ମୋରାରୀ ବାପୁଙ୍କ ‘ରାମକଥା’ ଶୁଣିବାକୁ ପହଞ୍ଚିଲେ ବ୍ରିିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ । ‘ଜୟ ସିୟାରାମ’ ନାରା ଦେଲେ

187

କନକ ବ୍ୟୁରୋ: ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ୍ ମଙ୍ଗଳବାର କେମ୍ବ୍ରିଜ ୟୁନିଭର୍ସିଟିରେ ଆୟୋଜିତ ‘ରାମକଥା’ ଶୁଣିବାକୁ ପହଞ୍ଚିଥିଲେ । ସେଠାରେ ଆଧ୍ୟାତ୍ମିକ କଥାବାଚକ ମୋରାରୀ ବାପୁଙ୍କୁ ପ୍ରଣାମ କରି ରାମକଥା ଶୁଣିବା ସହ ଜୟ ସିୟାରାମ ବୋଲି ନାରା ଦେଇଥିଲେ । ଏବଂ ଶେଷରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

‘ରାମକଥା’ ଶେଷ ହେବା ପରେ ନିଜର ମନ୍ତବ୍ୟ ରଖିଥିଲେ ଋଷି ସୁନକ । କହିଥିଲେ, ସେ ଏଠାକୁ ଜଣେ ପ୍ରଧାନମନ୍ତ୍ରୀ ଭାବେ ନୁହଁନ୍ତି ବରଂ ଜଣେ ସାଧାରଣ ହିନ୍ଦୁ ଭାବେ ଆସିଛନ୍ତି । ଭାରତର ସ୍ୱତନ୍ତ୍ରତା ଦିବସ ଅବସରରେ ଶ୍ରୀରାମକଥା ଶୁଣିବାକୁ ମିଳିବା ତାଙ୍କ ପାଇଁ ଭାଗ୍ୟର କଥା ବୋଲି କହିଛନ୍ତି ଋଷି ସୁନକ୍ ।

ସୁନକ୍ ଆହୁରି ମଧ୍ୟ କହିଛନ୍ତି ଯେ, ‘ ମୋ ପାଇଁ ଅସ୍ଥା ଓ ବିଶ୍ୱାସ ଅତି ବ୍ୟକ୍ତିଗତ ପ୍ରସଙ୍ଗ । ଏହା ମୋ ଜୀବନର ପ୍ରତିଟି କ୍ଷେତ୍ରରେ ମାର୍ଗଦର୍ଶନ କରାଏ । ପ୍ରଧାନମନ୍ତ୍ରୀ ହେବା ସମ୍ମାନର କଥା । କିନ୍ତୁ ଏହା ଭାରି କଠିନ ବ୍ୟାପାର ମଧ୍ୟ । କାରଣ ଏଥିରେ ଭାବିଚିନ୍ତି ଅନେକ କଠିନ ପଦକ୍ଷେପ ଗ୍ରହଣ କରିବାକୁ ପଡେ । ଏହା କେବଳ ଈଶ୍ୱରଙ୍କ ଉପରେ ଦୃଢ ବିଶ୍ୱାସ ଯୋଗୁଁ ସମ୍ଭବ ହୋଇପାରେ’ ।
ସୁନକ କହିଥିଲେ, ‘ଯେବେ ମୁଁ ଚାନ୍ସେଲର ଥିଲି ୧୧ ଡାଉନିଙ୍ଗ ଷ୍ଟ୍ରିଟରେ ଦିପାବଳୀ ଅବସରରେ ଦୀପ ଜଲାଇବା ମୋ ପାଇଁ ବିଶେଷ ମୁହୂର୍ତ୍ତ ଥିଲା । ମୋ ଘର ଟେବୁଲ ଉପରେ ଭଗବାନ୍ ଗଣେଶଙ୍କ ମୂର୍ତ୍ତି ରହିଛି । ମୋତେ ଉଭୟ ବ୍ରିଟିଶ ଓ ଭାରତୀୟ ହେବାରେ ଗର୍ବ ଅନୁଭବ ହୁଏ’ । ଏହି କ୍ରମରେ ସାଉଥ୍ ହେମ୍ପଟନରେ ନିଜ ପିଲାବେଳ କଥାକୁ ମନେପକାଇଥିଲେ ସୁନକ୍ । ସେଠାରେ ନିର୍ମିତ ଏକ ମନ୍ଦିରକୁ ସେ ତାଙ୍କ ଭାଇଭଉଣୀଙ୍କ ସହ ଅଧିକାଂଶ ସମୟ ଯିବାକୁ ଭଲ ପାଉଥିଲେ । ନିଜ ପରିବାରରେ ଅନୁଷ୍ଠିତ ହୋମ, ପୂଜା ଆଦିରେ ସାମିଲ ହେବା ପରେ ପଡୋଶୀଙ୍କୁ ପ୍ରସାଦ ବାଣ୍ଟୁଥିଲେ ।

ଶେଷରେ ସୁନକ କହିଥିଲେ ,’ ମୁଁ ଆଜି ଏଠାରେ ରାମାୟଣ ସହ ଶ୍ରୀମଦଭଗବତଗୀତା, ଶ୍ରୀ ହନୁମାନ ଚାଳିଶାକୁ ମଧ୍ୟ ମନେ ରଖି ଯାଉଛି । ମୋ ପାଇଁ ପ୍ରଭୁ ଶ୍ରୀରାମ ଜୀବନର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାରେ ସବୁବେଳେ ପ୍ରେରଣା ରହିଅସିଛନ୍ତି । ମୋରାରୀ ବାପୁଙ୍କ ଆଶିଷ ନେଇ ମୁଁ ମଧ୍ୟ ସେହିଭଳି ନେତୃତ୍ୱ ନେବି ଯେଉଁଭଳି ଶାସ୍ତ୍ରରେ ଶିଖାଯାଇଛି’ ।