ରୋଜଗାର ଦେଉଛି ଗୋ ପାଳନ ଓ ମାଛ ଚାଷ: କ୍ଷୀର ଓ ମାଛ ବିକ୍ରୟ କରି ଲାଭବାନ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠିର ମହିଳା

148

କନକ ବ୍ୟୁରୋ: ମାଛ ଚାଷ ଏବଂ ଗୋ ପାଳନ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ମୁକୁଳିସି ସ୍ୱୟଂ ସହାୟକ ଗୋଷ୍ଠିର ୨୦ ଜଣ ମହିଳା । ମହିଳା ମାନେ ପୁରୁଷ ମାନଙ୍କ ଠାରୁ କୌଣସି ଗୁଣରେ କମ ନୁହନ୍ତି, ଅଦମ୍ୟ ସାହସ ଏବଂ ଦୃଢ ଇଚ୍ଛାଶକ୍ତି ସଫଳତାର ରାସ୍ତା ଦେଖାଏ, ଯାହା ପ୍ରମାଣିତ କରି ଦେଖାଇଛନ୍ତି ବସ୍ତା ବ୍ଲକ ମୁକୁଳିଶି ଗ୍ରାମର ଦୁଇ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ । ଦେଖନ୍ତୁ ବାଲେଶ୍ୱର ବସ୍ତା ଅଂଚଳର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସଫଳତାର କାହାଣି ।

ଗୋ-ପାଳନ ଓ ମାଛ ଚାଷ କରି ରୋଜଗାର କରୁଛନ୍ତି ବାଲେଶ୍ୱର ବସ୍ତା ଅଂଚଳର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ବସ୍ତା ବ୍ଲକ ଅନ୍ତର୍ଗତ ମୁକୁଳିସି ଗାଁର ମା’ କ୍ଷେତ୍ରପାଳ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କ୍ଷେତ୍ରପାଳ ସ୍ୱୟଂ ସହାୟକ ଗୋଷ୍ଠୀର ୨୦ ଜଣ ମହିଳା ଗୋ ପାଳନ ଏବଂ ମାଛ ଚାଷ କରୁଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଜଣେ ଗ୍ରାମାଂଚଳର ଗୃହିଣୀ ଭାବେ ଘରର ସମସ୍ତ କାମ ସାରିବା ପରେ ଅବସର ସମୟକୁ ଅପବ୍ୟୟ ନକରି ସେହି ସମୟରେ ମାଛ ଚାଷ ଏବଂ ଗୋ ପାଳନ କରିଛନ୍ତି । ଏଥିରୁୁ ରୋଜଗାର ହେଉଥିବା ଅର୍ଥକୁ ପିଲାମାନଙ୍କ ପାଠ ପଢା ଖର୍ଚ୍ଚ ସହିତ ନିଜର ଆବଶ୍ୟକୀୟ ଖର୍ଚ୍ଚ ତୁଲାଉଛନ୍ତି । ଯାହା ଦ୍ୱାରା ସେମାନଙ୍କୁ ଅନ୍ୟମାନଙ୍କ ପାଖରେ ହାତ ପତାଇବାକୁ ପଡୁନାହିଁ । ୨୦୦୫ରୁ ଆରମ୍ଭ ହୋଇଥିବା ଏହି ଦୁଇ ଗୃପ ପ୍ରଥମେ ପରିବା ଚାଷ ଏବଂ ଧାନ ଚାଷ କରିଥିଲେ ମାତ୍ର କୁଆ ପଥର ମାଡରେ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଫନୀ ବାତ୍ୟା ଯୋଗୁଁ ଧାନ ଚାଷ ନଷ୍ଟ ହୋଇଥିଲା । ସେଥିରେ ଏହି ମହିଳା ମାନେ ଭାଙ୍ଗି ନପଡି ଆଗକୁ ବଢିବାକୁ ଚେଷ୍ଟା କରିଥିଲେ । ଯାହା ତାଙ୍କୁ ଏବେ ସଫଳ ହେବାର ରାସ୍ତା ଦେଖାଇଛି ।

ଏହି ଦୁଇ ଗୃପର ସଦସ୍ୟ ମାନେ ମାସକୁ ୧୧୦ଟଙ୍କା ଲେଖାଏଁ ବ୍ୟାଙ୍କରେ ଜମା ରଖି ସେହି ଅର୍ଥରେ ପ୍ରଥମେ ଧାନ ଓ ପନିପରିବା ଚାଷ କରିଥିଲେ । ସେଥିରୁ ଯେଉଁ ଲାଭ ବାହାରିଲା ପ୍ରଥମେ ୨୦ଟି ଗାଇ କିଣି ଦୁଗ୍ଧ ଉତ୍ପାଦନ କରି ବିକ୍ରି କରିବା ସହିତ ଲିଜ ସୁତ୍ରରେ ୫ଟି ପୋଖରିରେ ମାଛ ଚାଷ କରୁଛନ୍ତି, ୨୦ଟି ଗାଇ ଠାରୁ ଦୈ÷ନିକ ପାଖାପାଖି ୧୦୦ ଲିଟର କ୍ଷୀର ଉତ୍ପଦନ ହୋଇଥାଏ । ଏହି କ୍ଷୀରକୁ କ୍ଷୀର ସୋସାଇଟିରେ ବିକ୍ରୀ କରିବା ସହିତ ସ୍ଥାନୀୟ ଦୋକାନୀ ଏବଂ ବ୍ୟବସାୟୀ ମାନଙ୍କୁ ମଧ୍ୟ ବିକ୍ରି କରିଥାନ୍ତି । ସେହିପରି ୫ଟି ପୋଖରୀରୁ ଦୈନିକ ପାଖାପାଖି ଏକ କ୍ୱିଂଟାଲ ପର୍ଯ୍ୟନ୍ତ ମାଛ ଉତ୍ପାଦନ କରିଥାନ୍ତି । ଏହି ମାଛକୁ ସ୍ଥାନୀୟ ବଜାରରେ ବିକ୍ରୀ କରିଥାନ୍ତି । ଏହା ସହିତ ଦରଡା, ସାହାଡା, ବସ୍ତା, ଅମର୍ଦ୍ଦାରୋଡର ବ୍ୟବସାୟୀ ମାନେ କିଣିଥାନ୍ତି । ଏହା ବାଦ ଘରୋଇ କାର୍ଯ୍ୟକ୍ରମରେ ବ୍ୟବହାର ପାଇଁ ଲୋକ ମାନେ ଏହି ମହିଳା ମାନଙ୍କ ଠାରୁ ମାଛ କିଣିଥାନ୍ତି । ଦୈନିକ ପାଖାପାଖି ୨୪ ଶହରୁ ୨୮ ଶହ ଟଙ୍କାର କ୍ଷୀର ବିକ୍ରୀ ହୋଇଥାଏ । ସେହିପରି ମାଛ କ୍ୱିଂଟାଲ ପ୍ରତି ୧୦ ହଜାରରୁ ୧୨ ହଜାର ମଧ୍ୟରେ ବିକ୍ରୀ କରିଥାନ୍ତି ମହିଳା । ବସ୍ତା ଅଂଚଳରେ ମହିଳା ମାନଙ୍କ ମାଛ ଓ କ୍ଷୀର ବ୍ୟବସାୟ ଏବେ ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।