ଅସହ୍ୟ ତାତିରେ ସନ୍ତୁଳି ହେଉଛି ସାରା ରାଜ୍ୟ । ଜନଜୀବନ ଅସ୍ତବ୍ୟସ୍ତ । ୩୬ ଘଣ୍ଟା ପରେ କମିପାରେ ତାପମାତ୍ରା

103

କନକ ବ୍ୟୁରୋ: ସାରା ରାଜ୍ୟକୁ କଲବଲ କଲାଣି ତାତି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଝାରସୁଗୁଡା, ବାରିପଦା, ମୟୂରଭଞ୍ଜ, ଭୁବନେଶ୍ୱର, ଭଳି ସହର ତାପମାତ୍ରା ଅସହ୍ୟ ସ୍ଥିତିରେ ପହଁଚି ଯାଇଛି । ପ୍ରବଳ ତାତି ଯୋଗୁଁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ସେପଟେ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଖରା ଯୋଗୁଁ ଜଳାଶୟ ଶୁଖିବା ପରେ ପଶୁ-ପକ୍ଷୀ ବି ପାଣି ପାଇଁ ଡହଳ ବିକଳ ହେଉଛି । ତେବେ ୩୬ ଘଣ୍ଟା ପରେ ତାତିରୁ ସାମୟିକ ଆଶ୍ୱସ୍ତି ମିଳିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

  • ତାତିରେ ସନ୍ତୁଳି ହେଉଛି ସାରା ରାଜ୍ୟ
  • ୩୬ ଘଣ୍ଟା ପରେ ମିଳିପାରେ ସାମୟିକ ଆଶ୍ୱସ୍ତି

ପ୍ରାୟ ସପ୍ତାହେ ହେଲା ପ୍ରଚଣ୍ଡ ତାତି, ରାଜ୍ୟବାସୀଙ୍କୁ କଲବଲ କରୁଛି । ସକାଳର କଅଁଳ ସୂର୍ଯ୍ୟକିରଣ କଣ ଳୋକେ ଅନୁଭବ କରିପାରୁ ନାହାନ୍ତି । ସକାଳ ୮ଟା ବେଳକୁ ସୂର୍ଯ୍ୟ କିରଣର ପ୍ରକୋପ ଏତେ ହେଉଛି ଯେ ଘରୁ ବାହାରିବାକୁ ଡର ଲାଗୁଛି । ଦେହ, ମୁହଁ ପୋଡି ଯାଉଛି । ୧୧ଟା ବେଳକୁ ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ପାଖରେ ପହଞ୍ଚିଯାଉଛି । ମଧ୍ୟାହ୍ନ ବେଳକୁ ତ ଆକାଶରୁ ନିଆଁ ବର୍ଷା ହେଉଛି । ବିଶେଷକରି ଝାରସୁଗୁଡା, ମୟୂରଭଞ୍ଜ, କଟକ, ଖୋର୍ଦ୍ଧା ଜିଲ୍ଲାରେ ସ୍ଥିତି ଅସହ୍ୟ ହୋଇଛି । ଶୁକ୍ରବାର ମଧ୍ୟ ଆଭ୍ୟନ୍ତରୀଣ ଓଡିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ତେବେ ୩୬ ଘଣ୍ଟା ପରେ ତାତିରୁ ସାମୟିକ ଆଶ୍ୱସ୍ତି ମିଳିପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ । କହିଛନ୍ତି, ଓଡିଶା ଉପକୂଳ ବଙ୍ଗୋପସାଗରର ପାଖାପାଖି ଏକ ଗୁରୁଚାପ ବଳୟ ଆସୁଛି, ତେଣୁ ତା ପ୍ରଭାବରେ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ବାୟୁମଣ୍ଡଳକୁ ପ୍ରବେଶ କରିବ । ତେଣୁ କାଳ ବୈଶାଖୀ ବର୍ଷାର ସମ୍ଭାବନା ରହିଛି ।

କେବଳ ମଣିଷ ନୁହଁନ୍ତି ପଶୁ, ପକ୍ଷୀ, ପାଣି ଡହଳ ବିକଳ ହେଉଛନ୍ତି । ଜଙ୍ଗଲରେ ଥିବା ସମସ୍ତ ଜଳାଶୟ ଶୁଖି ଯାଇଥିବାରୁ ଜଙ୍ଗଲୀ ଜନ୍ତୁଙ୍କ ପାଇଁ ପାଣି ବ୍ୟବସ୍ଥା କରିବା ବନବିଭାଗ ପାଇଁ ଚ୍ୟାଲେଞ୍ଜ ହୋଇଛି । ଖରା ବଢ଼ିବା ପରେ ବିଭିନ୍ନ ପାନୀୟ ଦ୍ରବ୍ୟର ଚାହିଦା ବଢ଼ିବାରେ ଲାଗିଛି । ମୃଦ୍ୟୁ ଥଣ୍ଡା ପାନୀୟ ହେଉ କି, ଆଖୁ ରସ, କି ଦହି, ଲସି ଦୋକାନରେ ଭିଡ ଲଗାଉଛନ୍ତି । କିନ୍ତୁ ଏସବୁ କେତେ ସ୍ୱାସ୍ଥ୍ୟକର ତାହା କାହାକୁ ଜଣାନାହିଁ । ତେବେ ବିଏମସି ପକ୍ଷରୁ ଏସବୁ ପାନୀୟ ବିକ୍ରି ହେଉଥିବା ଦୋକାନରେ ଚଢ଼ାଉ କରାଯିବ ବୋଲି କହିଛନ୍ତି ବିଏମସିର ସ୍ୱାସ୍ଥ୍ୟ ଅଧିକାରୀ ।

ତାତି ବଢ଼ିବା ସହ ଘର ଭିତର ବି ତାତି ଯାଉଛି । ବିଛଣା ଠାରୁ ଆରମ୍ଭ କରି ସବୁଠି ତାତି ଉଠୁଛି । ଯାହାଫଳରେ ବଢ଼ି ଚାଲିଛି ଏସିର ଚାହିଦା । ଲୋକେ ତାତିରୁ ଟିକେ ଆଶ୍ୱସ୍ତି ପାଇଁ ବାଧ୍ୟ ହୋଇ ଘରେ ଏସି ଲଗାଉଛନ୍ତି । ତଥ୍ୟ ଅନୁସାରେ ପୂର୍ବ ତୁଳନାରେ ଏସି ବିକ୍ରି ୩୦ ପ୍ରତିଶତ ବୃଦ୍ଧି ପାଇଛି । ତେବେ କାଳବୈଶାଖୀ ବର୍ଷା ପରେ ତାତିରୁ ସାମୟିକ ଆଶ୍ୱସ୍ତି ମିଳିପାରେ । କିନ୍ତୁ ଏପ୍ରିଲ ମାସରୁ ଯେଉଁଭଳି ତାତି ଅନୁଭୂତ ହୋଇଛି, ମେ ମାସରେ କଣ ହେବ ତାହା ଚିନ୍ତାର ବିଷୟ ।