ବୟାନକୁ ନେଇ ଚର୍ଚ୍ଚାରେ ଆରଏସଏସ ମୁଖ୍ୟ, ଜାତିପ୍ରଥାକୁ ନେଇ ଦେଲେ ବଡ ବୟାନ

238

କନକ ବ୍ୟୁରୋ : ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ତଥା ଆରଏସଏସ ମୁଖ୍ୟ ମୋହନ ଭାଗବତ ପୁଣି ନିଜର ଏକ ବୟାନକୁ ନେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି । ଶୁକ୍ରବାର ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାଗବତ ଏଭଳି ଏକ ବୟାନ ଦେଇଛନ୍ତି , ଯାହାକୁ ନେଇ ପୁଣି ଆରମ୍ଭ ହୋଇଛି ତର୍କ ବିର୍ତକ । ଆରଏସଏସ ମୁଖ୍ୟ କହିଛନ୍ତି, ସମାଜର ହିତ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ସମୟ ଆସିଛି । ଜାତିପ୍ରଥା ଓ ବର୍ଣ୍ଣ ବୈଷମ୍ୟ ବ୍ୟବସ୍ଥା ଦେଶରୁ ହଟିବା ଉଚିତ । କାରଣ ଏହା ପୁରୁଣା ପୀଢୀର ଚିନ୍ତାଧାରା ଅଟେ । ଯେଉଁ ନାଗରିକମାନେ ଦେଶର ବିକାଶ ଚାହୁଁଛନ୍ତି ,ସେମାନେ ପ୍ରଥମେ ଜାତିପ୍ରଥା ଓ ସଂରକ୍ଷଣକୁ ଶେଷ କରିବାକୁ ଚେଷ୍ଟା କରୁନ୍ତୁ । ଯେଉଁ ଜିନିଷ ମଣିଷ ଭିତରେ ଭେଦଭାବ ସୃଷ୍ଟି କରୁଛି ତାକୁ ନାଗରିକମାନେ ସମ୍ପୂର୍ଣ୍ଣ ଭାବେ ଖାରଜ କରିବା ଉଚିତ ।

ମୋହନଭାଗବତଙ୍କ ଏହି ବୟାନକୁ ଦେଶର ସଂରକ୍ଷଣ ବ୍ୟବସ୍ଥା ସହ ଯୋଡାଯାଉଛି । କାରଣ ଦେଶରେ ସଂରକ୍ଷଣ ବ୍ୟବସ୍ଥା ଜାତିଗତ ଆଧାରରେ ହୋଇଥାଏ । କୁହାଯାଉଛି ଭାଗବତ ଜାତିପ୍ରଥା ଶେଷ କରିବା କଥା କହି ପରୋକ୍ଷରେ ଦେଶରୁ ସଂରକ୍ଷଣ ବ୍ୟବସ୍ଥା ହଟାଇବାକୁ ଇସାରା ଦେଇଛନ୍ତି ।

ଏହା ପ୍ରଥମ ଘଟଣା ନୁହେଁ ଯେବେ ଆରଏସଏସ ମୁଖ୍ୟ ସଂରକ୍ଷଣ ହଟାଯିବା ସପକ୍ଷରେ ମତ ରଖିଛନ୍ତି ।

• ୨୦୧୫ ମସିହାରେ କେନ୍ଦ୍ର ସରକାରଙ୍କୁ ସଂରକ୍ଷଣ କମିଟି ଗଠନ କରିବା ପାଇଁ ଅପିଲ କରିଥିଲେ ମୋହନ ଭାଗବତ ।
• ମୋହନ ନିଜର ମତାମତ ରଖି କହିଥିଲେ ଏହି କମିଟି ସ୍ଥିର କରିବ କି କେତେ ଲୋକଙ୍କୁ ସଂରକ୍ଷଣ ମିଳିବ ଓ ଏହାର ଅବଧି କେତେଦିନ ପର୍ଯ୍ୟନ୍ତ ରହିବ ।
• ୨୦୧୯ ମସିହାରେ ରାଜସ୍ଥାନ ଜୟପୁରରେ ସଂଘରର ପ୍ରଚାର କାର୍ଯ୍ୟକ୍ରମ କହିଥିଲେ କି ସଂରକ୍ଷଣ ଦେଶରେ ଅଲଗାବାଦକୁ ପ୍ରୋତ୍ସାହିତ କରୁଛି ତେଣୁ ଏହାକୁ ଶେଷ କରିବା ଉଚିତ ।
• ୨୦୧୯ ମସିହା ଅଗଷ୍ଟ ମାସରେ ଦିଲ୍ଲୀ ଜ୍ଞାନ ଉତ୍ସବରେ ମୋହନ କହିଥିଲେ କି ଯେଉଁମାନେ ସଂରକ୍ଷଣକୁ ସମର୍ଥନ କରୁଛନ୍ତି ସେମାନେ ସଂରକ୍ଷଣ ବିରୋଧୀଙ୍କୁ ଦୃଷ୍ଟି ରଖି ମଧ୍ୟ ଆଲୋଚନା କରିବା ଆବଶ୍ୟକ

କିଛି ଦିନ ହେବ ଆରଏସଏସ ମୁଖ୍ୟ ନିଜର ଅନେକ ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଭାଗବତ ଦେଶରେ ବୃଦ୍ଧି ପାଉଥିବା ବେକାରୀ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ମହିଳାଙ୍କ ଉନ୍ନତି, ସଂଖ୍ୟାଲଘୁ ସୁରକ୍ଷା, ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଏଭଳି ପ୍ରସଙ୍ଗ ଉପରେ ନିଜର ମତାମତ ରଖି କେତେବେଳେ ବିବାଦ ଓ କେବେ ଚର୍ଚ୍ଚାକୁ ଆସିଛନ୍ତି ମୋହନ ଭାଗବତ ।