EXIT POLL LIVE: କର୍ଣ୍ଣାଟକରେ କିଏ ଗଢିବ ସରକାର ? କାହାର ହେବ କର୍ଣ୍ଣାଟକ? ଆସିଲା ବୁଥ୍ ବାହୁଡା ମତ…

ଦେଖନ୍ତୁ, କାହାକୁ ମିଳିପାରେ କେତେ ସିଟ୍?

378

କନକ ବ୍ୟୁରୋ: କର୍ଣ୍ଣାଟକରେ କିଏ ଗଢିବ ସରକାର ? କାହାର ହେବ କର୍ଣ୍ଣାଟକ? ବିଜେପି ପୁଣିଥରେ କ୍ଷମତା ଦଖଲ କରିବ? ନା, କଂଗ୍ରେସ ପୁଣି କମବ୍ୟାକ୍ କରିବ ସେନେଇ କର୍ଣ୍ଣାଟକରୁ ଆସିଛି ବୁଥ୍ ବାହୁଡା ମତ ।

ଗୋଟିଏ ପଟେ କିଛି ସର୍ଭେରେ କଂଗ୍ରେସକୁ ବହୁମତ ମିଳିବା ନେଇ ଅନୁମାନ କରାଯାଉଥିବାବେଳେ, ଅନ୍ୟ କିଛି ସର୍ଭେରେ ବିଜେପି ବଡ ଦଳ ହେଇ ଉଭା ହେବ ବୋଲି କୁହାଯାଉଛି । ସେହିପରି ଅନ୍ୟ କିଛି ସର୍ଭେରେ ରାଜ୍ୟରେ ଝୁଲା ବିଧାନସଭା ଦେଖିବାକୁ ମିଳୁଥିବାବେଳେ, ଜେଡିଏସ୍ କିଙ୍ଗ ମେକର ହେବ ବୋଲି କୁହାଯାଉଛି । ତେବେ ଦେଖନ୍ତୁ, ବିଭିନ୍ନ ସର୍ଭେର ଏକଜିଟ୍ ପୋଲ୍…

ଜନ କି ବାତ୍

କର୍ଣ୍ଣାଟକରେ ଏଥର ବିଜେପିକୁ ୯୪ରୁ ୧୧୭ ସିଟ୍ ମିଳିପାରେ ବୋଲି ଜନ୍ କି ବାତ୍ ଏକଜିଟ୍ ପୋଲରେ ଅନୁମାନ କରାଯାଇଛି । ସେହିପରି କଂଗ୍ରେସକୁ ୯୧ରୁ ୧୦୬ ସିଟ୍, ଜେଡିଏସକୁ ୧୪ରୁ ୨୪ ସିଟ୍ ଏବଂ ସ୍ୱାଧୀନକୁ ୦ କିମ୍ବା ୨ଟି ସିଟ୍ ମିଳିପାରେ ବୋଲି ଏକଜିଟ୍ ପୋଲରେ ଅନୁମାନ କରିଛି ଜନ୍ କି ବାତ୍ ଏକଜିଟ୍ ପୋଲ ।

ନ୍ୟୁଜ୍ ୧୮ ଏକଜିଟ୍ ପୋଲ

କର୍ଣ୍ଣାଟକରେ ଏଥର କଂଗ୍ରେସକୁ ୯୧ରୁ ୧୦୬ ସିଟ୍ ମିଳିବା ନେଇ ଅନୁମାନ କରିଛି ଜାତୀୟ ଗଣମାଧ୍ୟମ ସଂସ୍ଥା ନ୍ୟୁଜ୍ ୧୮ର ଏକଜିଟ୍ ପୋଲ୍ । ତା ସହିତ ବିଜେପିକୁ ୯୪ରୁ ୧୧୭ ସିଟ୍ ଏବଂ ଜେଡିଏସକୁ ୧୪ରୁ ୨୪ ସିଟ୍ ମିଳିପାରେ ବୋଲି ଅନୁମାନ କରାଯାଇଛି ।

ଜୀ-ନ୍ୟୁଜର ଏକଜିଟ୍ ପୋଲ

ଜାତୀୟ ଗଣମାଧ୍ୟମ ସଂସ୍ଥା ଜୀ-ନ୍ୟୁଜ୍ ପକ୍ଷରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଏକଜିଟ୍ ପୋଲ ସାମ୍ନାକୁ ଆସିଛି । ଏହି ଏକଜିଟ୍ ପୋଲରେ ବିଜେପିକୁ ୭୯ରୁ ୯୪ ସିଟ୍ ମିଳିବା ନେଇ ଅନୁମାନ କରାଯାଇଥିବାବେଳେ, କଂଗ୍ରେସକୁ ୧୦୩ରୁ ୧୧୮ ସିଟ୍ ମିଳିପାରେ ବୋଲି କୁହାଯାଉଛି । ସେପଟେ ଜେଡିଏସକୁ ୨୫ରୁ ୩୩ ସିଟ୍ ଏବଂ ସ୍ୱାଧୀନ ଖାତାକୁ ୨ରୁ ୫ ସିଟ୍ ଯାଇପାରେ ବୋଲି ଜୀ-ନ୍ୟୁଜ୍ ଏକଜିଟ ପୋଲରେ ଅନୁମାନ କରାଯାଉଛି ।

