ଲୁଟେରାଙ୍କ ଭୂସ୍ୱର୍ଗ ଭୁବନେଶ୍ୱର: ରାତି ଅଧରେ ଏଟିଏମ ତାଡିଲେ, ଟଙ୍କା ଲୁଟିଲେ

116

କନକ ବ୍ୟୁରୋ: ରାଜ୍ୟରେ ମାତିଛନ୍ତି ଏଟିଏମ୍ ଲୁଟେରା । ଗ୍ରାମାଂଚଳ କଥା ଛାଡନ୍ତୁ ଖୋଦ୍ ରାଜଧାନୀର ଜନଗହଳିପୂର୍ଣ୍ଣ ଅଂଚଳରେ ଥିବା ଏଟିଏମ ବି ସୁରକ୍ଷିତ ନୁହେଁ । ଗତକାଲି ରାତିରେ ଲିଙ୍ଗରାଜ ମନ୍ଦିର ପାଖରେ ଥିବା ଏସବିଆଇ ଏଟିଏମକୁ ତାଡି ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି ଲୁଟେରା । ସବୁଠାରୁ ବଡ କଥା ହେଲା, ଖୋଦ୍ ଏସବିଆଇ ଏଟିଏମରେ ସୁରକ୍ଷା କର୍ମୀ ମୁତୟନ ନଥିଲେ । ଆଉ ଏହାର ଫାଇଦା ଉଠାଇ ମାତିଛନ୍ତି ଲୁଟେରା ।

କୁହାଯାଏ ଏସବିଆଇ ଏଟିଏମରେ ସୁରକ୍ଷା ବ୍ୟବସ୍ଥା କଡା ରହିଥାଏ । ସିସିଟିଭି ବି ନଜର ରଖିଥାଏ । କିନ୍ତୁ ଭବନେଶ୍ୱରର ଜନଗହଳିପୂର୍ଣ୍ଣ ଅଂଚଳରେ ବି ଲୁଟେରା ଏହି ଏଟିଏମକୁ ଛାଡିନାହାନ୍ତି । ରାତି ଅଧରେ ଚୋରି କରି ପୋଲିସକୁ କଡା ଚ୍ୟାଲେଞ୍ଜ ଦେଉଛନ୍ତି । ଏଟିଏମରୁ ପାଖାପାଖି ୧୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ସକାଳୁ ଏହି ଖବର ପାଇବା ପରେ ଘଟଣା ସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଅଧିକାରି ପହଞ୍ଚି ତଦନ୍ତ ଅ।।ରମ୍ଭ କରିଛନ୍ତି ।

ବିଳମ୍ବିତ ରାତିରେ ରାସ୍ତାଘାଟ ଶୁନଶାନ ହୋଇଯିବା ପରେ ମାତିଥିଲେ ଲୁଟେରା ।
-ପ୍ରଥମେ ଏଟିଏମ ବାହାରେ ଜଳୁଥିବା ଲାଇଟରେ କଳାରଙ୍ଗର ସ୍ପ୍ରେ ମାରିଥିଲେ
-ଏହାପରେ ଏଟିଏମ ସାମ୍ନା ଅନ୍ଧାର ହୋଇଯାଇଥିଲା
-ଭିତରକୁ ଯାଇ ସିସିଟିଭିକୁ ମଧ୍ୟ ସ୍ପ୍ରେ ମାରି ବନ୍ଦ କରିଥିଲେ
-ପରେ ଏଟିଏମକୁ ଗ୍ୟାସ କଟରରେ କାଟି ଟଙ୍କା ନେଇଯାଇଥିଲେ

ସବୁଠାରୁ ବଡ କଥା ହେଲା, ଏସବିଆଇ ବ୍ୟାଙ୍କ ଏଟିଏମରେ କୌଣସି ସୁରକ୍ଷା କର୍ମୀ ନଥିଲେ । ଆଉ ଏହାର ଫାଇଦା ଉଠାଇ କଳାକନା ବୁଲାଇଥିଲେ ଲୁଟେରା । ଲୁଟେରାଙ୍କୁ ଧରିବା ପାଇଁ କମିଶନରେଟ ପୁଲିସ ଜୋରଦାର ଉଦ୍ୟମ ଆରମ୍ଭ କରିଛି । ଲିଙ୍ଗରାଜ ଥାନା ପୁଲିସ ଓ ସ୍ୱତନ୍ତ୍ର ସ୍କାର୍ଡର ଟିମ ଲୁଟେରାଙ୍କୁ କାବୁ କରିବାକୁ ଜାଲ ବିଛାଇଛନ୍ତି । ପ୍ରଶ୍ନ ଉଠୁଛି
-କଣ ପାଇଁ ଏଟିଏମଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି ହେଉନାହିଁ ?
-ଖୋଦ ରାଜଧାନୀର ଅଧିକାଂଶ ଏଟିଏମରେ ସୁରକ୍ଷା ଗାର୍ଡ ରହୁନାହାନ୍ତି?
-ରାତିରେ ପୁଲିସ ଠିକ୍ ଭାବେ ପାଟ୍ରୋଲି କରୁଛି ନା ନାହିଁ?

କେବଳ ଏହି ଘଟଣା ନୁହେଁ , ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଟ, ଚୋରି ଓ ଡକାୟତି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ଆଉ ଏହା କମିଶନରେଟ ପୁଲିସ ପାଇଁ ମୁଣ୍ଡବ୍ୟଥା ପାଲଟିଛି ।