ସଚ୍ଚୋଟପଣିଆ ଓ କର୍ତବ୍ୟନିଷ୍ଠା ସେବାକୁ ସମ୍ମାନ: ରାଜ୍ୟର ସର୍ବଶ୍ରେଷ୍ଠ ପୋଷ୍ଟମ୍ୟାନ ଢେଙ୍କାନାଳର ସୋହନ ମାହୁନ୍ତ

82

କନକ ବ୍ୟୁରୋ: ଦାୟିତ୍ୱବାନ, କର୍ତବ୍ୟପ୍ରେମ, ସଚୋଟତା, ଭଳି ଶବ୍ଦ ଗୁଡିକ କେତେ ମୂଲ୍ୟବାନ ତାହାର ଏକ ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ଢେଙ୍କାନାଳ ସହରରେ । ଜିଲ୍ଲା ମୁଖ୍ୟ ଡାକ ଘରେ ୧୧ ବର୍ଷ ଧରି ନିରବଛିନ୍ନ ସେବା ଦେଉଥିବା ପୋଷ୍ଟମ୍ୟାନ ଶୋହନ ମାହୁନ୍ତଙ୍କୁ ସର୍ବଶ୍ରେଷ୍ଠ ପୋଷ୍ଟମ୍ୟାନ ସମ୍ମାନରେ ସମ୍ମାନିତ କରିଛି ଓଡିଶା ଡାକ ସର୍କଲ ।

୨୦୧୧ ମସିହାରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ ଘରେ ପୋଷ୍ଟମ୍ୟାନ କାର୍ଯ୍ୟ ତୁଲାଇ ଆସୁଛନ୍ତି ସୋହନ ମାହୁନ୍ତ । ଚିଠି, ମନି ଅର୍ଡର, ପାର୍ସଲ ନେଇ ସଠିକ୍ ସମୟରେ ଠିକଣା ଜାଗାରେ ପହଂଚାଇ ଦିଅନ୍ତି । ସକାଳ ସାଢେ ୮ଟାରେ ଡାକଘରେ ପହଂଚି ଚିଠି, ପାର୍ସଲକୁ ସଟିଂ କରିବା ପରେ ଠିକ୍ ୧୦ଟା ବେଳେ ସାଇକଲରେ ଚିଠି ବ୍ୟାଗ୍ ଟାଙ୍ଗି ବାହାରି ପଡନ୍ତି ଡାକ ସେବା ଯୋଗାଇବାକୁ । କରୋନା କାଳରେ ୪ହଜାର ୫୦୦ ଘରେ ୧୫୦ କୋଟିର କୋଭିଡ ସହାୟତା ବାଂଟିଛନ୍ତି ସୋହନ । ମେଡିସିନ ପାର୍ସଲ, ଆଇପିପିବି ଆକାଉଂଟ, ସୁକନ୍ୟା ସମୃଦ୍ଧି ଯୋଜନା ଭଳି ଡାକ ସେବା ଯୋଗାଇବାରେ ମଧ୍ୟ ଏକ ନମ୍ବର ।

ସୋହନଙ୍କ ସହକର୍ମୀ କୁହନ୍ତି, ସେ କେବେ ନିଜ କାମରେ ଅବହେଳା କରିନାହାନ୍ତି । ଶାନ୍ତ ସ୍ୱଭାବ, ମିଷ୍ଟ ଭାଷୀ, ସଚ୍ଚୋଟ ଓ ଦାୟିତ୍ୱବାନ ଯୋଗୁଁ ତାଙ୍କୁ ଓଡିଶା ଡାକ ସର୍କଲ ପକ୍ଷରୁ ଚଳିତ ବର୍ଷ ରାଜ୍ୟର ସର୍ବଶ୍ରେଷ୍ଠ ପୋଷ୍ଟମ୍ୟାନର ସମ୍ମାନରେ ସମ୍ମାନିତ କରାଯାଇଛି ।

ଏହାସହ ସେ ଜଣେ ଉଚ୍ଚମାନର କଳାକାର । ବିଭିନ୍ନ ସ୍ଥାନରେ ଡାକ ଘର ପକ୍ଷରୁ ଆୟୋଜିତ ମନୋରଂଜନ ନାଟକରେ ହାସ୍ୟ କଳାକାର ଭାବେ ଅଭିନୟ କରି ବେଶ ସୁନାମ ଅର୍ଜନ କରିଛନ୍ତି ସୋହନ । ସେଥିପାଇଁ ମଧ୍ୟ ଗତ ବର୍ଷ ସର୍ବ ଭାରତୀୟ ସ୍ତରରେ ମଧ୍ୟ ସମ୍ମାନିତ ହୋଇଥିଲେ ।