କାହିଁକି ଜୁଏଲଙ୍କୁ ହେଲା ଅଣ୍ଡାମାଡ଼, ହେଲେ ବର୍ତ୍ତିଗଲେ ଧର୍ମେନ୍ଦ୍ର ! ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ

47

କନକ ବ୍ୟୁରୋ : ଓଡିଶା ରାଜନୀତିରେ ଅଣ୍ଡାମାଡ ଏକ ସଂକ୍ରମଣ ପରି ବ୍ୟାପିବାରେ ଲାଗିଛି । ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ଉପରେ ଅଣ୍ଡାମାଡ଼ ପୁଣି ରାଜ୍ୟ ରାଜନୀତିକୁ ସରଗରମ କରିଛି । ବିଜେପି-ବିଜେଡି ନେତାଙ୍କ ଆରୋପ-ପ୍ରତ୍ୟାରୋପ ତ ଆରମ୍ଭ ହୋଇଛି ତାସହ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ କାହିଁକି ଅଣ୍ଡାମାଡ଼ ହେଉନାହିଁ ଏବଂ ଜୁଏଲଙ୍କ ଉପରେ ହେଉଛି ସେହି ପ୍ରଶ୍ନର ଆଜି ଉତ୍ତର ରଖିଛନ୍ତି ଜୁଏଲ୍ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବବେଳେ ଏହି ପ୍ରଶ୍ନ ପଚାରିଥିଲେ ଜଣେ ସାମ୍ବାଦିକ । ଏବଂ ଜୁଏଲ୍ ମଧ୍ୟ ଏହାର ଉତ୍ତର ରଖିଥିଲେ । କହିଥିଲେ, ଧର୍ମେନ୍ଦ୍ରଙ୍କ ପାଖରେ ଲୋକବଳ ଅଧିକ । ଏଥିସହ ଜୁଏଲ୍ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖିଛନ୍ତି । ଗୃହ ମନ୍ତ୍ରାଳୟ ମଧ୍ୟ ଏଥିରେ ହସ୍ତକ୍ଷେପ କରିଛି ।

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଆଦିବାସୀ ବ୍ୟାପାରର ଗୁରୁ ଦାୟିତ୍ୱ ସହ କ୍ୟାବିନେଟ୍ ମନ୍ତ୍ରୀ ଅଛନ୍ତି ଜୁଏଲ୍ ଓରାମ୍ । ସେପଟେ ପେଟ୍ରୋଲିୟମ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ୱାଧୀନ ଦାୟିତ୍ୱରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ହେଲେ ଜୁଏଲଙ୍କ ଯୁକ୍ତି, ଧର୍ମେନ୍ଦ୍ରଙ୍କ ପାଖରେ ଲୋକବଳ ଅଧିକ । ତେଣୁ ତାଙ୍କୁ ଅଣ୍ଡା ଆକ୍ରମଣ କରିବାକୁ ଭୟ କରୁଛନ୍ତି ବିଜେଡି କର୍ମୀ । ଆଉ ଅନ୍ୟପକ୍ଷରେ ତାଙ୍କ ଉପରେ ହୋଥିଇଥିବା ଆକ୍ରମଣ ପାଇଁ ବିଜେଡିକୁ ଦାୟୀ କରି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖିଛନ୍ତି ଜୁଏଲ । ଏପରିକି ତାଙ୍କ ଗସ୍ତ ସମୟରେ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯାଇନଥିବା ଅଭିଯୋଗ କରିଛନ୍ତି ।

ଏପଟେ କେନ୍ଦ୍ର ଆଦିବାସୀ ବ୍ୟପାର ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ ପ୍ରସଙ୍ଗରେ ହସ୍ତକ୍ଷେପ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ରାଜ୍ୟ ଗୃହ ସଚିବଙ୍କୁ ଘଟଣାର ରିପୋର୍ଟ ମଗାଯାଇଛି ।