ଅମ୍ବାନୀ ଘର ଉତ୍ସବରେ ସାଉଥ୍ ସୁପରଷ୍ଟାର ରାମଚରଣଙ୍କୁ ‘ଇଡଲି’ ସମ୍ବୋଧନ କଲେ ଶାହରୁଖ । ଭିଡିଓ ଭାଇରାଲ ପରେ ସାଉଥ୍ ଇଣ୍ଡଷ୍ଟ୍ରୀରେ ଅସନ୍ତୋଷ ।

1,623

କନକ ବ୍ୟୁରୋ: ଗୁଜରାଟ ଜାମନଗରରେ ତିନି ଦିନ ଧରି ହୋଇଥିବା ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସେଲିବ୍ରେସନର ଅନେକ ଫଟୋ ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଏହାରି ଭିତରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବଲିଉଡ୍ କିଙ୍ଗ୍ ଖାନ୍ ଶାହରୁଖ୍ ସାଉଥ୍ ସୁପରଷ୍ଟାର୍ ରାମ ଚରଣଙ୍କୁ ‘ଇଡଲି ରାମଚରଣ’ କହି ଡାକୁଥିବାର ଦେଖିବାକୁ ମିଳିଛି । ତାଙ୍କର ଏଭଳି ବ୍ୟବହାରକୁ ନେଇ ବଡ ବିବାଦ ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ଶାହରୁଖ୍ ଖାନଙ୍କୁ ଅନେକ ସମାଲୋଚନା ମଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ ସମାରୋହର ଦ୍ୱିତୀୟ ଦିନରେ ମଂଚ ଉପରେ ଏକାସଙ୍ଗେ ନୃତ୍ୟ ପରିବେଷଣ କରିଥିଲେ ବଲିଉଡ୍ ତିନି ଖାନ୍ ଶାହରୁଖ- ସଲମାନ – ଆମୀର । ଏହି ସମୟରେ ଆରଆରଆର ଫିଲ୍ମର ସୁପରହିଟ୍ ଗୀତ ନାଚୋ ନାଚୋରେ ତିନି ଖାନ୍ ଡ୍ୟାନ୍ସ କରିଥିଲେ । ଏହି ସମୟରେ ରାମଚରଣଙ୍କୁ ତାଙ୍କ ସହ ଯୋଗ ଦେବା ପାଇଁ ତିନି ଖାନ୍ ଡାକିଥିଲେ । ଶାହରୁଖ ମାଇକ୍ ଧରି କହିଥିଲେ – ‘ନାରକୁଣ୍ଡା ନାରଚପ୍ପା ଇଣ୍ଡବନ୍ଦିନୀ ଭେଣ୍ଡ ଇଡଲି ରାମଚରଣ କମ୍ ହିଅର’ । ତାଙ୍କର ଏଭଳି ବ୍ୟବହାରରେ କ୍ଷୁବ୍ଧ ହୋଇ ସେହି ସ୍ଥାନରୁ ଚାଲି ଆସିଥିଲେ ରାମଚରଣଙ୍କ ମେକ୍ଅପ୍ ଆର୍ଟିଷ୍ଟ । ସେପଟେ ସାଉଥ ଇଣ୍ଡଷ୍ଟ୍ରୀରେ ମଧ୍ୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଶାହରୁଖ୍ ଏଭଳି ରାମଚରଣଙ୍କୁ ଇଡଲି କହି ସମ୍ବୋଧନ କରିବା ନିନ୍ଦନୀୟ ବୋଲି କୁହାଯାଉଛି ।