ଚାଷୀ ପାଇଁ ଚକା ଜାମ୍ ! ଋଣ ଛାଡ ଓ ଧାନର ଉଚିତ ମୂଲ୍ୟ ଦାବିରେ ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ

30

କନକ ବ୍ୟୁରୋ : ରାସ୍ତାକୁ ଓହ୍ଲାଇଲେ ସାରା ରାଜ୍ୟର ଚାଷୀ । ମଧ୍ୟପ୍ରଦେଶରେ ଏକ ବଡ଼ ଧରଣର ଚାଷୀ ଆନ୍ଦୋଳନ ପରେ ଓଡିଶାରେ ମଧ୍ୟ ଉଚିତ ମୂଲ୍ୟ ଓ କୃଷି ଋଣ ଛାଡ ଦାବି ଜୋର୍ ଧରିଛି । ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ୨୮ ଟି ଜିଲ୍ଲାରେ ଆଜି ଆନ୍ଦୋଳନ କରାଯାଇଛି । ବସ୍ , ଟ୍ରେନ୍ ବନ୍ଦ ସହ ଅନେକ ସ୍ଥାନରେ ଦୋକାନ ବଜାର ବନ୍ଦ କରାଯାଇଛି । ଚାଷୀଙ୍କ ମୁହଁରେ ଥିଲା ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ ଏବଂ ପ୍ରାଇସ୍-ପ୍ରେଷ୍ଟିଜ-ପେନସନ୍ ଦାବି ।

ଚାଷୀଙ୍କ ହକ୍ ପାଇଁ ଦିଆଯାଇଥିଲା ବନ୍ଦ ଡାକରା । ନବନିର୍ମାଣ କୃଷକ ସଂଗଠନ ସହ ସାମିଲ ହୋଇଥିଲେ ସାରା ରାଜ୍ୟର ହଜାର ହଜାର ଚାଷୀ । ସକାଳୁ ସକାଳୁ ତେଜିଥିଲା ସରକାରଙ୍କ ଚାଷୀ ମାରଣ ନୀତି ବିରୋଧୀ ସ୍ୱର । ଆଉ କୃଷକ ସଂଗଠନର ବନ୍ଦ ପାଳନକୁ ପ୍ରତିହତ କରିବାକୁ ମୁତୟନ ହୋଇଥିଲେ ମାଳ ମାଳ ପୋଲିସ । ଆନ୍ଦୋଳନ ସ୍ଥଳରୁ ଶହ ଶହ କୃଷକଙ୍କ ସହ ମୁଖ୍ୟ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଗିରଫ କରି ନେଇଥିଲା ପୋଲିସ ।

କୃଷି ଋଣ ଛାଡ ନେଇ ଚାଷୀଙ୍କ ଏତେବଡ ଆନ୍ଦୋଳନ ଚାଲିଥିବା ବେଳେ କୃଷି ମନ୍ତ୍ରୀ କିନ୍ତୁ କୃଷକଙ୍କ ଦାବିପ୍ରତି ଅଜଣା । କହିଛନ୍ତି ତାଙ୍କ ପାଖକୁ ସେମିତି କୌଣସି ଦାବି ଆସିନାହିଁ ।

ଦେଶରେ ମହାରାଷ୍ଟ୍ର ଓ ଉତରପ୍ରଦେଶ କୃଷିଋଣ ଛାଡ କରିଛନ୍ତି । ପଂଜାବ, ହରିଆଣା, ତାମିଲନାଡୁ, ଗୁଜୁରାଟ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ସହ ଓଡିଶା କୃଷି ଋଣ ଛାଡ ଦାବି କରୁଛନ୍ତି । ତେବେ ଓଡିଶାରେ ଚାଷୀ କରିଥିବା ଋଣର ପରିମାଣ ୧୯ ହଜାର କୋଟିରୁ ଅଧିକ । ପାଖାପାଖି ୩୪ ଲକ୍ଷ ଚାଷୀ ଏହି ଋଣ କରିଛନ୍ତି । ୧୨ ହଜାର କୋଟି ସମବାୟ ଓ ୭ ହଜାର କୋଟି ବ୍ୟବସାୟିକ ବ୍ୟାଙ୍କ ଋଣ ଦେଇଛନ୍ତି ।