ଆଇପିଏଲକୁ ନେଇ ଷ୍ଟାର୍କ ଦେଲେ ବଡ ବୟାନ । ପ୍ରଶଂସା କଲେ ଭାରତୀୟ କ୍ରିକେଟ ଫ୍ୟାନ୍ ।

2,217

କନକ ବ୍ୟୁରୋ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମୁକାବିଲାରେ ବାଜିମାତ କରିଛି ଅଷ୍ଟ୍ରେଲିଆ ଟିମ୍ । କମିନ୍ସଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆକୁ ୨୦୯ ରନରେ ମାତ୍ ଦେଇ ଟାଇଟଲ ଜିତିଛି କଙ୍ଗାରୁ ଟିମ୍ । ଅଷ୍ଟ୍ରେଲିଆର ଏହି ବିଜୟରେ ଦ୍ରୁତ ବୋଲର ମିସେଲ ଷ୍ଟାର୍କଙ୍କର ବଡ ଭୂମିକା ରହିଥିଲା । ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ବିଜୟ ପରେ ଷ୍ଟାର୍କଙ୍କର ବୟାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏପରିକି ଅଧିକାଂଶ ଭାରତୀୟ କ୍ରିକେଟପ୍ରେମୀ ମଧ୍ୟ ଷ୍ଟାର୍କଙ୍କର ଏଭଳି ବୟାନକୁ ପ୍ରଶଂସା କରିବା ସହ ଭାରତୀୟ କ୍ରିକେଟର ତାଙ୍କ ଠାରୁ ଶିଖିବା ଆବଶ୍ୟକ ବୋଲି କହିଛନ୍ତି । ତେବେ ମିସେଲ ଷ୍ଟାର୍କ ଏମିତି କଣ କହିଛନ୍ତି ଯାହାକୁ ନେଇ ଏତେ ଚର୍ଚ୍ଚା ।

ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ବିଜୟୀ ହେବା ପରେ ଷ୍ଟାର୍କ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ଆଇପିଏଲ ଭଳି ଲିଗରେ ଖେଳିବାର ମଜା ଉଠାଇଛି । ୧୦ ବର୍ଷ ଧରି ୟର୍କସାୟର ପକ୍ଷରୁ ଖେଳି ଏହାର ଆନନ୍ଦ ନେଇଛି । କିନ୍ତୁ ଅଷ୍ଟ୍ରେଲିଆ ମୋ ପାଇଁ ସବୁବେଳେ ଶୀର୍ଷରେ ରହିବ । ଆଉ ଏଥିପାଇଁ ମୋର ଟିକିଏ ବି ପଶ୍ଚାତାପ ନାହିଁ । ଟଙ୍କା ଆସିବ ଏବଂ ଯିବ । କିନ୍ତୁ ଏବେ ଯେଉଁ ଅବସର ମୋତେ ମିଳିଛି ସେଥିପାଇଁ ବହୁତ ଖୁସି । ୧୦୦ ବର୍ଷର ଟେଷ୍ଟ କ୍ରିକେଟରେ ୫୦୦ରୁ କମ ଖେଳାଳୀ ଅଷ୍ଟ୍ରେଲିଆ ପାଇଁ ଖେଳିଛନ୍ତି । ତେଣୁ ଏହି ଫର୍ମାଟରେ ଖେଳିବା ମୋ ପାଇଁ ସ୍ୱତନ୍ତ୍ର ବୋଲି କହିଛନ୍ତି ଷ୍ଟାର୍କ ।

