ଗୋଟିଏ କିମ୍ବା ଦୁଇଟି ନୁହେଁ ଏହି ଦେଶରେ ରହିଛି ୩ଟି ରାଜଧାନୀ, ଜାଣନ୍ତୁ କାହିଁକି ଗୋଟିଏ ଦେଶର ୩ଟି ରାଜଧାନୀ

3,474

କନକ ବ୍ୟୁରୋ : ଗୋଟିଏ ଦେଶରେ କେତୋଟି ରାଜଧାନୀ ରହିପାରିବ ? ସର୍ବାଧିକଙ୍କ ମତରେ ଗୋଟିଏ ଦେଶରେ ଗୋଟିଏ ରାଜଧାନୀ ରହିବା ଠିକ୍ । ହେଲେ ବିଶ୍ୱରେ ଏଭଳି କିଛି ଦେଶ ରହିଛି ଯେଉଁ ଦେଶଗୁଡିକରେ ଏକରୁ ଅଧିକ ରାଜଧାନୀ ରହିଛି । ଶ୍ରୀଲଙ୍କାର ବାଣିଜ୍ୟିକ ରାଜଧାନୀ କଲମ୍ବୋ ହୋଇଥିବା ବେଳେ ଜୟବର୍ଦ୍ଧନପୁର କୋଟ୍ଟେ ହେଉଛି ଅନ୍ୟଏକ ରାଜଧାନୀ । ସେହିଭଳି ଚିଲ୍ଲୀରେ ବି ଦୁଇଟି ରାଜଧାନୀ ରହିଛି । ଚିଲ୍ଲୀର ମୂଳ ରାଜଧାନୀ ସାଣ୍ଟିଆଗୋ ହୋଇଥିବା ବେଳେ ଦ୍ୱିତୀୟ ରାଜଧାନୀ ହେଉଛି ବାଲପରାଇସୋ । ଏହାପରେ ବଲଭିୟାରେ ବି ଲା ପାଜ ଓ ସୁକେ ଦୁଇଟି ରାଜଧାନୀ । ହେଲେ ବିଶ୍ୱର ଏକମାତ୍ର ଦେଶ ରହିଛି ଯାହାର ୩ଟି ରାଜଧାନୀ ରହିଛି ।

ଦେଶର ଏକମାତ୍ର ଦେଶ ହେଉଛି ଦକ୍ଷିଣ ଆଫ୍ରିକା ଯେଉଁ ଦେଶର ୩ଟି ରାଜଧାନୀ ରହିଛି । ଦକ୍ଷିଣ ଆଫ୍ରିକାର ୩ଟି ରାଜଧାନୀ ମଧ୍ୟରେ ପ୍ରିଟୋରିୟା, କ୍ୟାପ ଟାଉନ ଓ ବ୍ଲୋମଫୋଣ୍ଟେନ । ଦକ୍ଷିଣ ଆଫ୍ରିକାର ୩ଟି ଯାକ ରାଜଧାନୀ ନିଜ ନିଜ ତରିକାରେ ବେଶ୍ ମହତ୍ୱପୂର୍ଣ୍ଣ ।

ପ୍ରିଟୋରିୟା ଦକ୍ଷିଣ ଆଫ୍ରିକାର ପ୍ରଶାସନିକ ରାଜଧାନୀ ଓ ଏଠାରେ ରାଷ୍ଟ୍ରପତିଙ୍କ ଠାରୁ ନେଇ ମନ୍ତ୍ରୀମଣ୍ଡଳ ପର୍ଯ୍ୟନ୍ତ ସରକାରଙ୍କ ପୂରା କାର୍ଯ୍ୟକାରୀ କମିଟି ରହିଥାଏ । ଏଠାରେ ଅନ୍ୟ ମହତ୍ୱପୂର୍ଣ୍ଣ ସରକାରୀ ବିଭାଗ ସହ ବିଦେଶ ଦୂତାବାସ ରହିଛି । ଏହା ଦେଶର ଉତ୍ତର-ପୂର୍ବ ଜୋହାନ୍ସବର୍ଗ ସହର ପାଖରେ ଅବସ୍ଥିତ ।

କ୍ୟାପ ଟାଉନ ଦକ୍ଷିଣ ଆଫ୍ରିକାର ବିଧାନସଭା ରାଜଧାନୀ ଭାବେ ବିବେଚନା କରାଯାଉଥିବା ବେଳେ ଏଠାରେ ନ୍ୟାସନାଲ କାଉଁସିଲ ଅଫ ପ୍ରୋଭିନ୍ସ ଏବଂ ଦକ୍ଷିଣ ଆଫ୍ରିକାର ନ୍ୟାସନାଲ ଆସେମ୍ବଲି ରହିଛି । ଏହା ଦେଶର ଦକ୍ଷିଣ-ପଶ୍ଚିମ କୋଣରେ ଅବସ୍ଥିତ ଏବଂ ପଶ୍ଚିମ ପ୍ରଦେଶର ଏକ ଅଂଶ ଅଟେ । ଜନସଂଖ୍ୟା ଦୃଷ୍ଟିରୁ ଏହା ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ବୃହତ୍ତମ ସହର ଅଟେ ।

ବ୍ଲୋମମ୍ଫୋଣ୍ଟେନ ଦକ୍ଷିଣ ଆଫ୍ରିକାର କେନ୍ଦ୍ରସ୍ଥଳରେ ଅବସ୍ଥିତ । ଏହା ଦେଶର ନ୍ୟାୟିକ ରାଜଧାନୀ ଅଟେ । ଉଭୟ ସାମ୍ବିଧାନିକ ଅଦାଲତ ଏବଂ ସୁପ୍ରିମକୋର୍ଟ ଅଫ୍ ଆପିଲ ଏଠାରେ ରହିଛି । ବ୍ଲୋମମ୍ଫୋଣ୍ଟେନର ଅର୍ଥ ହେଉଛି ଫୁଲର ଝରଣା । ଏଠାରେ ବାର୍ଷିକ ମାଙ୍ଗୋଙ୍ଗ ରୋଜ ଫେଷ୍ଟିଭାଲ ମଧ୍ୟ ଆୟୋଜନ କରାଯାଏ । ସେଥିପାଇଁ ଏହି ସହରକୁ ମଧ୍ୟ ଗୋଲାପର ସହର ବୋଲି କୁହାଯାଏ ।