ବିଜେପିରେ ମିଶିଲେ କଂଗ୍ରେସ ମୁଖପାତ୍ର ରାଧିକା ଖେରା । ସେପଟେ ପଦ୍ମ ଧରିଲେ ଅଭିନେତା ଶେଖର ସୁମନ ।

754

କନକ ବ୍ୟୁରୋ: କଂଗ୍ରେସକୁ ବଡ଼ ଝଟକା ଲାଗିଛି । ଦଳର ମୁଖପାତ୍ର ରାଧିକା ଖେରା କଂଗ୍ରେସର ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଜୟଭୀର ସେରଗିଲ, ଗୌରବ ବଲ୍ଳଭଙ୍କ ପରେ ଦଳ ଛାଡିଛନ୍ତି ରାଧକା ଖେରା । ରାମ ମନ୍ଦିର ବୁଲିବାକୁ ଯାଇ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଛାଡିବା ପରେ କଂଗ୍ରେସ ତାଙ୍କୁ ଘୃଣା କରୁଥିବା ଅଭିଯୋଗ କରିଛନ୍ତି ରାଧିକା ଖେରା ।

କଂଗ୍ରେସ ଛାଡିବାର ଦିନକ ପରେ ମଙ୍ଗଳବାର ବିଜେପିରେ ଯୋଗଦେଇଛନ୍ତିି କଂଗ୍ରେସର ମୁଖ୍ୟପାତ୍ର ରାଧିକା ଖେରା । ରାଧିକା ଦଳ ଛାଡିବା ଯେତିକି ଗୁରୁତ୍ୱପୂର୍ଣ ନୁହେଁ ସେ ଯେଉଁ କାରଣ ଦର୍ଶାଇ ଦଳ ଛାଡିଛନ୍ତି ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ । ଅଯୋଧ୍ୟା ରାମ ମନ୍ଦିର ଦର୍ଶନ କରିବାକୁ ନେଇ ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି । ଏପରିକି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ସମୟରେ କଂଗ୍ରେସ ନେତା ତାଙ୍କୁ ମଦ ପିଇବାକୁ ଅଫର କରାଯାଇଥିବା ଅଭିଯୋଗ ଆଣିବାକୁ ପଛାଇ ନାହାଁନ୍ତି । କିନ୍ତୁ ରାଧିକାଙ୍କ ଏପରି ଅଭିଯୋଗକୁ ଭିତିହିନ ବୋଲି କହିଛି କଂଗ୍ରେସ ।

ଦଳ ଡିଆଁ ପର୍ବ ଭିତରେ ବିଜେପିରେ ମିଶିଛନ୍ତି ଦିଲ୍ଲୀ କଂଗ୍ରେସର ପୂର୍ବତନ ସଭାପତି ଅରବିନ୍ଦର ସିଂ ଲଭଲି । ଆଉ ବିଜେପିର ଯୋଗଦେବାର ଦିନକ ପରେ ଦିଲ୍ଲୀ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି ଅରବିନ୍ଦର । ସେହିପରି ବଡ଼ ନେତା ଭାବେ କଂଗ୍ରେସର ମୁଖପାତ୍ର ଗୋରଭ ବଲ୍ଲଭ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସଟ୍ଟର କଂଗ୍ରେସ ଛାଡି ଚଳିତ ବର୍ଷ ବିଜେପିରେ ମିଶିଛନ୍ତି । କଂଗ୍ରେସର ସନାତନ ବିରୋଧୀ ଚିନ୍ତାଧାରାର ଅଭିଯୋଗ ଆଣି ଦଳ ଛାଡଥିଲେ ଗୌରଭ ବଲ୍ଲଭ ।

କଂଗ୍ରେସର ଚିନ୍ତାଧାରାକୁ ସର୍ବସମ୍ମୁଖରେ ତଥା ଗଣମାଧ୍ୟମ ଆଗରେ ବାରମ୍ବାର ରଖୁଥିବା ଏହି ମୁଖପାତ୍ରମାନେ ହଠାତ୍ କାହିଁକି ଦଳ ଛାଡୁଛନ୍ତି । କେବଳ କିଛି ଲାଭଜନକ ପଦପଦବୀ ପାଇବାକୁ ବିଜେପିରେ ଯୋଗଦେଉଛନ୍ତି ନା କଂଗ୍ରେସ ଏମାନଙ୍କୁ ଧରିରଖିବାରେ ବିଫଳ ହେଉଛି ।