ସଙ୍କଟରେ ହରିୟାଣା ବିଜେପି ସରକାର । ୩ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ।

513

କନକ ବ୍ୟୁରୋ: ଦେଶରେ ଲୋକସଭା ନିର୍ବାଚନ ଚାଲିଥିବାବେଳେ ହରିୟାଣାରେ ବିଜେପି ସରକାରକୁ ଶକ୍ତ ଝଟକା ଲାଗିଛି । ରାଜ୍ୟର ନାଏବ ସିଂ ସୈନି ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି ୩ ନିର୍ଦ୍ଦଳୀୟ ବିଧାୟକ । ହରିୟାଣା କଂଗ୍ରେସ ସଭାପତି ଉଦୟ ଭାନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡାଙ୍କ ଉପସ୍ଥିତିରେ ଏହି ୩ ନିର୍ଦ୍ଦଳୀୟ ବିଧାୟକ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରି କଂଗ୍ରେସକୁ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି । ରୋହତକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ୩ ବିଧାୟକ ଏହି ଘୋଷଣା କରିଛନ୍ତି । ଫଳରେ ହରିୟାଣାର ବିଜେପି ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି ।

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡା ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ସହ ତୁରନ୍ତ ବିଧାନସଭା ନିର୍ବାଚନ କରିବାକୁ ଦାବି କରିଛନ୍ତି । ୧୨ ମାର୍ଚରେ ହିଁ ହରିୟଣାରେ ମୁଖ୍ୟମନ୍ତ୍ରୀ ପରିବର୍ତନ କରିଥିଲା ବିଜେପି । ମନୋହର ଲାଲ ଖଟ୍ଟରଙ୍କ ସ୍ଥାନରେ ନାଏବ ସିଂ ସୈନି ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୩ ମାର୍ଚରେ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ବିରୋଧୀ । ବିଧାନସଭାରେ ଏହି ପ୍ରସ୍ତାବ କାଟ ଖାଇଥିଲା । ନିୟମ ଅନୁସାରେ ଏବେ ଆଉ ୬ ମାସ ଯାଏଁ ଅନାସ୍ଥା ପ୍ରସ୍ତାବ ଅଣାଯାଇପାରିବ ନାହିଁ । ତେଣୁ ବିଜେପି ସରକାର ଅଳ୍ପମତରେ ଥିଲେ ବି ବଡ ଦଳ ଭାବେ ରହିବ । ହରିୟାଣାରେ ଚଳିତବର୍ଷ ଶେଷ ଆଡକୁ ବିଧାନସଭା ନିର୍ବାଚନ ହେବାର ଅଛି । ହରିୟାଣାର ବିଜେପି ସରକାରକୁ ସ୍ଥାନୀୟ ଆଂଚଳିକ ଦଳ ଜେଜେପି ସମର୍ଥନ ଦେଉଥିଲା । କିନ୍ତୁ ଏ ବର୍ଷ ପ୍ରାରମ୍ଭରେ ହିଁ ଜେଜେପି ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରିସାରିଛି ।

ହରିୟାଣା ବିଧାନସଭାର ସ୍ଥିତି କଣ
ମୋଟ ଆସନ: ୯୦
ବର୍ତ୍ତମାନ ସଦସ୍ୟ: ୮୮
ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ: ୪୫

ବିଜେପି+
ବିଜେପି: ୪୦
ସ୍ୱାଧୀନ ଓ ଅନ୍ୟାନ୍ୟ:୨

କଂଗ୍ରେସ+
କଂଗ୍ରେସ: ୩୦
ନିର୍ଦ୍ଦଳୀୟ:୪
ଅନ୍ୟାନ୍ୟ
ଜେଜେପି:୧୦
ଅନ୍ୟ:୨