ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା : ଅବପାତରୁ ଗଭୀର ଅବପାତର ରୂପ ନେଉଛି ସୃଷ୍ଟ ଲଘୁଚାପ

1,287

କନକ ବ୍ୟୁରୋ : ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ପାଣିପାଗ ବିଭାଗର ସୂଚନା ମୁତାବକ, ଅବପାତ ଏବେ ପାରାଦୀପ ଠାରୁ ଦକ୍ଷିଣରେ ପ୍ରାୟ ୬୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଆହୁରି ଘନିଭୂତ ହୋଇ ଆଜି ରାତି ସୁଦ୍ଧା ଗଭୀର ଅବପାତର ରୂପ ନେବାର ସମ୍ଭବନା ରହିଛି । ଆସନ୍ତାକାଲି ରାତି ବେଳେକୁ ଏକ ଦୁର୍ବଳ ବାତ୍ୟାର ରୁପ ନେଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଏହି ସମୟରେ ସମୁଦ୍ର ଭିତରେ ପବନର ବେଗ ୫୦ରୁ ୬୦ କିଲୋମିଟର ରହିବ । ପବନର ସର୍ବାଧିକ ବେଗ ୮୦ କିଲୋମିଟର ରହିବ । ଏହାର ପ୍ରଭାବରେ ସ୍ଥଳଭାଗରେ ମଧ୍ୟ ପବନର ବେଗ ୪୦ରୁ ୫୦ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଆଜି ମଧ୍ୟାହ୍ନରୁ ସକ୍ରିୟ ଅବପାତ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତିକରି ପଶ୍ଚିମବଙ୍ଗ ସୁନ୍ଦରବନ କିମ୍ବା ବାଂଲାଦେଶ ଉପକୂଳ ଆଡକୁ ଯିବାର ସମ୍ଭବନା ରହିଛି । ଓଡିଶା ଉପକୂଳଠୁ ପ୍ରାୟ ୮୦ କିମି ଦୂରତାରେ ସମୁଦ୍ର ଭିତରେ ଉତର-ଉତର ପୂର୍ବ ଦିଗରେ ଗତି କରିବ, ତେଣୁ ଓଡ଼ିଶା ଉପରେ ବିଶେଷ ପ୍ରଭାବ ପଡିବ ନାହିଁ । କିନ୍ତୁ ନବମୀ ସନ୍ଧ୍ୟା ଏବଂ ଦଶମୀରେ ବର୍ଷା ହେବାର ଆଶଙ୍କା ରହିଛି ।

ଯାହାର ପ୍ରଭାବ ବିଶେଷକରି ଉପକୂଳ ଓଡ଼ିଶାରେ ପଡିବ । ନବମୀ ଏବଂ ଦଶମୀରେ ହାଲୁକା ବର୍ଷା ହୋଇପାରେ । ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଅବଶିଷ୍ଟ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ସେହିପରି ୨୩ ତାରିଖରେ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ମୟୁରଭଂଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ. କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୪ ଓ ୨୫ ତାରିଖରେ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।