କଞ୍ଝୱାଲା ଦୁର୍ଘଟଣା ମାମଲା । ମୃତ ଅଞ୍ଜଳୀଙ୍କ ମା’ଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ୧୦ ଲକ୍ଷର ସହାୟତା ରାଶି ଘୋଷଣା

96

କନକ ବ୍ୟୁରୋ : ଦିଲ୍ଲୀ ସୁଲତାନପୁରୀ କଞ୍ଝୱାଲା ନିକଟରେ ନୂଆବର୍ଷ ରାତିରେ ହୋଇଥିବା ସଡକ ଦୁର୍ଘଟଣାକୁ ନେଇ ଏବେ ବି କିଛି ସ୍ପଷ୍ଟଚିତ୍ର ଆସିପାରି ନାହିଁ । ଏବେ ଏହାକୁ ଏକ ଦୁର୍ଘଟଣା ଭାବେ ପୋଲିସ ତଦନ୍ତ ଜାରି ରଖିଛି । ଏସବୁ ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ମୃତ ଅଞ୍ଜଳୀଙ୍କ ପରିବାର ସହ କଥା ହୋଇଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅଞ୍ଜଳୀଙ୍କ ପରିବାରକୁ ସମବେଦନା ଜଣାଇବା ସହ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । କେଜ୍ରିୱାଲ କହିଛନ୍ତି କି, କୌଣସି ପରିସ୍ଥିତିରେ ଅଞ୍ଜଳୀଙ୍କ ପରିବାରକୁ ନ୍ୟାୟ ଦେବାକୁ ଚେଷ୍ଟା କରାଯିବ । ବଡ ବଡ ଓକିଲଙ୍କୁ ଏହି ମାମଲାରେ ନିୟୋଜିତ କରାଯିବ ବୋଲି ସେ କହିବା ସହ ସେ କହିଛନ୍ତି କି ଅଞ୍ଜଳୀଙ୍କ ମା ଏବେ ସମ୍ପୂର୍ଣ୍ଣ ରୋଗଗ୍ରସ୍ତ ଅଛନ୍ତି  । ଦିଲ୍ଲୀ ସରକାରଙ୍କ ତରଫରୁ ତାଙ୍କର ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ସେପଟେ ଆଜି ଅଞ୍ଜଳୀଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ଆସିଛି । ଏହି ରିପୋର୍ଟ ମୁତାବକ ପୀଡିତାଙ୍କ ସହ କୌଣସି ଯୌନ ଉତ୍ପୀଡନ ହୋଇନାହିଁ । ହେଲେ ତାଙ୍କ ମୃତ ଶରୀରରେ ଅନେକ ଅଘାତ ଚିହ୍ନ ରହିଛି ।

ସୂଚନା ଥାଉକି ଜାନ୍ରୁଆରୀ ପହିଲା ଦିନ ରାତିରେ ଅଞ୍ଜଳୀ ଓ ତାଙ୍କର ଜଣେ ବନ୍ଧୁ ସ୍କୁଟି ସାହାଯ୍ୟରେ ରାସ୍ତାରେ ଯାଉଥିବା ବେଳେ ଏକ କାର ସହ ଦୁର୍ଘଟଣା ହୋଇଥିଲା । ଏଥିରେ ଅଞ୍ଜଳୀ କାର ଭିତରେ ଫଶି ଯାଇଥିଲେ । କାରଟି ଅଞ୍ଜଳୀଙ୍କୁ ପାଖାପାଖି ୧୨ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ଘୋଷାଡି ନେଇଯାଇଥିଲା । ଫଳରେ ଅଞ୍ଜଳୀଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୋଲିସ କାର ଚାଳକ ଓ କାରରେ ବସିଥିବା କିଛି ଲୋକଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।