ବାଘୁଣୀ ପାଇଁ ବ୍ୟାପକ ସୁରକ୍ଷା । କଡା ସୁରକ୍ଷା ଭିତରେ ସାତକୋଶିଆ ଅଭିମୁଖେ ବାହାରିଲେ ଟ୍ରାଙ୍କୁଲାଇଜ୍ ଟିମ୍ : ଆଜି ସୁନ୍ଦରୀକୁ ନିଶ୍ଚେତକ ଦେଇ କରିପାରନ୍ତି ଅଚେତ

27

କନକ ବ୍ୟୁରୋ : ବାଘୁଣୀ ପାଇଁ ଅନୁଗୋଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ଥାନୀୟ ଲୋକଙ୍କ ବିରୋଧର ଆଶଙ୍କା କରି କଡା ସୁରକ୍ଷା ଭିତରେ ସାତକୋଶିଆ ଜଙ୍ଗଲ ଅଭିମୁଖେ ବାହାରିଛନ୍ତି ନିଶ୍ଚେତକ ଦଳ । ସେମାନେ ସାତକୋଶିଆରେ ଆଜି ସୁନ୍ଦରୀକୁ ନିଶ୍ଚେତକ ଦେଇ ଅଚେତ କରିପାରନ୍ତି । ଟ୍ରାଙ୍କୁଲାଇଜ୍ କରିବା ପାଇଁ ଓୟୁଏଟି ଓ ନନ୍ଦନକାନନର ବଶେଷଜ୍ଞ ଦଳ ଯାଇଛନ୍ତି । ସେମାନଙ୍କ ସହ ଶିମିଳିପାଳରୁ ଆସିଥିବା ବିଶେଷଜ୍ଞ ଦଳ ମଧ୍ୟ ଯାଇଛନ୍ତି । ଗତକାଲି ରାତି ସୁଧା ସାତକୋଶିଆର କୁମୁରି ଅଂଚଳରେ ବାଘୁଣି ଥିବା ସୂଚନା ମିଳିଥିଲା । ଏବେ ବି ସେହି ଅଂଚଳରେ ବାଘୁଣୀ ରହିଥିବା ଅନୁମାନ କରାଯାଉଛି । କୁମୁରି ଅଂଚଳରେ ହିଁ ବିଶେଷଜ୍ଞ ଟିମ୍ ବାଘୁଣୀ ସୁନ୍ଦରୀକୁ ଠାବ କରିବା ପାଇଁ ଉଦ୍ୟମ କରିବେ ।

 

ସେପଟେ ସ୍ଥାନୀୟ ଲୋକଙ୍କ ବିରୋଧ କାରଣରୁ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ବିଶେଷଜ୍ଞ ଟିମକୁ କୁମୁରି ଗାଁକୁ ନିଆଯାଉଛି । ତେବେ ଗୋଟିଏ ପରେ ଗୋଟିଏ ଶିକାର କରିବାରେ ଲାଗିଛି ସୁନ୍ଦରୀ । ଗତ ରବିବାର ଦିନ ସୁନ୍ଦରୀ ଏକ ମଣିଷ ଖାଇବା ପରେ ଗତକାଲି ଏକ ବଳଦ ଶିକାର କରିଥିଲା । ତେବେ ପୂର୍ବରୁ ମଧ୍ୟ ଜଣେ ସ୍ତ୍ରୀ ଲେ।କଙ୍କୁ ଜୀବନରେ ମାରିଦେଇଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ ଆଣିଥିଲେ । ତେବେ ବାରମ୍ବାର ଏପରି ଆକ୍ରମଣ ଫଳରେ ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି । ଏପରିକି କାଲି ଟାଇଁସି ଗ୍ରାମରେ ଲୋକମାନେ ବାହାରକୁ ବାହାରି ନଥିବା ଜଣାପଡିଛି । ଏହାସହ ସ୍ଥାନୀୟ ବିଧାୟକ ମଧ୍ୟ ବାଘୁଣୀକୁ ସ୍ଥାନାନ୍ତରଣ କରିବା ପାଇଁ କହିଥିବା ଜଣାପଡିଛି ।