ଦିନେ କ୍ରିକେଟରେ ଥିଲେ ଅସଫଳ…ଆଜି ବିହାରର ଦୁଇ ଦୁଇ ଥରର ଉପମୁଖ୍ୟମନ୍ତ୍ରୀ।

159

କନକ ବ୍ୟୁରୋ: ବିହାର ରାଜନୀତିରେ ବଡ ପରିବର୍ତ୍ତନ ହୋଇଛି । ଭାରତୀୟ ଜନତା ପାର୍ଟି ସରକାରରୁ ବାହାର ହେବା ପରେ ଆରଜେଡି ସରକାରରେ ଏଣ୍ଟ୍ରି ମାରିଛି । ନୀତିଶ କୁମାର ନିଜର ଆସନରେ ଦୃଢ ହୋଇଥିବା ବେଲେ ତେଜସ୍ୱୀ ଯାଦବଙ୍କୁ ବଡ ଫାଇଦା ମିଳିଛି । ଦ୍ୱିତୀୟ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି । ଶପଥ ନେବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ତାଙ୍କ ସମର୍ଥକ ମଧ୍ୟ ଖୁସି ମନାଇଛନ୍ତି ।

ତେଜସ୍ୱୀ ଦିନକୁ ଦିନ ରାଜନୀତିରେ ସଫଳତା ପାଇଚାଲିଛନ୍ତି । ତେବେ ଏହା ପୂର୍ବରୁ ସେ ରାଜନୀତିରେ ନଥିଲେ । ପ୍ରଥମେ ସେ କ୍ରିକେଟକୁ ନିଜ କ୍ୟାରିୟର ଭାବେ ବାଛିଥିଲେ । ତେବେ ଏଥିରେ ସେ ସଫଳତା ପାଇପାରିନଥିଲେ । ମାତ୍ର ୭ଟି ମ୍ୟାଚ ଖେଳିବା ପରେ ସେ ବିଫଳ ହୋଇଥିଲେ । ନିଜ ବ୍ୟାଟର ଯାଦୁ ସେ ଦେଖାଇପାରିନଥିଲେ ।

ତେଜସ୍ୱୀଙ୍କ କ୍ରିକେଟ କ୍ୟାରିୟର ଉପରେ ନଜର ପକାଇବା ତେବେ କ୍ରିକେଟ ଫିଲ୍ଡରେ ବ୍ୟାଟରେ କିଛି କମାଲ କରିପାରିନଥିଲେ । ଯେତେବେଳେ ତାଙ୍କୁ ବ୍ୟାଟିଂ କରିବାକୁ ମିଳିଥିଲା ସେତେବେଳେ ସେ ମାତ୍ର କିଛି ବଲରେ ଆଉଟ ହୋଇ ପାଭେଲିୟନ ଫେରିଆସିଥିଲେ । ତେଜସ୍ୱୀ ଜଣେ ଡାହାଣ ହାତୀ ବ୍ୟାଟର । ସେ ଆଇପିଏଲ ଟିମରେ ମଧ୍ୟ ସାମିଲ ରହିଥିଲେ । ତେବେ ମ୍ୟାଚ ଖେଳିବାର ସୁଯୋଗ ତାଙ୍କୁ ମିଳିନଥିଲା । ଦିଲ୍ଲୀ ଡେୟାରଡେଭିଲ୍ସ ପାଇଁ ଅନେକ ବର୍ଷ ସେ ଖେଳାଳୀ ଭାବେ ରହିଥିଲେ । ସେହିଭଳି ପ୍ରଥମ ଶ୍ରେଣୀରେ ସେ ୭ଟି ମ୍ୟାଚ ଖେଳିଛନ୍ତି । ୨୦୦୯ରେ ସେ ଝାଡଖଣ୍ଡ ବନାମ ବିଦର୍ଭ ମ୍ୟାଚ ଖେଳିଥିଲେ । ଏହା ପରେ ୨୦୧୦ରେ ଲିଷ୍ଟ ଏ ମ୍ୟାଚ ଖେଳିଥିଲେ । ଏହି ମ୍ୟାଚ କଟକରେ ଖେଳାଯାଇଥିଲା । ୨୦୦୯ରେ ମଧ୍ୟ ସେ ୪ଟି ଟି-୨୦ ମ୍ୟାଚ ଖେଳିଥିଲେ । ଝାଡଖଣ୍ଡ ପାଇଁ ସେ ଏହି ମ୍ୟାଚ ଖେଳିଥିଲେ । ୭ଟି ମ୍ୟାଚରୁ ମାତ୍ର ଗୋଟିଏ ମ୍ୟାଚରେ ସେ ୨୦ ରନ ସଂଗ୍ରହ କରିଥିବା ବେଳେ ଗୋଟିଏ ମ୍ୟାଚରେ ୫, ଅନ୍ୟ ମ୍ୟାଚରେ ୯,.୧୯ ଏବଂ ୩ ରନ ସଂଗ୍ରହ କରିଥିଲେ । ଆଉ ବାକି ମ୍ୟାଚରେ ସେ ବ୍ୟାଟିଂର ସୁଯୋଗ ପାଇନଥିଲେ । ସେହିଭଳି ଝାଡଖଣ୍ଡ ବନାମ ତ୍ରିପୁର ମ୍ୟାଚରେ ଗୋଟିଏ ୱିକେଟ ମଧ୍ୟ ହାସଲ କରିଥିଲେ ।

ତେବେ ୧୫ ବର୍ଷରୁ କମ୍ ଏବଂ ୧୭ ବର୍ଷରୁ କମ୍ ବର୍ଗରେ ସେ ଭଲ ପ୍ରଦର୍ଶନ କରିଛନ୍ତି । ୧୫ ବର୍ଷରୁ କମ ବର୍ଗରେ ସେ ଦିଲ୍ଲୀ ଦଳର ଅଧିନାୟକ ଥିଲେ । ଯେତେବେେଳେ ସେ ୧୭ ବର୍ଷରୁ କମ ବର୍ଗରେ ଖେଲୁଥିଲେ ଦିଲ୍ଲୀ ପକ୍ଷରୁ ମୁମ୍ବାଇ ବିରୋଧରେ ଶତକ ହାସଲ କରି ଦଳକୁ ବିଜୟୀ କରାଇଥିଲେ । କୋଲକାତାରେ ଏହି ମ୍ୟାଚ ଖେଳାଯାଇଥିଲା ।ଏହି ପ୍ରଦର୍ଶନ ପାଇଁ ତାଙ୍କୁ ଅନେକ ଶୁଭେଚ୍ଛା ସେତେବେଳେ ତାଙ୍କୁ ମିଳିଥିଲା ।