଭାବେ ମନୋନ୍ନିତ ହୋଇଥିଲେ ।

ହେଲେ ସବୁଠାରୁ ବଡ କଥା କି ସେ ମାତ୍ର ୭୪ ଦିନ ପାଇଁ ଏହି ପଦରେ ରହିବେ । ଏହାର କାରଣ ହେଉଛି ଜଷ୍ଟିସ ଲଳିତ ନଭେମ୍ବର ୮ ତାରିଖରେ ଅବସର ନେବାକୁ ଯାଉଛନ୍ତି । ଜଷ୍ଟିସ ୟୁୟୁ ଲଳିତ ସୁପ୍ରିମକୋର୍ଟର ସେହି କଲେଜିୟମର ନେତୃତ୍ୱ ନେବେ ଯେଉଁ କଲେଜିୟମରେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ, ଜଷ୍ଟିସ କୌଲ, ଜଷ୍ଟିସ ନଜୀର ଓ ଜଷ୍ଟିସ ଇନ୍ଦୀରା ବାନାର୍ଜୀ ସାମିଲ ହେବେ । ହେଲେ ଜଷ୍ଟିସ ଇନ୍ଦୀରା ବାନାର୍ଜୀ ସେପ୍ଟେମ୍ବର ୨୩ ତାରିଖରେ ଅବସର ନେଉଥିବାରୁ ତାଙ୍କ ସ୍ଥାନରେ ଜଷ୍ଟିସ ଏମ କେ ଜୋସେଫ ସାମିଲ ହେବେ ।

ସେପଟେ ଜଷ୍ଟିସ ୟୁୟୁ ଲଳି ନଭେମ୍ବର ୮ ତାରିଖରେ ଅବସର ନେବା ପରେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ତାଙ୍କ ସ୍ଥାନରେ ମୁଖ୍ୟ ବିଚାରପତି ଆସନରେ ବସିବେ । ତାଙ୍କର କାର୍ଯ୍ୟକାଳ ମାତ୍ର ୨ ବର୍ଷ ରହିବ । ସୂଚନା ଥାଉକି ଜଷ୍ଟିସ ୟୁ ୟୁ ଲଳିତ ହେଉଛନ୍ତି ସୁପ୍ରିମକୋର୍ଟର ଦ୍ୱିତୀୟ ମୁଖ୍ୟ ବିଚାରପତି । ଯେ କି, ସିଧାସଳଖ ବାରରୁ ସୁପ୍ରିମକୋର୍ଟର ବିଚାରପତି ଭାବେ ଚୟନ କରାଯାଇଥିଲା । ତାଙ୍କ ପୂର୍ବରୁ ଜଷ୍ଟିସ ଶିକରୀ ବାରରୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇ ଶେଷରେ ମୁଖ୍ୟ ବିଚାରପତି ଭାବେ ଅବସର ନେଇଥିଲେ ।