ଶିନା ବୋରା ହତ୍ୟା ମାମଲା, ୬.୫ ବର୍ଷ ପରେ ମା ଇନ୍ଦ୍ରାଣୀଙ୍କୁ ମିଳିଲା ଜାମିନ

198

କନକ ବ୍ୟୁରୋ : ଶିନା ବୋରା ହତ୍ୟା ମାମଲାରେ ମା ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୬.୫ ବର୍ଷ ଧରି ଜେଲରେ ରହିବା ପରେ ଏବେ ତାଙ୍କୁ ଜାମିନ ମିଳିଛି । ଏନେଇ କୋର୍ଟ କହିଛନ୍ତି କି ଏହି ମାମଲା କେବଳ ପରିସ୍ଥିତି ଜନିତ ସାକ୍ଷୀ ଆଧାରରେ ଦୀର୍ଘଦିନ ଧରି ଚାଲୁ ରହିଛି । ଏହାସହ ଟ୍ରାଏଲ ଖୁବଶୀଘ୍ର ଶେଷ ହୋଇପାରେ ବୋଲି କୋର୍ଟ କହିଛନ୍ତି । ଇନ୍ଦ୍ରାଣୀ ମୁଖାର୍ଜୀ ଏହି ମାମଲାରେ ଦୀର୍ଘଦିନ ହେବ ଜେଲରେ ଥିବାରୁ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିବା କଥା କୋର୍ଟ କହିଛନ୍ତି । କହିରଖୁ କି ଏହି ମାମଲାରେ ୨୦୨୦ ମସିହାରେ ଅନ୍ୟଜଣେ ଅଭିଯୁକ୍ତ ପିଟର ମୁଖାର୍ଜୀଙ୍କୁ ସୁପ୍ରିମ କୋର୍ଟ ଜାମିନ ପ୍ରଦାନ କରିଥିଲେ । ହେଲେ ଇନ୍ଦ୍ରାଣୀଙ୍କ ଜାମିନ ଆବେଦନକୁ ସିବିଆଇ ବିରୋଧ କରି କୋର୍ଟରେ ଜବାବ ଦାଖଲ କରିଥିବାରୁ ଇନ୍ଦ୍ରାଣୀଙ୍କ ଜାମିନ ଏତେ ଡେରି ହୋଇଛି ।

ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଓକିଲ ମୁକୁଲ ରୋହତଗୀ କୋର୍ଟକୁ କହିଥିଲେ କି ଇନ୍ଦ୍ରାଣୀ ୬.୫ ବର୍ଷ ହେବ ଜେଲରେ ଅଛନ୍ତି । ଏହି ମାମଲାର ଟ୍ରାଏଲ ଆହୁରି ୧୦ ବର୍ଷ ଲାଗିପାରେ । କାରଣ ଏବେ ବି ୧୮୫ ଜଣ ସାକ୍ଷୀଙ୍କ ବୟାନ ବାକି ରହିଛି । ଏହାସହ ପୂର୍ବ ଦେଢ ବର୍ଷ ଧରି କୌଣସି ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇ ନଥିବାରୁ ଇନ୍ଦ୍ରାଣୀ ଜାମିନ ପାଇବାକୁ ହକଦାର ।

ମାମଲା ଏଭଳି ଥିଲା କି ଇନ୍ଦ୍ରାଣୀ ଓ ତାଙ୍କ ସାବତ ଝିଅ ଶିନାଙ୍କ ମଧ୍ୟରେ ସଂପର୍କ ଭଲ ନଥିଲା । ଶିନା ଇନ୍ଦ୍ରାଣୀଙ୍କ ପ୍ରଥମ ସ୍ୱାମୀର ଝିଅ ଥିଲା । ଏନେଇ ଉଭୟ ମା ଓ ଝିଅଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା । ଏହି ଝଗଡାକୁ ସବୁଦିନ ପାଇଁ ସମାପ୍ତ କରିଦେବାକୁ ଇନ୍ଦ୍ରାଣୀ ତାଙ୍କ ଡ୍ରାଇଭରଙ୍କ ସହାୟତାରେ ଶିନାଙ୍କୁ ହତ୍ୟା କରିଥିବା ଦାବି ହୋଇଥିଲା ।