ବୌଦ୍ଧ ଜିଲ୍ଲାରେ ବଢ଼ୁଛନ୍ତି କିଡନୀ ରୋଗୀ : ୨ ବର୍ଷରେ ୧୪୬ ମୃତ, ଏବେ ବି ଶତାଧିକ ଆକ୍ରାନ୍ତ

200

କନକ ବ୍ୟୁରୋ : କିଡ଼ନୀ ରୋଗର ଆତଙ୍କ । ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ବଢ଼ୁଛନ୍ତି କିଡ଼ନୀ ରୋଗୀ । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ ଗତ ୨ ବର୍ଷ ଭିତରେ କିଡ଼ନୀ ରୋଗରେ ୧୪୬ ରୁ ଉଦ୍ଧ୍ୱର୍ ଲୋକ ପ୍ରାଣ ହରାଇଲେଣି । ଏବେ ବି ଶତାଧିକ ଏହି ରୋଗରେ ଆକ୍ରାନ୍ତ ଅଛନ୍ତି । କଣ୍ଟାମାଳ ଏବଂ ବୌଦ୍ଧ ସଦର ବ୍ଲକରେ ସ୍ଥିତି ଗମ୍ଭୀର । ଦିନକୁ ଦିନ କିଡିନୀ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଥିବା ବେଳେ କାରଣ ଖୋଜିପାଉନି ସ୍ୱାସ୍ଥ୍ୟ ବିଭାଗ । ଭଗବାନଙ୍କ ଭରସାରେ ଜୀବନ ବିତାଉଛନ୍ତି ଜିଲ୍ଲାବାସୀ ।

ନିୟନ୍ତ୍ରଣ ବାହରେ ଥିବା କିଡିନୀ ରୋଗ ଏବେ ମହାମାରୀ ରୂପ ନେବାକୁ ବସିଛି । କିଡ଼ନୀ ରୋଗୀ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାବେଳେ ଭୟରେ କାଳାତିପାତ କରୁଛନ୍ତି ଜିଲ୍ଲାବାସୀ । ଦୂଷିତ ନଳକୂପ ପାଣି ବ୍ୟବହାର କରି ଏଭଳି ରୋଗରେ ଶିକାର ହେଉଥିବା ଅଭିଯୋଗ ହେଉଛି । ଏହି ରୋଗରେ କିଏ ସ୍ୱାମୀକୁ ହରାଇଛି ତ ଆଉ କିଏ ବାପା ମା’ଙ୍କୁ ହରାଇଛି ପୁଣି ଆଉ ଆଉ କିଏ ରୋଜଗାରିଆ ପୁଅକୁ । ବିଶେଷ ଭାବେ ହରଭଙ୍ଗା ଅଞ୍ଚଳରେ ଏହାକୁ ନେଇ କୋକୁଆ ଭୟ ସୃଷ୍ଟି କରିଛି । ଏଠାରେ କିଡ଼ନୀ ରୋଗୀଙ୍କ ସଂଖ୍ୟା ଅଧିକ । ରୋଗରେ କଲବଲ ଜୀବନ ବିତାଉଥିବା ଆକ୍ରାନ୍ତଙ୍କ ପାଖରେ ଏବେଯାଏଁ ସ୍ୱସ୍ଥ୍ୟ ବିଭାଗ କିମ୍ବା ପ୍ରଶାସନ ପହଞ୍ଚିନଥିବା ଅଭିଯୋଗ ହୋଇଛି ।

ଜିଲ୍ଲାରେ ଏଭଳି ପରିସ୍ଥିତିରେ ମୁକାବିଲା ପାଇଁ ଶେଷରେ ଅଣ୍ଟାଭିଡିଛି ବୌଦ୍ଧ ନାଗରିକ କମିଟି । ଜିଲ୍ଲାପାଳଙ୍କ ସହିତ ବିସ୍ତୃତ ଆଲୋଚନା କରି ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି । ତୁରନ୍ତ ଏହାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି । ଖୁବ ଶୀଘ୍ର ବିଶେଷଜ୍ଞ ଟିମ ପହଞ୍ଚିବା ସହ ସି୍ଥତି ପରଖିବ ଏବଂ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି । । ସେପଟେ ଘଟଣାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସ୍ୱୀକାର କରିଛନ୍ତି । ତେବେ ସେ ଯୁକ୍ତି ବାଢ଼ିଛନ୍ତି, ମଦ୍ୟପାନ କାରଣରୁ ଏଭଳି ଘଟଣା ଘଟୁଛି ।