ଇମ୍ରାନ ଖାନଙ୍କ ପରେ ଏବେ ଶାହା ମହମ୍ମୁଦ କୁରେଶୀ ଗିରଫ, ଇମ୍ରାନଙ୍କ କ୍ୟାବିନେଟରେ ଥିଲେ ବୈଦେଶିକ ମନ୍ତ୍ରୀ

162

କନକ ବ୍ୟୁରୋ : ଇମ୍ରାନ ଖାନଙ୍କ ଗିରଫ ପରେ ପାକିସ୍ତାନରେ ଉପୁଜିଥିବା ହିଂସା ଥମିବାର ନାଁ ନେଉନି । ଇମ୍ରାନ ଖାନଙ୍କୁ ୮ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ଏହାସହ ଇମ୍ରାନ ଖାନଙ୍କ ଗିରଫକୁ ବିରୋଧ କରି ପିଟିଆଇ ଦ୍ୱାରା ସୁପ୍ରିମକୋର୍ଟରେ ଯେଉଁ ଆବେଦନ କରାଯାଇଥିଲା ତାହାକୁ କୋର୍ଟ ଖାରଜ କରିଦେଇଛନ୍ତି । ଏହାପରେ ପିଟିଆଇ ସଦସ୍ୟ ଏବେ ହିଂସ୍ର ହୋଇପଡିଛନ୍ତି । ସେପଟେ ଖବର ଆସିଛି କି, ଇମ୍ରାନ ଖାନଙ୍କ ଗିରଫକୁ ବିରୋଧ କରୁଥିବା ଶାହା ମହମ୍ମୁଦ କୁରେଶୀଙ୍କୁ ଗିରଫ କରାଯାଇଛି । ଶାହା ମହମ୍ମୁଦ କୁରେଶୀ ଇମ୍ରାନଙ୍କ କ୍ୟାବିନେଟରେ ବୈଦେଶିକ ମନ୍ତ୍ରୀ ଥିଲେ ।

ସେପଟେ ହିଂସା କରୁଥିବା ଇମ୍ରାନଙ୍କ ସମର୍ଥକଙ୍କ ମଧ୍ୟରୁ ଅନେକଙ୍କୁ ପୋଲିସ ଗିରଫ କରିଛି । ପାକିସ୍ତାନରେ ଲାଗି ରହିଥିବା ହିଂସାକୁ ଆୟତ କରିବାକୁ ପଞ୍ଜାବ ପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । ଭାରତ ବି ପାକିସ୍ତାନରେ ଲାଗି ରହିଥିବା ହିଂସା ଉପରେ ତୀଣ୍ନ ନଜର ରଖିଛି । ପାକିସ୍ତାନରେ ଏବେ ଗୃହଯୁଦ୍ଧ ଭଳି ପରିସ୍ଥିତି ଦେଖା ଦେଇଛି । ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି । ଏହି ବୈଠକରେ ଦେଶରେ ଶାନ୍ତି ଫେରାଇ ଆଣିବାକୁ ଏକ ରୂପରେଖ ପ୍ରସ୍ତ୍ୁତ କରାଯାଇଛି ।

ଅନ୍ୟପଟେ ଆଜି ଇମ୍ରାନ ଖାନ କୋର୍ଟରେ ନିଜ ଜୀବନ ପ୍ରତି ବିପଦ ଥିବା କହିଛନ୍ତି । ସେ କହିଛନ୍ତି କି ମୋତେ ବିଷ ଦେଇ ହତ୍ୟା କରାଯାଇପାରେ । ପୋଲିସ ତାଙ୍କୁ ବାଥରୁମ୍ ଯିବାକୁ ଦେଇ ନଥିବା କଥା ମଧ୍ୟ ଇ୍ରମାନ ଖାନ କୋର୍ଟଙ୍କ ନିକଟରେ ଅଭିଯୋଗ କରିଛନ୍ତି ।