ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ‘ମୋ ସରକାର’ ଛାଟ : କୁକୁଡ଼ା ଓ ଅଣ୍ଡା ମାଗି ପୁଲିସ ବାବୁ ନିଲମ୍ବିତ

2,356
କନକ ବ୍ୟୁରୋ : ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ତ୍ରାହି ନାହିଁ । ସମ୍ପ୍ରତି ଲୋକଙ୍କ ପ୍ରତି ପ୍ରଶାସନର ଉତ୍ତରଦାୟିତ୍ବ ବୃଦ୍ଧି ପାଇଁ ଆରମ୍ଭ ହୋଇଛି ‘ମୋ ସରକାର’ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ସିଧାସଳଖ ଲୋକଙ୍କ ସହ କଥା ହେଉଛନ୍ତି । ଏହାର ପ୍ରଭାବରେ ବଲାଙ୍ଗୀର ଜିଲ୍ଲାରେ ସଇନ୍ତଲା ଥାନାର ଏଏସ୍‌ଆଇ ଜଗଦୀଶ ମହାନନ୍ଦ ନିଲମ୍ବିତ ହୋଇଛନ୍ତି । ଏହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ସୂଚନା ଅନୁସାରେ, ସଇନ୍ତଲା ଗାଁର ଆଶିଷ ସାହୁଙ୍କ ଉପରେ ଆକ୍ରମଣ ହୋଇଥିଲା । ଗତ ୧୨ ତାରିଖରେ ଆଶିଷଙ୍କ ଅଭିଯୋଗ ଅଧାରରେ ଥାନାରେ ମାମଲା ରୁଜୁ ହୋଇଥିଲା । ଏଏସ୍‌ଆଇ  ମହାନନ୍ଦ ଏହାର ତଦନ୍ତ କରୁଥିଲେ । ତେବେ ଗତ ୩୦ ତାରିଖରେ ‘ମୋ ସରକାର’ କାର୍ଯ୍ୟକ୍ରମ ଅନୁସାରେ ତାଙ୍କ ପାଖକୁ ଫୋନ୍ କଲ୍ ଆସିଥିଲା ।  ଥାନା ଅଧିକାରୀ ବାରିଣୀ ଦାସଙ୍କ ବ୍ୟବହାର ଉତ୍ତମ ଥିବା ଓ ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇମହାନନ୍ଦ ମାଗଣାରେ କୁକୁଡ଼ା ଓ ଅଣ୍ଡା ଆଣିବାକୁ ବାଧ୍ୟ କରିଥିବା ଆଶିଷ କହିଥିଲେ ।
ଫଳରେ ଗତ ୧ ତାରିଖରେ ଏଏସଆଇ ଶ୍ରୀ ମହାନନ୍ଦଙ୍କୁ ବଲାଙ୍ଗୀର ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ହାଜିରା ଦେବାକୁ ନିର୍ଦେଶ ଦିଆଯାଇଥିଲା । ଏହି ଘଟଣା କ୍ରମରେ ଶୁକ୍ରବାର ବଲାଙ୍ଗୀର ଏସ୍‌ପି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣାଯାଇଛି । ଏ ସମ୍ପର୍କରେ ଏଏସ୍‌ଆଇ ମହାନନ୍ଦଙ୍କୁ ପଚାରିବାରୁ ଉଦ୍ଦେଶ୍ୟମୂଳକ ଭାବରେ ତାଙ୍କ ବିରୋଧରେ ଅଭିଯୋଗକାରୀ ମିଥ୍ୟା ତଥ୍ୟ ଦେଇଥିବା କହିଛନ୍ତି ।