ହାଇକୋର୍ଟରେ ଆମିକସକ୍ୟୁରିଙ୍କ ଉଦବେଗଜନକ ରିପୋର୍ଟ : କହିଲେ ଶ୍ରୀମନ୍ଦିର ଅସୁରକ୍ଷିତ; ନାଟମଣ୍ଡପ, ଜଗମୋହନର ମରାମତି ଜରୁରୀ

58

କନକ ବ୍ୟୁରୋ : ଶ୍ରୀମନ୍ଦିର ଅସୁରକ୍ଷିତ, ନାଟମଣ୍ଡପ, ଜଗମୋହନର ମରାମତି ଜରୁରୀ । ହାଇକୋର୍ଟଙ୍କୁ ରିପୋର୍ଟ ଦେଲେ ଆମିକସକ୍ୟୁରି । ମନ୍ଦିରର ବହୁସ୍ଥାନରେ ଫାଟ, ମୂଳ ସ୍ଥାନରୁ ପଥର ଖସିଛି ବୋଲି ଆମିକସକ୍ୟୁରୀ କହିଛନ୍ତି । ତେଣୁ ପୁରୀ ଶ୍ରୀମନ୍ଦିରର ନାଟ ମଣ୍ଡପ ଓ ଜଗମୋହନର ସଂରକ୍ଷଣ ଓ ତୁରନ୍ତ ମରାମତି ଆବଶ୍ୟକ । ହାଇକୋର୍ଟରେ ଏ ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଆମିକସକ୍ୟୁରି ଏଭଳି ରିପୋର୍ଟ ଦେଇଛନ୍ତି । ଏଥିସହିତ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠାଇଛନ୍ତି ।

ଅନ୍ୟପଟେ ୩ ବର୍ଷ ତଳେ ଶ୍ରୀମନ୍ଦିର ମରାମତିକୁ ନେଇ ହାଇକୋର୍ଟରେ ଏଏସ୍ଆଇ ଯେଉଁ ପ୍ରତିଶ୍ରୁତି ରଖିଥିଲା, ତାହା ପାଳନ କରି ନଥିବା ଆମିକସକ୍ୟୁରିଙ୍କ ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଆମିକସକ୍ୟୁରିଙ୍କ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ହାଇକୋର୍ଟ କାର୍ଯ୍ୟର ତଦାରଖ କରିବା ଆବଶ୍ୟକ । ନିୟମିତ ବ୍ୟବଧାନରେ ହାଇକୋର୍ଟ ମରାମତି ଓ ସଂରକ୍ଷଣ କାର୍ଯ୍ୟର ତଦାରଖ କଲେ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତ୍ୱରିତ୍ ପଦକ୍ଷେପ ଗ୍ରହଣ କରାଯିବ । ଆମିକସକ୍ୟୁରୀ ଦର୍ଶାଇଥିଲେ ଯେ ଜଗମୋହନ ଓ ନାଟମଣ୍ଡପର ଉପରୋକ୍ତ ମରାମତି ଓ ସଂରକ୍ଷଣ କାର୍ଯ୍ୟ ୨୦୨୩, ମାର୍ଚ୍ଚ ୩୧ ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି ଏଏସଆଇ ପ୍ରତିଶ୍ରୁତି ଦେଇଛି । କିନ୍ତୁ ୨୦୧୯, ଡିସେମ୍ବର ୨୩ରେ ଏଏସଆଇ ହାଇକୋର୍ଟରେ ଦର୍ଶାଇଥିଲା ଯେ ନାଟମଣ୍ଡପ ଓ ଅନ୍ୟାନ୍ୟ ମରାମତି ଓ ସଂରକ୍ଷଣ କାର୍ଯ୍ୟ ଚାରି ମାସ ଭିତରେ ଶେଷ ହେବ । ଏବେ ମଧ୍ୟ ପୂର୍ବ ସ୍ଥିତି ରହିଛି ।

ଅନ୍ୟପଟେ ଆମିକସକ୍ୟୁରିଙ୍କ ରିପୋର୍ଟରେ ନିର୍ଦ୍ଦିଷ୍ଟ ଭାବେ ନାଟମଣ୍ଡପ ଓ ଜଗମୋହନ ପ୍ରସଙ୍ଗରେ ଉଲ୍ଲେଖ କରାଯାଇଥିବା ବେଳେ ରତ୍ନଭଣ୍ଡାର ପ୍ରସଙ୍ଗରେ କିଛି ବି କୁହାଯାଇ ନାହିଁ । ୨୦୨୨, ଅଗଷ୍ଟ ୮ରେ ଏଏସଆଇ ପକ୍ଷରୁ ରତ୍ନ ଭଣ୍ଡାର ଭିତର ଅଂଶ ଯାଞ୍ଚ ପ୍ରସଂଗରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଚିଠି ଲେଖା ଯାଇଥିଲା । ହାଇକୋର୍ଟଙ୍କ ୨୦୧୮, ମାର୍ଚ୍ଚ ୨୨ର ନିର୍ଦ୍ଦେଶ ଅନୁସାରେ ରତ୍ନ ଭଣ୍ଡାର ଭିତରର ସ୍ଥିତି ଯାଞ୍ଚ କରିବାକୁ ଅନୁମତି ଦିଆଯାଉ ବୋଲି ଏଏସଆଇ ଚିଠିରେ ଉଲ୍ଲେଖ କରାଯାଇଥିଲା । ଏହାପରେ ୨୦୨୨, ଅଗଷ୍ଟ ୨୩ରେ ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଆମିକସ୍ କ୍ୟୁରୀ ଦର୍ଶାଇଥିଲେ ଯେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ସେ ସତ୍ୟପାଠ ଦାଖଲ କରିବେ ।