ଧୋନୀ-ରୋହିତ ଯାହା କରିନଥିଲେ, ତାହା କରି ଦେଖାଇଲେ ପନ୍ତ । ପ୍ରଥମ ଥର ଅକ୍ସନ ଟେବୁଲରେ ନଜର ଆସିଲେ କୌଣସି ଟିମର ଅଧିନାୟକ । ଦଳ ପାଇଁ ଖେଳାଳି କିଣିଲେ ରିଷଭ ।

730

କନକ ବ୍ୟୁରୋ: ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ତଥା ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ରିଷଭ ପନ୍ତ ଆଜି ନିଜ ଦଳ ପାଇଁ ଆଇପିଏଲ୍ ଅକ୍ସନ ଟେବୁଲରେ ବସିଥିବା ଦେଖିବାକୁ ମିଳିଛି । ତେବେ ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଅଧିନାୟକ ଅକ୍ସନ ଟେବୁଲରେ ବସି ଖେଳାଳି କିଣୁଥିବା ନଜର ଆସିଛନ୍ତି । ଏହାପୂର୍ବରୁ କେବେ ବି କୌଣସି ଆଇପିଏଲ ଅଧିନାୟକଙ୍କୁ ଅକ୍ସନ ଟେବୁଲରେ ବସି ଖେଳାଳି କିଣୁଥିବା ଦେଖିବାକୁ ମିଳିନଥିଲା । ପ୍ରଥମ ଥର ପାଇଁ ରିଷଭ ପନ୍ତ ଅକ୍ସନ ଟେବୁଲରେ ବସି ଖେଳାଳି କିଣୁଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ଅକ୍ସନ ଟେବୁଲରେ ରିଷଭ ପନ୍ତଙ୍କ ସହିତ ରିକି ପଣ୍ଟିଂ ଏବଂ ସୌରଭ ଗାଙ୍ଗୁଲି ମଧ୍ୟ ରହିଛନ୍ତି ।

ସଡକ ଦୁର୍ଘଟଣାରେ ଗୁରୁତର ହେବା ପରେ ପ୍ରଥମ ଥର ପାଇଁ ପନ୍ତଙ୍କୁ କୌଣସି କ୍ରିକେଟର ବଡ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି । କୁହାଯାଉଛି କି, ଆଗାମୀ ଆଇପିଏଲ୍ ସିଜିନରେ ସେ ଦଳର ନେତୃତ୍ୱ ବି ନେଇପାରନ୍ତି । ଗତବର୍ଷ ସଡକ ଦୁର୍ଘଟଣା କାରଣରୁ ସେ ଆଇପିଏଲରୁ ଦୂରେଇ ରହିଥିଲେ । ତାଙ୍କ ଜାଗାରେ ଡେଭିଡ୍ ୱାର୍ଣ୍ଣର ଦଳର କ୍ୟାପଟେନ୍ ନିଯୁକ୍ତ ହେଇଥିଲେ । ହେଲେ ଏନସିଏରେ ଲଗାତାର ଅଭ୍ୟାସ୍ କରିବା ପରେ ଏବେ ପନ୍ତ ସୁସ୍ଥ ହେଉଛନ୍ତି । ତା ସହିତ ଆଇପିଏଲ୍ ବେଳକୁ ସେ ସମ୍ପୂର୍ଣ୍ଣ ଫିଟ୍ ହେଇଯିବେ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ ଯେ, ଆଇପିଏଲରେ ପନ୍ତ ବର୍ତ୍ତମାନ ସୁଦ୍ଧା ୯୮ଟି ମ୍ୟାଚ୍ ଖେଳିସାରିଛନ୍ତି । ଏହି ମ୍ୟାଚରୁ ସେ ୨୮୩୮ ରନ୍ ସଂଗ୍ରହ କରିଥିବାବେଳେ, ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଅଧିନାୟକ ରହିଛନ୍ତି ।