ଡ୍ୟୁଟିକୁ ଯାଉଥିବାବେଳେ ଟ୍ରେନରେ ହେଲା ହୃଦଘାତ । ସହିଦ ହୋଇଗଲେ ଆସ୍କାର ଜିତେନ୍ଦ୍ର ବିଶ୍ୱାଳ, କାନ୍ଦୁଛି ପରିବାର, ଶୋକରେ ପୂରା ଗାଁ ।

691

କନକ ବ୍ୟୁରୋ: ସହିଦ ହୋଇଗଲା ପୁଅ । ଆଉ ତା’ଙ୍କ ମର ଶରୀରରେ ଘୋଡ଼ାଯାଇଥିବା ତ୍ରିରଙ୍ଗା ପତାକାକୁ ଯେବେ ପରିବାରକୁ କରାଗଲା ହସ୍ତାନ୍ତର । ଶେଷ ସନ୍ତକକୁ ଦେଖି ହାତଯୋଡ଼ି ବାହୁନି ପକାଇଲେ ପ୍ରିୟ ପରିଜନ । ଛାତିଫାଟି ପଡୁଥିବା ଭଳି ଏ ଚିତ୍ର, ଦେଶ, ରାଜ୍ୟ, ଗାଁମାଟି ପାଇଁ ଯେତେ ଗର୍ବଆଣିଲେ ବି ଜନ୍ମକଲା ମା’ ମନ କ’ଣ ବୁଝିବ? ସାହିପଡ଼ିଶା ଆଗରେ ଛାତିକୁ ଫୁଲେଇ ସେ କହୁଥିବ ମୋ ପୁଅ ବୀରପୁଅ, ଦେଶପାଇଁ ବଳିଦାନ ଦେଇଛି ।

ଆସ୍କା ଘଟକୁରି ଗାଁର ଜିତେନ୍ଦ୍ର କୁମାର ବିଶ୍ୱାଳ । ହାଇଦ୍ରାବାଦର ରଙ୍ଗାରେଡିଠାରେ ସିଆରପିଏଫ୍ ଯବାନ ଭାବେ ଦେଶସେବା କରୁଥିଲେ । ଛୁଟି ସରିବା ପରେ ଘରୁ ବାହାରିଗଲେ ଦେଶସେବା କରିବାକୁ । ହେଲେ ଟ୍ରେନରେ ଯାଉଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ଜିତେନ୍ଦ୍ର । ତାଙ୍କୁ ରେଳବାଇ ପୋଲିସ ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ ବି ଆଉ ଆଖି ଖୋଲିଲେନି ବୀର ଯବାନ । ଏମିତି ଖବର ପ୍ରିୟ ପରିଜନ ପାଇବା ପରେ ପୂରା ଗାଁରେ ଏବେ ଶୋକ ।

ତ୍ରିରଙ୍ଗାରେ ଘୋଡ଼ାଇ ହୋଇ ଜନ୍ମମାଟିକୁ ଆସିଥିବା ପୁଅର ମରଶରୀରକୁ ଦେଖି, ସମସ୍ତଙ୍କ ଆଖିରେ ଲୁହ, ଛାତିରେ ବୁକୁଫଟା କୋହ । ବନ୍ଧୁ, ବାନ୍ଧବ ସାଙ୍ଗ ସାଥୀ ସହିଦ ଜିତେନ୍ଦ୍ରଙ୍କ ଶେଷ ଦର୍ଶନ କରିବାକୁ ରୁଣ୍ଡ ହୋଇଛନ୍ତି । ଏବେଠୁ ସହିଦ ସ୍ତ୍ରୀ ଆଖ୍ୟା ପାଇଥିବା ଧର୍ମପତ୍ନୀ ପଥର ପାଲଟିଯାଇଛନ୍ତି । ମନକୁ କେମିତି ବୁଝେଇବେ? ମାଟି ମାଆର ସେବା କରିବାକୁ ଯାଉଥିବାବେଳେ ସହିଦ ହୋଇ ତାଙ୍କ ସ୍ୱାମୀର ମରଶରୀର ଫେରିଛି ।

ଜିତେନ୍ଦ୍ରଙ୍କ ଜନ୍ମମାଟି ତାଙ୍କୁ ଏମିତି ଝୁରୁଛି ଯେ, ଗାଁ ଲୋକଙ୍କ ଭଲପାଇବା ଭିଡ଼ରୁ ବାରି ହୋଇପଡୁଛି । ଗାଁର ପୁଅ ସହିଦ ହୋଇଯାଇଥିବା ଖବର ଖେଳିଯିବା ପରେ ଜିତେନ୍ଦ୍ରଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ଏକାଠି ହୋଇଛନ୍ତି ପୂରା ଗାଁ । ସହିଦ ଜିତେନ୍ଦ୍ର ଅମର ରହେ ନାରା ସାଙ୍ଗକୁ କୀର୍ତ୍ତନ, ହରିବୋଲ ଧ୍ୱନିରେ ପାର୍ଥୀବ ଶରୀରକୁ ନଗର ପରିକ୍ରମା କରାଇଛନ୍ତି ଗ୍ରାମବାସୀ । କିଏ ଜିତେନ୍ଦ୍ରଙ୍କ ପିଲାଦିନ କଥା ମନେପକାଇ ଆଖିରୁ ଲୁହ ଝରାଉଛି ତ କିଏ ତାଙ୍କ ବୀରତ୍ୱର ଗାଥା ଗାଉଛି ।

ରୋଜଗାରିଆ ପୁଅ ବୁଢା ବାପା ମାଙ୍କର ଏକମାତ୍ର ସାହାରା ଥିଲା । ସ୍ତ୍ରୀ ଓ ଦୁଇ ପୁଅକୁ ନେଇ ତାଙ୍କ ସଂସାରରେ ଏବେ ଶୋକାକୂଳମୟ । ବିଧବା ସ୍ତ୍ରୀ ମୁଣ୍ଡ ଉପରେ ଦୁଇ ପୁଅଙ୍କ ଭବିଷ୍ୟତ ଏବଂ ଶାଶୁ ଶ୍ୱଶୁରଙ୍କ ଦାୟିତ୍ୱ । ଏପଟେ ସହିଦ ଜିତେନ୍ଦ୍ରଙ୍କୁ ଗାର୍ଡ ଅଫ୍ ଅନର ସହ ରାଷ୍ଟ୍ରୀୟ ସମ୍ମାନ ଦେଇ ଶେଷକୃତ୍ୟ ସମ୍ପନ କରାଯାଇଛି ।

ସତରେ ପୁଅ ସିନା ଦେଶସେବା କରୁ କରୁ ପ୍ରାଣବଳି ଦେଇଦେଲେ । ହେଲେ ୫ ପ୍ରାଣୀ କଟୁମ୍ବ ଥିବା ସହିଦ ଜିତେନ୍ଦ୍ରଙ୍କ ପରିବାର କେମିତି ଚଳିବ? ସହିଦଙ୍କର ଦୁଇ ପୁଅଙ୍କ ଭବିଷ୍ୟତ କ’ଣ ହେବ? ସରକାର, ଓ ପ୍ରଶାସନଠୁ ଉପଯୁକ୍ତ ସହାୟତା ପାଇପାରିବେ ତ ସହିଦଙ୍କ ପରିବାର?