ଭାରତ ବନାମ ନ୍ୟୁଜିଲାଣ୍ଡ । ଟସ୍ ଜିତି ପ୍ରଥମେ ବୋଲିଂ କରିବ ଭାରତ, ବାଦ୍ ପଡ଼ିଲେ ହାର୍ଦ୍ଦିକ ଓ ଶାର୍ଦ୍ଦୁଳ, ସୂର୍ଯ୍ୟକୁମାର ଓ ଶାମି ସାମିଲ ।

202

କନକ ବ୍ୟୁରୋ: ସୁପର ସଣ୍ଡେର ସୁପର ମୁକାବିଲା । ଟସ୍ ଜିଣି ଭାରତର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ ଦଳ । ତେବେ ଆଜିର ମ୍ୟାଚରୁ ହାର୍ଦ୍ଦିକ ଓ ଶାର୍ଦ୍ଦୁଳ ବାଦ୍ ପଡ଼ିଥିବାବେଳେ ଚୂଡ଼ାନ୍ତ ଏକାଦଶରେ ସୂର୍ଯ୍ୟକୁମାର ଓ ମହମ୍ମଦ ଶାମି ସାମିଲ ହୋଇଛନ୍ତି । ସେପଟେ ନ୍ୟୁଜିଲାଣ୍ଡ ଏକାଦଶରେ ଅପରିବର୍ତ୍ତିତ ରହିଛି ।

ଚଳିତ ବିଶ୍ୱକପ୍ କ୍ରିକେଟରେ ଆଜି ସବୁଠୁୁ ବଡ଼ ମୁକାବିଲା । ଧର୍ମଶାଳାରେ ଦୁଇ ଅପରାଜେୟ ଟିମ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଲଢେଇ । ଉଭୟ ୪ଟି ଲେଖାଏଁ ମ୍ୟାଚ ଜିତି ସାରିଥିବାଥିବା ବେଳେ ଆଜି ପଏଂଟ ଟେବୁଲରେ ଶୀର୍ଷରେ କିଏ ତାହା ପାଇଁ ଲଢେଇ ହେବ । ଉଭୟ ଟିମ ଫର୍ମରେ ଥିବା ବେଳେ ବଡ଼ ସ୍କୋର ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ସନ୍ଧ୍ୟା ବେଳେ ବୋଲରଙ୍କୁ ଅଧିକ ସୁଇଙ୍ଗ୍ ମିଳୁଛି ।

ନ୍ୟୁଜିଲ୍ୟାଣ୍ଡ ପାଖରେ ଡେଭନ କନୱେ, ରାଚିନ ରବୀନ୍ଦ୍ର, ୱିଲ ୟଙ୍ଗ୍, ଡାରେଲ ମିଚେଲ ଭଳି ବ୍ୟାଟିଂ ଲାଇନଅପ ରହିଥିବା ବେଳେ ଭାରତ ପାଖରେ ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି, ଲୋକେଶ ରାହୁଲଙ୍କ ଭଳି ବ୍ୟାଟର ଅଛନ୍ତି । ତେବେ ଆଜିର ମ୍ୟାଚରେ ବର୍ଷା ବାଧକ ସାଜିପାରେ । ପାଣିପାଗ ରିପୋର୍ଟ ଅନୁଯାୟୀ ସନ୍ଧ୍ୟା ସମୟରେ ୧୯ ପ୍ରତିଶତ ବର୍ଷା ହେବା ଆଶଙ୍କା ରହିଛି । ବିଶ୍ୱକପରେ ଭାରତ- ନ୍ୟୁଜିଲାଣ୍ଡ ମଧ୍ୟରେ ୫ ଥର ମୁକାବିଲା ହୋଇଥିବା ବେଳେ ତିିନି ଥର ନ୍ୟୁଜିଲାଣ୍ଡ ଦୁଇ ଥର ଭାରତ ବିଜୟୀ ହୋଇଛନ୍ତି । ଶେଷ ଥର ପାଇଁ ୨୦୦୩ ରେ ନ୍ୟୁଜିଲାଣ୍ଡକୁ ବିଶ୍ୱକପରେ ହରାଇଥିଲା ଭାରତ । ୨୦ ବର୍ଷ ପରେ ଆଜି ପୁଣି ଭାରତ ବିଜୟୀ ହେବ ବୋଲି ଆଶା ରଖିଛନ୍ତି ଭାରତୀୟ ପ୍ରସଂଶକ ।