ପି-ଏମଏଆରକ୍ୟୁର ଏକଜିଟ୍ ପୋଲ୍

କର୍ଣ୍ଣାଟକରେ ୨୨୪ ଆସନରୁ ଏଥର ବିଜେପିକୁ ୮୫ରୁ ୧୦୦ ସିଟ୍ ମିଳିପାରେ ବୋଲି ପି-ଏମଏଆରକ୍ୟୁ ଅନୁମାନ କରିଛି । ସେହିପରି କଂଗ୍ରେସକୁ ୯୪ରୁ ୧୦୮ ସିଟ୍ ଏବଂ ଜେଡିଏସକୁ ୨୪ରୁ ୩୨ ସିଟ୍ ମିଳିପାରେ ବୋଲି ଅନୁମାନ କରାଯାଉଛି । ସେପଟେ କର୍ଣ୍ଣାଟକରେ ଏଥର ୨ରୁ ୬ ଜଣ ସ୍ୱାଧୀନ ପ୍ରାର୍ଥୀ ବିଧାନସଭାକୁ ଆସିପାରନ୍ତି ବୋଲି ପି-ଏମଆରକ୍ୟୁ ଏକଜିଟ୍ ପୋଲରେ ଅନୁମାନ କରାଯାଇଛି ।

ଟିଭି-୯ ଭାରତବର୍ଷ ଏବଂ ପୋଲଷ୍ଟାର୍ଟ ଏକଜିଟ୍ ପୋଲ

ଟିଭି-୯ ଭାରତବର୍ଷ ଏବଂ ପୋଲଷ୍ଟାର୍ଟ ଏକଜିଟ୍ ପୋଲର ସର୍ଭେ ମୁତାବକ ଏଥର କର୍ଣ୍ଣାଟକରେ ବିଜେପିକୁ ୮୮ରୁ ୯୮ ସିଟ୍ ମିଳିପାରେ । ଅନ୍ୟପଟେ କଂଗ୍ରେସକୁ ଏଥର କର୍ଣ୍ଣାଟକରେ ୯୯ରୁ ୧୦୯ ସିଟ୍ ମିଳିପାରେ ବୋଲି ଟିଭି-୯ ଭାରତବର୍ଷ ଅନୁମାନ କରିଛି । ସେହିପରି ଜେଡିଏସକୁ ୨୧ରୁ ୨୬ ସିଟ୍ ମିିଳିବ ବୋଲି ଅନୁମାନ କରାଯାଉଛି ।

କର୍ଣ୍ଣାଟକ ବିଧାନସଭାର ମୋଟ ସିଟ୍ ସଂଖ୍ୟା ୨୨୪ ହୋଇଥିବାବେଳେ, ମୋଟ୍ ୨୬୧୫ ଜଣ ପ୍ରାର୍ଥୀ ଏଥର ମୈଦାନରେ ରହିଛନ୍ତି । ସେମାନଙ୍କ ଭିତରୁ ୨୪୩୦ ଜଣ ପୁରୁଷ ପ୍ରାର୍ଥୀ ହୋଇଥିବାବେଳେ, ୧୮୪ ଜଣ ହେଉଛନ୍ତି ମହିଳା ପ୍ରାର୍ଥୀ ଏବଂ ଜଣେ ତୃତୀୟ ଲିଙ୍ଗୀ । ତେବେ କର୍ଣ୍ଣାଟକରେ ମୋଟ୍ ଭୋଟରଙ୍କ ସଂଖ୍ୟା ୫.୩ କୋଟି ହୋଇଥିବାବେଳେ ଏଥର ୧୧.୭୧ ଲକ୍ଷ ଭୋଟର ହେଉଛନ୍ତି ପ୍ରଥମ ଭୋଟର । ତେବେ କର୍ଣ୍ଣାଟକରେ ପୁରୁଷ ଭୋଟରଙ୍କ ସଂଖ୍ୟା ୨.୬୬ କୋଟି ହୋଇଥିବାବେଳେ, ମହିଳା ଭୋଟରଙ୍କ ସଂଖ୍ୟା ହେଉଛି ୨.୬୩ କୋଟି ।