ଘନଉଛି ରୁଷ ଓ ୟୁକ୍ରେନ ଯୁଦ୍ଧ । ଘନଘନ ମିସାଇଲ ଆକ୍ରମଣରେ ୫ରୁ ଅଧିକ ମୃତ, ଶତାଧିକ ଆହତ

92

କନକ ବ୍ୟୁରୋ: ଘନଉଛି ରୁଷ ଓ ୟୁକ୍ରେନ୍ ଯୁଦ୍ଧ । କ୍ରିମିଆ ବ୍ରିଜ୍ ବିସ୍ଫୋରଣ ପରେ ପ୍ରତିଶୋଧ ପରାୟଣ ହୋଇପଡ଼ିଛି ରୁଷ । ରୁଷର ଏକାଧିକ ମିସାଇଲ୍ ଆକ୍ରମଣରେ ଦୋହଲିଛି ୟୁକ୍ରେନ୍ । ୟୁକ୍ରେନର ରାଜଧାନୀ କିଭ୍ ସମେତ ବଭିନ୍ନ ସହର ପୁଣିଥରେ ଥରି ଉଠିଛି । ୟୁକ୍ରେନର କିଭ ଉପରେ ଘନଘନ ଆକ୍ରମଣ କରିଛି ରୁଷ । କେଉଁଠି ପିଲାଙ୍କ ଖେଳପଡିଆ ଧ୍ୱଂସ ହୋଇଛି, ତ ଆଉ କେଉଁଠି ବଡ ଅଟ୍ଟାଳିକାକୁ ରୁଷର ମିସାଇଲ ମାଡରେ କ୍ଷତିଗ୍ରସ୍ତ କରିଛି ।

ଏମିତିକି ରାସ୍ତା ଉପରେ ମଧ୍ୟ ରୁଷ ମିସାଇଲ୍ ମାଡ କରିଛି । ଯାହାଫଳରେ ରାସ୍ତାରେ ଯାଉଥିବା କିଛି ଗାଡି ଜଳୁଥିବାର ଚିତ୍ର ସାମନାକୁ ଆସିଛି । ତେବେ ଆକ୍ରମଣ ପରେ କେବଳ କିଭରେ ୫ ୟୁକ୍ରେନ୍ ନାଗରିକଙ୍କ ଜୀବନ ଯାଇଥିବାବେଳେ ୧୨ ଜଣ ଆହତ ହେଇଥିବା ନେଇ ୟୁକ୍ରେନ ତରଫରୁ କୁହାଯାଇଛି । ବଡ଼ କଥା ହେଉଛି ଗତ ୨୪ ଘଣ୍ଟା ଭିତରେ ରୁଷ୍ ୭୫ ମିଜାଇଲ ଆକ୍ରମଣ କରିଛି । ବିଶେଷକରି କିଭ, ଲେଭିଭ, ଦିନପ୍ରୋ ଅଧିକ କ୍ଷତିଗ୍ରସ୍ତ ହୋଇଛି ।

ଅନ୍ୟପଟେ ୟୁକ୍ରେନ ସେନା ତରଫରୁ ଉଦ୍ଧାର କାର୍ଯ୍ୟ ଜାରିରହିଛି । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ଜଳୁଥିବା ଗାଡି ଓ ଅଟ୍ଟାଳିକାର ନିଆଁକୁ ଆୟତ୍ତ କରାଯାଇଛି । ସେପଟେ ଆମେରିକା ବୈଦେଶିକ ମନ୍ତ୍ରାଳୟ ସଚିବ ଜେମ୍ସ କ୍ଲେଭରଲି କହିଛନ୍ତି, ୟୁକ୍ରେନ୍ ଉପରେ ମିଜାଇଲ ମାଡ଼, ପୁଟିନଙ୍କ ଦୁର୍ବଳତା ଦର୍ଶାଉଛି । ୟୁକ୍ରେନ୍ ଉପରେ ଆକ୍ରମଣ କେତେବେଳେ ବି ଗ୍ରହଣୀୟ ନୁହେଁ । ସେହିପରି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଦେଶକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ଉଦ୍ୟମ କରୁଛି ରୁଷ । ୟୁକ୍ରେନର ଜନବସତି ଓ ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରି ମସ୍କୋ ସେନା ଘନଘନ ବୋମାମାଡ଼ କରୁଛନ୍ତି ।

କାହିଁକି ମିଜାଇଲ ମାଡ଼ କରୁଛି ରୁଷ୍?

-ପୂର୍ବ ୟୁକ୍ରେନରେ ଲଗାତର ଦୁର୍ବଳ ହେଉଛନ୍ତି ରୁଷୀୟ ସେନା
-ଦକ୍ଷିଣ ୟୁକ୍ରେନରେ ମଧ୍ୟ ଦୁର୍ବଳ ହେଉଛନ୍ତି ରୁଷୀୟ ସେନା
-ରୁଷ୍ କବଜାରେ ଥିବା ଖାରକିଭକୁ ମୁକ୍ତ କରିସାରିଛି ୟୁକ୍ରେନ୍
-ଡୋନବାସରେ ଲଗାତର ଆଗକୁ ବଢ଼ୁଛନ୍ତି ୟୁକ୍ରେନ୍ ସେନା
-ଡୋନବାସରେ ରୁଷୀୟ ସେନାର ମୁଖ୍ୟ ସପ୍ଲାଏ ରୁଟରେ ୟୁକ୍ରେନର କବଜା
-ରୁଷୀୟ ସେନାକୁ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ସମସ୍ୟା