ସଚିନ ପାଇଲଟଙ୍କ ଜନ ସଂଘର୍ଷ ଯାତ୍ରାକୁ ନେଇ ଚିନ୍ତାରେ କଂଗ୍ରେସ, ଦିଲ୍ଲୀରେ ପହଁଚି ହାଇକମାଣ୍ଡଙ୍କୁ ଭେଟିଲେ ରାଜସ୍ଥାନ କଂଗ୍ରେସ ପ୍ରଭାରୀ

141

କନକ ବ୍ୟୁରୋ : ନିଜ ରାଜ୍ୟ ସରକାରଙ୍କ ବିରୋଧରେ ମୋର୍ଚ୍ଚା ବାହାର କରିଛନ୍ତି ସଚିନ ପାଇଲଟ । ବେଶ କିଛି ଦିନ ହେବ ରାଜସ୍ଥାନ ରାଜନୀତିରେ ପାଇଲଟ-ଗେହଲଟ ମତଭେଦ ବେଶ ଚର୍ଚ୍ଚାରେ ରହିଥିବାବେଳେ ଏବେ ପୁଣି ଖବରରେ ପାଇଲଟଙ୍କ ଜନ ସଂଘର୍ଷ ଯାତ୍ରା । ୧୧ ତାରିଖରୁ ଆରମ୍ଭ ହୋଇଥିବା ଯାତ୍ରା ଶୁକ୍ରବାର ୨ୟ ଦିନରେ ପହଁଚିଛି । ଶହ ଶହ ସମର୍ଥକଙ୍କୁ ନେଇ ଜୟପୁର ଅଭିମୁଖେ ପାଇଲଟ ଯାତ୍ରା ଜାରି ରଖିଛନ୍ତି । ରାଜ୍ୟରେ ଘଟୁଥିବା ଦୁର୍ନିତୀର ବିରୋଧରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ଆଣି ପାଇଲଟ ଏହି ସଂଘର୍ଷ ଯାତ୍ରା କରୁଥିବା କହିଛନ୍ତି । କିନ୍ତୁ ଦଳ ଏହାକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିଛି ।

ସେପଟେ ରାଜସ୍ଥାନ କଂଗ୍ରେସ ପ୍ରଭାରୀ ସୁଖଜିନ୍ଦର ଜିଂ ରାନ୍ଧୱା ଦିଲ୍ଲୀରେ ପହଁଚି ହାଇକମାଣ୍ଡଙ୍କୁ ଭେଟିଛନ୍ତି । ହାଇକମାଣ୍ଡ ବାରମ୍ବାର ପାଇଲଟଙ୍କୁ ତାଗିଦ ମଧ୍ୟ କରୁଛନ୍ତି । କିନ୍ତୁ କାହା କଥା ଶୁଣିବା ବଦଳରେ ପାଇଲଟ ନିଜ ଜିଦରେ ଅଟଳ ରହିଛନ୍ତି । ତେଣୁ ଆଗକୁ ପାଇଲଟଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନା ନିରବଦ୍ରଷ୍ଟା ସାଜିବ ସେକଥା ସମୟ କହିବ । ସେପଟେ ରାଜସ୍ଥାନ କଂଗ୍ରେସର ଦଳୀୟକନ୍ଦଳ ନେଇ ପ୍ରତିକ୍ରିୟା ରଖିଛି ବିଜେପି ।

ଜନ ସଂଘର୍ଷ ଯାତ୍ରାକୁ ନେଇ ବିଭିନ୍ନ ଆକଳନ କରାଯାଉଛି । କିଏ ଏହାକୁ ଦଳୀୟ କନ୍ଦଳର ତାଜା ଚିତ୍ର କହୁଛି ତ ପୁଣି କିଏ କହୁଛି ପାଇଲଟ-ଗେହଲଟ ବିବାଦ ପଦାରେ ପଡିଛି । ସବୁ ଭିତରେ ସଚିନ ପାଇଲଟ କହିଛନ୍ତି ତାଙ୍କର ଏହି ଯାତ୍ରା କାହା ବିରୋଧରେ ନୁହେଁ ବଂର ଦୁର୍ନିତୀ ବିରୋଧରେ । ସେପଟେ ଦଳ ମଧ୍ୟ ଏନେଇ ପ୍ରତିକ୍ରିୟା ନଦେଇ ସେଫ ଜୋନରେ ଖେଳିବା ଶ୍ରେୟ ମଣିଛି ।