କେବଳ ଏତିକି ନୁହେଁ ଷ୍ଟାର୍କ କହିଛନ୍ତି, ନୂଆ ପିଢୀର ପିଲା ଟେଷ୍ଟ କ୍ରିକେଟରେ ଦେଶର ପ୍ରତିନିଧିତ୍ୱ କରିବାକୁ ପ୍ରୟାସ କରିବା ଉଚିତ । ଫ୍ରାଞ୍ଚାଇଜ କ୍ରିକେଟରେ ଟଙ୍କା ରୋଜଗାର କରିବା ସହଜ କିନ୍ତୁ ଏହା ବଦନାମର ଫାଷ୍ଟଟ୍ରାକ ଫର୍ମାଟ । ମୁଁ ପୁଣିଥରେ ଆଇପିଏଲ ଖେଳିବାକୁ ପସନ୍ଦ କରିବି । କିନ୍ତୁ ଦୀର୍ଘ ସମୟ ହେବ ଅଷ୍ଟ୍ରେଲିଆ ପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ମୋର ଲକ୍ଷ୍ୟ ରହିଛି । ଏହା ଯେକୌଣସି ଫର୍ମାଟ ହେଉ ନା କାହିଁକି? ଫ୍ରାଞ୍ଚାଇଜ କ୍ରିକେଟ ଅପେକ୍ଷା ଜାତୀୟ ଦଳରେ ଖେଳିବାକୁ ଷ୍ଟାର୍କ ଯେଉଁ ନିଷ୍ଠା ଦେଖାଇଛନ୍ତି ତାହା ଅନେକ କ୍ରିକେଟପ୍ରେମୀଙ୍କୁ ପସନ୍ଦ ଆସିଛି । ସୋସିଆଲ ମିଡ଼ିଆରେ ଏଥିପାଇଁ ଷ୍ଟାର୍କଙ୍କୁ ଉଚ୍ଚପ୍ରଶଂସା କରିଛନ୍ତି ଭାରତୀୟ କ୍ରିକେଟପ୍ରେମୀ । ଜାତୀୟ ଦଳ ପାଇଁ ଖେଳିବାକୁ ଷ୍ଟାର୍କ ଯେପରି ଆଇପିଏଲର ତ୍ୟାଗ କରିଛନ୍ତି, ଭାରତୀୟ ଖେଳାଳୀ ମଧ୍ୟ ତାଙ୍କ ଠାରୁ ଶିଖିବା ସହ ଆଇପିଏଲ ଅପେକ୍ଷା ଜାତୀୟ ଦଳ ପାଇଁ ଖେଳିବାକୁ ଅଧିକ ଆଗ୍ରହ ଓ ନିଷ୍ଠା ଦେଖାଇବା ଆବଶ୍ୟକ ବୋଲି କହିଛନ୍ତି କ୍ରିକେଟ ଫ୍ୟାନ୍ସ ।

ଅଷ୍ଟ୍ରେଲୀୟ କ୍ରିକେଟର ମିସେଲ ଷ୍ଟାର୍କ ଜାତୀୟ ଦଳ ପାଇଁ ଫିଟ୍ ରହିବାକୁ ଦୀର୍ଘ ବର୍ଷ ହେବ ଆଇପିଏଲରୁ ଦୂରେଇ ରହିଛନ୍ତି । ଷ୍ଟାର୍କ ଏହାପୂର୍ବରୁ କେବଳ ୨ଟି ଆଇପିଏଲ ସିଜିନରେ ଆରସିବି ପକ୍ଷରୁ ଖେଳିଛନ୍ତି । ଆଇପିଏଲରେ ଷ୍ଟାର୍କଙ୍କର ପ୍ରଦର୍ଶନ ମଧ୍ୟ ବେଶ ଭଲ ରହିଛି । ଏହାସତ୍ତେ୍ୱ ମଧ୍ୟ ଷ୍ଟାର୍କ ଆଇପିଏଲ ଭଳି ଅର୍ଥବହୁଳ ଫ୍ରାଞ୍ଚାଇଜ ଟୁର୍ଣ୍ଣାମେଣ୍ଟ ଛାଡି କେବଳ ଅଷ୍ଟ୍ରେଲିଆ ପାଇଁ ଖେଳିବାକୁ ନିଷ୍ପତ୍ତି ନେଇଥିଲେ । ଏପରିକି ଅଷ୍ଟ୍ରେଲିଆ ପାଇଁ ୧୦୦ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ମିସେଲ ଷ୍ଟାର୍କ ।