ସ୍କୁଲକୁ ଆଗୁଆ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଆସନ୍ତାକାଲିଠୁ ରାଜ୍ୟରେ ସ୍କୁଲ ବନ୍ଦ । ଜୁନ୍ ୧୭ ଯାଏଁ ରହିବ ବଳବତ୍ତର

2,624

କନକ ବ୍ୟୁରୋ: ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲକୁ ଆଗୁଆ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ । ଏହା ଜୁନ୍ ୧୭ ଯାଏଁ ବଳବତ୍ତର ରହିବ । କିନ୍ତୁ ଯଦି ଏହି ସମୟରେ ଆବଶ୍ୟକ ପଡ଼େ ତା ହେଲେ ସେ ସମୟକୁ ଦେଖି ନିଷ୍ପତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ।

  • ଶୁକ୍ରବାରଠୁ ଖରାଛୁଟି
  • ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ ନିଷ୍ପତି

ଏପ୍ରିଲ ମାସରେ ସ୍ୱାଭାବିକ ଠାରୁ ୩-୪ ଡିଗ୍ରୀ ତାତି ବଢିଯିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି । ବିଶ୍ୱର ସବୁଠୁ ଉତପ୍ତ ସହର ତାଲିକାରେ ଓଡ଼ିଶାର ସହର କ୍ରମାଗତ ସ୍ଥାନ ପାଇବା ପରେ ସ୍ଥିତି ଚିନ୍ତାଜନକ ହୋଇପଡିଛି । ବାରିପଦା, ନୂଆପଡ଼ାର ତାପମାତ୍ରା ୪୪ ଡିଗ୍ରୀ ଟପିବା ସହ ଅନେକ ସ୍ଥାନରେ ୪୩ ଡିଗ୍ରୀ ଡେଇଁଛି ପାରଦ । ଏହାକୁ ଦୃଷ୍ଟିରେ ରଖି ତାତିରୁ ସ୍କୁଲ ପିଲାଙ୍କୁ ସୁରକ୍ଷିତ ରଖିବା ଲାଗି ଦୁଇ ଦୁଇ ଥର ସ୍କୁଲକୁ ସାମୟିକ ବନ୍ଦ କରିବା ପରେ ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

  • ପୂର୍ବରୁ ମେ’ ୪ରୁ ଜୁନ୍ ୧୭ ପର୍ଯ୍ୟନ୍ତ ଥିଲା ଖରାଛୁଟି
  • ତାତି ବଢ଼ିବାରୁ ନିଷ୍ପତ୍ତି ବଦଳାଇଲେ ସରକାର
  • ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶୁକ୍ରବାରଠୁ ସ୍କୁଲ ବନ୍ଦ

ଖରାଛୁଟି ସଂପର୍କରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିସ୍ତୃତ ସୂଚନା ଦିଆଯିବ । ତେବେ ଶୁକ୍ରବାର ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ବୈଠକ ହେବ । କିନ୍ତୁ ପିଲାମାନେ ସ୍କୁଲ ଆସିବେ ନାହିଁ । ହଠାତ ସ୍କୁଲ ବନ୍ଦ ଘୋଷଣା ହେବାରୁ ହୋମୱାର୍କ ଦିଆଯାଇନାହିଁ, ତେଣୁ ଏ ନେଇ ଶୁକ୍ରବାର ଦିନ ଅଭିଭାବକ ଓ ଶିକ୍ଷକଙ୍କ ବୈଠକରେ ନିଷ୍ପତି ନିଆଯିବ । କେମିତି ପିଲାମାନଙ୍କ ପାଠପଢ଼ାରେ ସମସ୍ୟା ନହେବ ସେଥିପ୍ରତି ଦୃଷ୍ଟି ଦିଆଯିବା ସମ୍ଭାବନା ରହିଛି ।

  • ଘରୋଇ ସ୍କୁଲରେ ଅନଲାଇନ୍ କ୍ଲାସ୍
  • ସରକାରୀ ସ୍କୁଲରେ କେମିତି ପଢ଼ିବେ ପିଲା?
  • ପାଠପଢ଼ାରେ ପଛେଇଯିବେନି ତ ଛାତ୍ରଛାତ୍ରୀ?

ତେବେ ଗୋଟିଏ ପଟେ ଅସହ୍ୟ ଖରା, ଅନ୍ୟପଟେ ପାଠପଢ଼ା । ଏହାକୁ ନେଇ ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ଅଧିକ ଦିନ ଛୁଟି ଯୋଗୁଁ ପିଲାମାନେ କାଳେ ପାଠପଢ଼ାରେ ପଛେଇ ଯିବେ ଏ ନେଇ ଚିନ୍ତା ପ୍ରକାଶ କରିଛନ୍ତି କିଛି ଅଭିଭାବକ । ଅନ୍ୟପଟେ ପିଲାଙ୍କ ପାଠପଢ଼ାରେ ଯେପରି ଅସୁବିଧା ନହେବ, ଏ ନେଇ କି କି ନିଷ୍ପତି ନେଉଛି ଗଣଶିକ୍ଷା ବିଭାଗ, ତା ଉପରେ ରହିଛି ସମସ୍ତଙ୍କ ନଜର ।