୧୦ ହଜାର ଯୁବକଙ୍କୁ ଦିଆଯିବ ନିଯୁକ୍ତି: ଫୋକସରେ ଗ୍ରାମାଞ୍ଚଳ ଯୁବକ

8,347

କନକ ବ୍ୟୁରୋ: ସରକାରଙ୍କ ଫୋକସରେ ଗ୍ରାମାଂଚଳ ଯୁବକ । ଖୁବଶୀଘ୍ର ଗାଁ ଗହଳିର ୧୦ ହଜାର ଯୁବକଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଦେବ ରାଜ୍ୟ ପଂଚାୟତରାଜ ବିଭାଗ । ପାଣି ପାଇପ କାମ, ପମ୍ପ ଅପରେଟର, ସୌର ପାନୀୟ ଜଳ ଯୋଗାଣ ଏବଂ ବିଦ୍ୟୁତ ମରାମତି କାର୍ଯ୍ୟରେ ନିୟୋଜିତ କରିବା ନେଇ ଜିଲ୍ଲାପାଳ, ବିଡିଓ, ସର୍ବୋଚ୍ଚ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି । ସେପଟେ ୨୦୨୪ ନିର୍ବାଚନକୁ ନଜରରେ ଏଭଳି ନିଯୁକ୍ତି ଦିଆଯାଉଥିବା ଅଭିଯୋଗ କରିଛନ୍ତି ବିରୋଧୀ ।

ଗ୍ରାମାଚଂଳରେ ୧୦ ହଜାର ଯୁବକଙ୍କୁ ଖୁବଶୀଘ୍ର ନିଯୁକ୍ତି ଦେବ ରାଜ୍ୟ ପଂଚାୟତରାଜ ବିଭାଗ । ଏ ନେଇ ବିଭାଗ ପକ୍ଷରୁ ଜିଲ୍ଲାପାଳ, ବିଡିଓ, ସର୍ବୋଚ୍ଚ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି । ୧୦ ହଜାର ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି କରି ପାଣି ପାଇପ କାମ, ପମ୍ପ ଅପରେଟର, ସୌର ପାନୀୟ ଜଳ ଯୋଗାଣ ଏବଂ ବିଦ୍ୟୁତ ମରାମତି କାର୍ଯ୍ୟରେ ନିୟୋଜିତ କରିବେ ରାଜ୍ୟ ସରକାର । ସରକାରଙ୍କ ପକ୍ଷରୁ ବସୁଧା, ଜଳ ଜୀବନ ମିସନର ଦୈନନ୍ଦିନ ପଚିଚାଳନା ଓ ଦେଖାଶୁଣା କରିବେ ଗାଁର ଯୁବକ । ପ୍ରତ୍ୟେକ ପଂଚାୟତରେ ଦୁଇ ଜଣଙ୍କୁ ଅସ୍ଥାୟୀ ନିଯୁକ୍ତି ଦିଆଯିବ । ସମ୍ପୃକ୍ତ ଯୁବକଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥିବ । ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ରହିଛି ଅଷ୍ଟମ ଶ୍ରେଣୀ ପାସ । ଯୁବକଙ୍କୁ ମନୋନୟନ କରି ନିଯୁକ୍ତ କରିବେ ବିଡିଓ ।

ଅସ୍ଥାୟୀ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଲା ବିଜେପି?
ଗ୍ରାମାଚଂଳର ଯୁବକ ହେବେ ଆତ୍ମନିର୍ଭରଶୀଳ: ବିଜେଡି
ନିର୍ବାଚନକୁ ଦୃଷ୍ଟିରେ ଏଭଳି ନିଯୁକ୍ତି ଦିଆଯାଉଛି ବୋଲି ଅଭିଯୋଗ କରିଛି ବିଜେପି । ଏହାର ଜବାବରେ ବିଜେଡି କହିଛି, ଗାଁର ଯୁବକ ନିଯୁକ୍ତି ପାଇବେ, ଫଳରେ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ।

୨୦୧୯ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିଲା ବିଜୁ ଯୁବବାହିନୀ । କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା । କୁହାଯାଇଥିଲା ଏହି କାର୍ଯ୍ୟକ୍ରମ ଯୁବବର୍ଗଙ୍କୁ ସଶକ୍ତ କରିବ । କିଛି ବର୍ଷ ପରେ ଏହି ସ୍କିମ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ସେତେବେଳେ ବି ବିରୋଧୀ ଅଭିଯୋଗ କରିଥିଲେ ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି ଯୋଜନା ହାତକୁ ନେଇଥିଲେ ସରକାର ।