ପଞ୍ଜିକରଣ ହୋଇନି ପ୍ରାୟ ୫ହଜାର ଆପାର୍ଟମେଣ୍ଟ: ବର୍ଷେ ହେଲା ଗ୍ରାହକଙ୍କୁ ମିଳୁନି ଘର, କ୍ଷତି ସହୁଛି ରିଅଲ ଇଷ୍ଟେଟ୍

290

କନକ ବ୍ୟୁରୋ: ଗତ ବର୍ଷ ମେ’ ମାସରେ ସାଧାରଣ ସ୍ଥାନଗୁଡ଼ିକୁ ଆପାର୍ଟମେଂଟ ମାଲିକ ସଂଘକୁ ହସ୍ତାନ୍ତର କରା ନଗଲେ ସେଲ୍ ଡିଡ୍ ପଂଜିକରଣକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ବର୍ଷେ ପୂରିଗଲା, କିନ୍ତୁ ଆପାର୍ଟମେଂଟ ପାଇଁ ନୂଆ ଆଇନ କରିପାରିଲେନି ସରକାର । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବଜେଟ ଅଧିବେସନରେ ଓଡ଼ିଶା ଆପାର୍ଟମେଂଟ ମାଲିକାନା ବିଲ୍-୨୦୨୩ ଆସିଥିଲା । କିନ୍ତୁ ତାକୁ ଶେଷ ମୁହୂର୍ତରେ ପ୍ରତ୍ୟାହାର କରି ନିଆଯାଇଥିଲା । ଫଳରେ ସ୍ୱପ୍ନର ଘର ପାଇଁ ଅପେକ୍ଷା କରିଥିବା ଗ୍ରାହକ ନିରାଶ ହେବା ସହ ଆପାର୍ଟମେଂଟ କ୍ରୟ-ବିକ୍ରୟ ଠପ ହୋଇଯାଇଛି ।

୨୦୨୧ ଓଡ଼ିଶା ଆପାର୍ଟମେଂଟ ଓନରସିପ୍ ଆମେଣ୍ଡମେଂଟ ରୁଲ୍ସକୁ ଚ୍ୟାଲେଂଜ କରିିଥିଲେ ବିମଳେନ୍ଦୁ ପ୍ରଧାନ । ଏହା ରିଅଲ୍ ଇଷ୍ଟେଟ୍ ରେଗୁଲେସନ୍ ଓ ଡେଭେଲୋପ୍ମେଂଟ ଆକ୍ଟ-୨୦୧୬ ବା ରେରାର ବିରୋଧାଚରଣ କରୁଥିବା ଅଭିଯୋଗ କରି ହାଇକୋର୍ଟରେ ସେ ପିଟିସନ୍ ଦାୟର କରିଥିଲେ ।

ଓଡ଼ିଶା ଆପାର୍ଟମେଂଟ ମାଲିକାନା ବିଲ୍-୨୦୨୩କୁ କ୍ୟାବିନେଟ୍ ମଂଜୁରୀ ମିଳିବା ପରେ ଅପାର୍ଟମେଂଟ ମାଲିକଙ୍କ ମନରେ ନୂଆ ଆଶା ଭରି ଯାଇଥିଲା । ଏଥିରେ ଆପାର୍ଟମେଂଟର କମନ୍ ଏରିଆ ଯଥା- ଷ୍ଟେୟାର୍ କେସ୍, ଖେଳ ପଡିଆ, ପାର୍କିଂ, ସୁଇମିଂ ପୁଲ୍ ଆଦି ସ୍ଥାନ ମାଲିକ ସଂଘ ନାଁରେ ପଂଜିକୃତ ହେବ ବୋଲି କୁହାଯାଇଥିଲା । କିନ୍ତୁ ଏହି ବିଲ୍କୁ ସରକାର ଫେରାଇ ନେବା ପରେ ଉଭୟ ଗ୍ରାହକ ଓ ବିଲ୍ଡର କ୍ଷତି ସହୁଛନ୍ତି । ଏହାସହ ସରକାର ବି ରାଜସ୍ୱ ହରାଉଛନ୍ତି ।