ମୋଦି ମ୍ୟାଜିକ୍ ବନାମ୍ ଡିନର୍ ଡିପ୍ଲୋମାସି ! ପଦ୍ମକୁ କାଉଁଟର୍ କରିବ ସୋନିଆଙ୍କ ମହାମେଂଟ

36

କନକ ବ୍ୟୁରୋ: ଚର୍ଚ୍ଚାରେ ସୋନିଆ ଗାନ୍ଧୀଙ୍କ ଡିନର ଡିପ୍ଲୋମାସି । ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦିଙ୍କ ବିରୁଦ୍ଧରେ ମହାମେଂଟ ଗଢ଼ିବେ ସୋନିଆ । ଏହି କାରଣରୁ ସୋନିଆଙ୍କ ଆଜିର ଡିନର୍ ପାର୍ଟି ଉପରେ ସମସ୍ତଙ୍କର ନଜର ରହିଛି । ଦେଶରେ ବିଜେପିର ପ୍ରଭାବକୁ କାଉଁଟର୍ କରିବାକୁ ସୋନିଆ ରଣନୀତି ପ୍ରସ୍ତୁତ କରିସାରିଥିବା କୁହାଯାଉଛି । ଅନ୍ୟପଟେ ଡିନର୍ ପାର୍ଟି ଏହି ରଣନୀତିର ଏକ ଅଂଶ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଗୋଟିକ ପରେ ଗୋଟିଏ, ଦେଶର ୨୧ଟି ରାଜ୍ୟ ଦଖଲ କରିସାରିଥିବା ବିଜେପିକୁ ୨୦୧୯ରେ କଂଗ୍ରେସ ଦେଇପାରେ ଝଟ୍କା । ପଦ୍ମ ରଣନୀତିକୁ କାଉଁଟର୍ କରିବାକୁ ସୋନିଆ ଆରମ୍ଭ କରିଛନ୍ତି ଡିନର୍ ପଲିଟିକ୍ସ । ଯେଉଁଥିରେ ୧୭ଟିଦଳ ଯୋଗ ଦେବାର କୁହାଯାଉଛି । ୧୦ ଜନପଥ ବାସଭବନରେ ସୋନିଆ ଆଜି ରଖିଛନ୍ତି ଡିନର୍ ପାର୍ଟି । ସତାଧାରୀ ବିଜେପିକୁ କ୍ଷମତାରୁ ବେଦଖଲ କରିବା ଏହି ପାର୍ଟିର ମୁଳ ଉଦ୍ଦେଶ୍ୟ ଥିବାର କୁହାଯାଉଛି । ବିଜେପିର ବିଜୟଧାରା ଭାଂଗିବାକୁ ସମଭାବାପନ୍ନ ଦଳଗୁଡ଼ିକ ମହା ମେଂଟ ଗଢ଼ିବାକୁ ସୋନିଆ ଏହି ପାର୍ଟିରେ ପ୍ରସ୍ତାବ ଦେବାର ଅନୁମାନ କରାଯାଉଛି ।

ପୂର୍ବରୁ ଗୁଜରାଟ ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଅଡୁଆରେ ପକାଇଥିଲା ଶାସକ ବିଜେପି ଦଳକୁ । ତେବେ ଉତର ପୂର୍ବ ଦଖଲ ପରେ ମୋଦିବ୍ରାଣ୍ଡ ଏବେ ବି ବିଶ୍ୱସନୀୟତା ହରାଇନଥିବା ଜଣାପଡ଼ିଛି । ଅନ୍ୟପଟେ ବିଜେପିର ପ୍ରଭାବକୁ କାଉଁଟର୍ କରିବାକୁ ସୋନିଆଙ୍କ ଡିନର୍ ପାର୍ଟି ସହାୟକ ହେବା ଚର୍ଚ୍ଚା ଜୋରଧରିଛି ।

ସୋନିଆ ଗାନ୍ଧୀଙ୍କ ଡିନର ପାର୍ଟିରେ ୧୭ଟି ରାଜନୈତିକ ଦଳର ମୁଖିଆ ଯୋଗ ଦେବାର କୁହାଯାଉଛି । ଯେଉଁଥିରେ ତୃଣମୁଳ କଂଗ୍ରେସ, ଆରଜେଡ଼ି ପରି ଗୁରୁତ୍ୱପୂର୍ଣ୍ଣ ଆଂଚଳିକ ଯୋଗ ଦେବେ । ବିରୋଧୀଙ୍କ ମଧ୍ୟରେ ଏକତା ସୃଷ୍ଟି କରିବା ସୋନିଆଙ୍କ ଡିନର୍ ପାର୍ଟିର ମୁଖ୍ୟ ଉଦ୍ଦେଶ୍ୟ ରହିବ । ଅନ୍ୟପଟେ କଂଗ୍ରେସ ସହ ହାତ ମିଳାଇ ମଇଦାନରେ ବଳ କଷିବାକୁ ଆଂଚଳିକ ଦଳ ଆଗ୍ରହ ଦେଖାଇବା ରାଜନୀତିକୁ ରୋଚକ କରିଦେଇଛି । ତେବେ ୨୦୧୯ ବିଜେପି ପାଇଁ ସହଜ ନହେବା ସୁନିଶ୍ଚିତ ହୋଇଛି ।