ମଲ୍ଲିକାର୍ଜୁନ ଖଡଗେ ନା ଶଶୀ ଥରୁର : କିଏ ହେବେ କଂଗ୍ରେସ ସଭାପତି ସ୍ପଷ୍ଟ ହେବ ଚିତ୍ର; ସକାଳ ୧୦ଟାରୁ ଆରମ୍ଭ ହେବ ଭୋଟ୍ ଗଣତି

87

କଂଗ୍ରେସ ସଭାପତି ପଦ ପାଇଁ ଆଜି ଭୋଟ୍ ଗଣତି ହେବ । ମଲ୍ଲିକାର୍ଜୁନ ଖଡଗେ ନହେଲେ ଶଶୀ ଥରୁର ହେବେ କଂଗ୍ରେସ ସଭାପତି । ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରେ ଜଣେ ନେତା ଦେଶର ସର୍ବ ପୁରାତନ ଦଳର ସଭାପତି ଭାବରେ ନିର୍ବାଚିତ ହେବେ । ଆଜି ସକାଳ ୧୦ ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଦେଶର ସମସ୍ତ ମତଦାନ କେନ୍ଦ୍ରରୁ ବାଲାଟ ବାକ୍ସକୁ କଂଗ୍ରେସ ମୁଖ୍ୟାଳୟକୁ ଅଣାଯାଇଛି । ଭୋଟ ଗଣତି ଦଳୀୟ ଅଫିସରେ ହେବ । “ଉଭୟ ପ୍ରାର୍ଥୀଙ୍କ ଏଜେଂଟ ବ୍ୟତୀତ ସେମାନଙ୍କର ସମର୍ଥକମାନେ ଭୋଟ୍ ଗଣତି ଅବସରରେ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚିବେ । କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସମେତ ପ୍ରାୟ ୯,୫୦୦ ପ୍ରତିନିଧୀ ସୋମବାର ଦଳର ନୂଆ ସଭାପତି ଚୟନ କରିବାକୁ ଭୋଟ୍ ଦେଇଥିଲେ । କଂଗ୍ରେସ ଦଳର ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ପାଇଁ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।

ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କ ଅନୁଯାୟୀ ୧୯୩୯, ୧୯୫୦, ୧୯୭୭, ୧୯୯୭ ଏବଂ ୨୦୦୦ ରେ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ୨୨ ବର୍ଷ ପରେ ଏଥର ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ସେ କହିଛନ୍ତି ଯେ ଏହି ନିର୍ବାଚନର ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରେ ଜଣେ ନେତା ଦେଶର ସର୍ବ ପୁରାତନ ଦଳର ସଭାପତି ଭାବରେ ନିର୍ବାଚିତ ହେବେ । ଏହାପୂର୍ବରୁ ସୀତାରାମ କେସରୀ ଅଣ-ଗାନ୍ଧୀ ସଭାପତି ଥିଲେ ।