କଳାହାଣ୍ଡି ଓ ଗଞ୍ଜାମର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ: ପ୍ରବଳ ବର୍ଷା ସାଙ୍ଗକୁ ବହିଲା ପବନ, ଭାଙ୍ଗିଲା ବଡ ବଡ ଗଛ ଆଉ ଘର

185

କନକ ବ୍ୟୁରୋ: କଳାହାଣ୍ଡି କୋକସରାରେ କାଳବୈଶାଖୀ ତାଣ୍ଡବ । କାଳବୈଶାଖୀ ପ୍ରଭାବରେ କୋକସରା ବ୍ଲକରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଛି । ପବନ ଓ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପବନ ଯୋଗୁଁ ବିଭିନ୍ନ ଅଂଚଳରେ ବଡ ବଡ ଗଛ ଭାଙ୍ଗି ପଡିଛି । ଗଛଗୁଡିକ ୨୬ନମ୍ବର ଜାତୀୟ ରାଜପଥରେ ପଡ ରହିଛି । ଗଛଗୁଡିକୁ କାଟି ରାସ୍ତା ଅବରୋଧ ହଟାଯାଉଛି । ସେହିପରି ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି ।

ଗତ କିଛି ଦିନ ଧରି ତତଲା କଡେଇରେ ସିଝୁଥିବା ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ସହ ବର୍ଷା ଅନୁଭୂତ ହୋଇଛି । ଗତକାଲି ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବ୍ରହ୍ମପୁର ସହର ସମେତ ସମଗ୍ର ଜିଲ୍ଲାରେ ବର୍ଷା ହୋଇଛି । ଭଞ୍ଜନଗରରେ ଦୁଇ ଘଂଟା କାଳ କୁଆପଥର ମାଡ ସାଙ୍ଗକୁ ପ୍ରବଳ ପବନ ଓ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ବଡ ବଡ ଗଛ ଭାଙ୍ଗି ପଡିବା ଯୋଗୁଁ ରାସ୍ତା ଅବରୋଧ ହେବା ସହ ଘର ଭାଙ୍ଗି ଯାଇଛି । କେତେକ ସ୍ଥାନରେ ଘରର ଚାଳଛପର ଓ ଟିଣ ବି ଉଡିଯାଇଛି । ବିଦ୍ୟୁତ୍ ଓ ଫୋନ ସେବା ଠପ୍ ହୋଇଯାଇଛି ।

ସେପଟେ, ଓଡିଶାରେ ମୌସୁମୀ ଆସିବା ବିଳମ୍ବ ହୋଇପାରେ । ଏଭଳି ଆକଳନ କରିଛି ପାଣିପାଗ ବିଭାଗ । ପୂର୍ବରୁ ଜୁନ୍ ମାସ ପ୍ରଥମ ସପ୍ତାହରେ ମୌସୁମୀ ଆସିବ ବୋଲି ଅନୁମାନ କରାଯାଉଥିବା ବେଳେ ଏବେ ସାମାନ୍ୟ ବିଳମ୍ବ ହେବ ବୋଲି ଆଇଏମଡି ଆକଳନ କରିଛି । ଭାରତୀୟ ପାଣିପାଗ ବିଭାଗର ସୂଚନାର ଅନୁସାରେ ଆସନ୍ତା ୨୪ ଘଂଟା ମଧ୍ୟରେ ଆରବ ମହାସାଗରର ଦକ୍ଷିଣ ଏବଂ ବଙ୍ଗୋପମହାସାଗର ଅଧିକାଂଶ ସ୍ଥାନରେ ମୌସୁମୀ ଆସିବାର ସମ୍ଭାବନା ରହିଛି । ୬ ତାରିଖରେ କେରଳରେ ମୌସୁମୀ ଛୁଇଁବା ସହ ଓଡିଶାରେ ଏହାର ପ୍ରବାହ ଆସନ୍ତା ୧୦ ରୁ ୧୨ ମଧ୍ୟରେ ଆସିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ କେତେକ ସ୍ଥାନରେ ପାକ୍ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆଜି ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ଅଛି । ଏହାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଗଞ୍ଜାମ, ଗଜପତି, ମୟୁରଭଂଜ, କଳାହାଣ୍ଡି, କନ୍ଧମାଳ ଆଦି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।