ଶ୍ରୀଲଙ୍କା ମୁଖ୍ୟ ସେନା ଅଧିକାରୀଙ୍କ ବଡ ବୟାନ, ପୂର୍ବତନ ରାଷ୍ଟ୍ରପତି ଗୋଟାବାୟାଙ୍କୁ ନେଇ କହିଲେ ଏଭଳି କଥା

135

କନକ ବ୍ୟୁରୋ : ଶ୍ରୀଲଙ୍କାରେ ରାଜନୈତିକ ସଂକଟ ଟିକେ ଥମିଥିବା ବେଳେ ଆର୍ଥିକ ସଂକଟ ପୂର୍ବଭଳି ଲାଗି ରହିଛି । ଏହାରି ମଧ୍ୟରେ ଶ୍ରୀଲଙ୍କା ସେନାର ମୁଖ୍ୟ ଅଧିକାରୀଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେ କହିଛନ୍ତି କି ଦେଶରୁ ପଳାଇଯାଇଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ପୁଣି ଦେଶକୁ ଫେରିବେ । ଶ୍ରୀଲଙ୍କାର ଏକ ମିଡିଆ ରିପୋର୍ଟ ମୁତାବକ ଗୋଟାବାୟା ଶନିବାର ଦିନ ଶ୍ରୀଲଙ୍କା ଫେରିପାରନ୍ତି । କହିରଖୁ ଯେ ଗୋଟାବାୟା ରାଜପକ୍ଷେ ଏବେ ଦେଶାନ୍ତର ଅଛନ୍ତି ।

କିଛିଦିନ ତଳେ ଦେଶରେ ଲାଗି ରହିଥିବା ଆର୍ଥିକ ସଂକଟ ସହ ଇନ୍ଧନର ଅଭାବ ସାଂଗକୁ ଖାଦ୍ୟ ସଂକଟରେ ଅତିଷ୍ଠ ହୋଇପଡିଥିଲେ ଶ୍ରୀଲଙ୍କାବାସୀ । ଏହାପରେ ନାଗରିକଙ୍କ କ୍ରୋଧରେ ଶିକାର ହୋଇଥିଲେ ପୂର୍ବ ରାଷ୍ଟ୍ରପତି ଗୋଟାବାୟା । ନାଗରିକମାନେ ରାଷ୍ଟ୍ରପତି ଭବନ ଭିତରେ ପଶି ଭଙ୍ଗାରୁଜା କରିବାର ଚିତ୍ର ବେଶ୍ ରୋମାଞ୍ଚକର ଥିଲା । ଲୋକଙ୍କ ଭୟରେ ଗୋଟାବାୟା ଦେଶଛାଡି ଅନ୍ୟଦେଶକୁ ପଳାଇ ଯାଇଥିଲେ । ହେଲେ ୨ ରୁ ୩ ଟି ଦେଶ ତାଙ୍କୁ ରହିବାର ସୁଯୋଗ ଦେଇ ନଥିବା ବେଳେ ସେ ଏବେ କେଉଁଠି ଅଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ । ହେଲେ ସେନା ମୁଖ୍ୟଙ୍କ ବୟାନ ଯଦି ସତ୍ୟ ହୁଏ ତେବେ ଶ୍ରୀଲଙ୍କା ରାଜନୀତିରେ ପୁଣି ହଟଚମଟ ହେବାର ସମ୍ଭାବନା ରହିଛି ।