ଦୁର୍ଘଟଣାଗ୍ରସ୍ତ ସ୍କୋର୍ପିଓରୁ ୯୦ କେଜି ଗଞ୍ଜେଇ ଜବତ : ଡ୍ରାଇଭର ଓ ଦୁଇ ସହଯୋଗୀ ଫେରାର; କିଏ ଅର୍ଡର କରିଥିଲା ଏବଂ କେଉଁଠୁ ଆସୁଥିଲା ଗଞ୍ଜେଇ ଉଠିଲା ପ୍ରଶ୍ନ

84

କନକ ବ୍ୟୁରୋ : ବଲାଙ୍ଗୀର ଲୋଇସିଂହା ବସ୍ ଷ୍ଟାଣ୍ଡ ନିକଟରେ ଏକ ଦୁର୍ଘଟଣାଗ୍ରସ୍ତ ସ୍କୋର୍ପିଓ ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ପାଖାପାଖି ୯୦ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ସାଢେ ଚାରି ଲକ୍ଷ ଟଙ୍କା ହେବ ବୋଲି ସୂଚନା ରହିଛି । ଲୋଇସିଂହା ପୋଲିସ୍ ଏହି ଗଞ୍ଜେଇ ଜବତ କରିଛି । ଲୋଇସିଂହା ବସ୍ ଷ୍ଟାଣ୍ଡ ଠାରେ ବଲାଙ୍ଗିିର ପଟୁ ଆସୁୁଥିବା ଏକ ସ୍କୋର୍ପିଓ ଗାଡି ଧକ୍କା ଦେଇଥିଲା ଅପର ପଟୁ ଆସୁଥିବା ଏକ ସ୍କୁଟି ଚାଳକକୁ । ଦୁର୍ଘଟଣା ଘଟାଇ ସ୍କୋର୍ପିଓ ଡ୍ରାଇଭର ପ୍ରଥମେ ଘଟଣା ସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିଥିଲା । କିନ୍ତୁ ଲୋକେ ଡ୍ରାଇଭରକୁ କାବୁ କରିନେଇଥିଲେ ।

ଗାଡିରେ ବସିଥିବା ଅନ୍ୟ ଦୁୁଇ ଜଣ ଫେରାର ହେବାରେ ସଫଳ ହୋଇଥିଲେ । ପରେ ଭିଡର ସୁଯୋଗ ନେଇ ଡ୍ରାଇଭର ମଧ୍ୟ ରାସ୍ତା ମଝିରେ ଗାଡି ଛାଡି ଫେରାର ମାରିଥିଲା । ଫଳରେ ରାସ୍ତାର ଉଭୟ ପଟେ ଅନେକ ଯାନ ବାହାନ ଫସି ରହିଥିଲା । ଗାଡି ଭିତରେ ବଡ ବଡ ଚାରି ପାଂଚଟି ଜରି ଅଖା ପ୍ୟାକେଟ୍ ସବୁ ରହିଥିବା ଲୋକେ ଦେଖିଥିଲେ । ଯାହାକୁ ଗଞ୍ଜେଇ ପ୍ୟାକେଟ୍ ବୋଲି ସଂନ୍ଦେହ କରିଥିଲେ । ଆଉ ଉକ୍ତ ଗାଡିକୁ ନେଇ ଲୋଇସିଂହା ଥାନାରେ ଜିମା ଦେଇଥିଲେ । ପରେ ସ୍ଥାନୀୟ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ପ୍ୟାକେଟ୍ ଖୋଲା ଯାଇଥିଲା । ତେବେ ଏହି ଗଞ୍ଜେଇ କିଏ ଅର୍ଡର କରିଥିଲା ଏବଂ କେଉଁଠୁ ଆସୁଥିଲା ତାହା ଏବେ ବଡ ପ୍ରଶ୍ନ ।