ଆପଣଙ୍କୁ ମିଳିଛି କି ଆୟକର ବିଭାଗର ନୋଟିସ? ଜାଣିନିଅନ୍ତୁ ଏହି ସବୁ କଥା…

283

କନକ ବ୍ୟୁରୋ: ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖକୁ ଅନେକ ଦିନ ବିତିସାରିଛି । ଏହା ପରେ ବର୍ତ୍ତମାନ ଆୟକର ବିଭାଗରେ ଆଇଟିଆର ମୂଲ୍ୟାଙ୍କନ ପ୍ରକ୍ରିୟା ଜାରିରହିଛି । ଯେଉଁମାନେ ସଠିକ ଭାବେ ନିଜର ଆୟକର ଦାଖଲ କରିଛନ୍ତି ତାଙ୍କୁ ବିଭାଗ ପକ୍ଷରୁ ଆୟକର ରିଫଣ୍ଡ କରାଯାଉଛି । ସେହିଭଳି ଭୁଲ କରିଥିବା ବ୍ୟକ୍ତିଙ୍କୁ ବିଭାଗ ପକ୍ଷରୁ ନୋଟିସ ମିଳିବାରେ ଲାଗିଛି । ଆୟକର ବିଭାଗରୁ ନୋଟିସ ମିଳିବା ଠିକ କଥା ନୁହେଁ, ତେବେ ନୋଟିସ ମିଳିବା ପରେ ବ୍ୟସ୍ତ ହେବା ମଧ୍ୟ ଠିକ୍ ନୁହେଁ । ଅନେକ କାରଣରୁ ଏହି ନୋଟିସ ପଠାଯାଇଥାଏ ।

ତେବେ ଆସନ୍ତୁ ଜାଣିବା ଆୟକର ବିଭାଗରୁ କାହିଁକି ନୋଟିସ ଆସିଥାଏ ? ଯଦି ନୋଟିସ ମିଳିଥାଏ ତେବେ କଣ କରିବେ? କାହିଁକି ନୋଟିସକୁ ଡରିବା ଉଚିତ ନୁହେଁ ?

ସାଧାରଣତଃ ଲୋକେ ଏଭଳି ମାନିନେଇଥାନ୍ତି ଆୟକର ଭରିଦେବା ପରେ ତାଙ୍କ କାମ ଶେଷ ହୋଇଯାଇଛି । ତେବେ ଏହା ସତ ନୁହେଁ, ଆୟକର ରିଟର୍ଣ୍ଣ ଅର୍ଥାତ ଆଇଟିଆର ଭର୍ତ୍ତି କରିବା ପରେ ଆରାମରେ ନିଶ୍ୱାସ ମାରୁଥିବା ଲୋକଙ୍କୁ କହିରଖିବାକୁ ଚାହୁଁଛୁ ଯେ ଆପଣ ଆୟକର ଦାଖଲ ପରେ ବି ଆପଣଙ୍କୁ ନୋଟିସ ମିଳିପାରେ । ବିଭାଗ ପକ୍ଷରୁ ଆୟକରଦାତାଙ୍କୁ ଅନେକ ପ୍ରକାରର ନୋଟିସ ମିଳିଥାଏ । ଭର୍ତ୍ତି କରାଯାଇଥିବା ଆୟକର ଏବଂ ଆୟ ଉପରେ କରରେ ତାରତମ୍ୟ ଆସିବା ପରେ ନୋଟିସ ମିଳିଥାଏ । ସେହିଭଳି ଆୟକର ରିଟର୍ଣ୍ଣରେ ଅଧିକ ରିଫଣ୍ଡ ପାଇଁ ଆବେଦନ କଲେ ନୋଟିସ ମିଳିଥାଏ ।

ଆୟକର ବିଭାଗର ନୋଟିସ ବିଭିନ୍ନ ପ୍ରକାରର ହୋଇଥାଏ । ନୋଟିସ କୌଣସି ବ୍ୟକ୍ତି ଅଥବା ବ୍ୟବସାୟ କିମ୍ବା କମ୍ପାନୀଙ୍କୁ ପଠାଯାଇଥାଏ । ସେହି ହିସାବରେ ନୋଟିସର ବିଭିନ୍ନ ପ୍ରକାରର ବର୍ଗ ହୋଇଥାଏ । ଏହା ପ୍ରାୟ ୧୫ରୁ ୨୦ ପ୍ରକାରର ନୋଟିସ । ଏଥିରେ ଅନେକ ଏହିଭଳି ନୋଟିସ ରହିଛି ଯାହା ବ୍ୟକ୍ତିଗତ ଭାବେ ମଧ୍ୟ ଲୋକଙ୍କ ପାଖକୁ ପଠାଯାଇଥାଏ ।

ସେକ୍ସନ ୧୪୨: ଯଦି କୌଣସି ବ୍ୟକ୍ତି ଆୟକର ଦାଖଲ କରିନାହିଁ ତେବେ ଆୟକର ଅଧିକାରୀ ସେକ୍ସନ ୧୪୨ ଅନୁସାରେ ନୋଟିସ ଦେଇ ରିଟର୍ଣ୍ଣ ଦାଖଲ ପାଇଁ କହିଥାନ୍ତି । ଛୋଟ-ଛୋଟ ତଥ୍ୟ କିମ୍ବା ସ୍ପଷ୍ଟୀକରଣ ମାଗିବା ପାଇଁ ଏହି ଧାରାରେ ମଧ୍ୟ ନୋଟିସ କରାଯାଇପାରେ ।

ସେକ୍ସନ ୧୪୩(୨): ଏହା ଯାଞ୍ଚ ବିଜ୍ଞପ୍ତି ସମ୍ବନ୍ଧୀୟ । ଏହାର ଅର୍ଥ ଆୟକର ବିଭାଗ ଆପଣଙ୍କଠାରୁ କିଛି ତଥ୍ୟ ବିସ୍ୃତ ଭାବେ ଜାଣିବାକୁ ଚାହିଁଥାଏ । ଏହି ସମ୍ବନ୍ଧୀୟ ବୁକ୍ସ ଅଫ୍ ଆକାଉଣ୍ଟସ, ବ୍ୟାଙ୍କର ବିବରଣୀ ଭଳି ଅନେକ ତଥ୍ୟ ମାଗାଯାଇଥାଏ । ଏହି ଆଧାରରେ ତାର ଯାଞ୍ଚ କରାଯାଇଥାଏ । ଏହି ନୋଟିସ ଆୟକର ଦାଖଲ ପରେ ଆସିଥାଏ । କରଦାତାଙ୍କୁ ଏହି ନୋଟିସ ସବୁଠାରୁ ଅଧିକ ମିଳିଥାଏ ।

ସେକ୍ସନ ୧୪୪: ଏହାକୁ ବେଷ୍ଟ ଜଜମେଣ୍ଟ ଆସେସମେଣ୍ଟକୁହାଯାଇଥାଏ । ଅର୍ଥାତ ସର୍ବୋତ୍ତମ ବିଚାର ମୂଲ୍ୟାଙ୍କନ । ଯଦି ଆପଣ ଆଇଟିଆର ଦାଖଲ କରିନାହାନ୍ତି କିମ୍ବା ୧୪୨, ୧୪୩(୨)ରେ ଜାରି ହୋଇଥିବା ନୋଟିସର ଉତ୍ତର ଦେଇନାହାନ୍ତି ତେବେ ଆୟକର ବିଭାଗ ସେକ୍ସନ-୧୪୪ ଅନୁସାରେ ଆପଣଙ୍କୁ ନୋଟିସ ପଠାଇଥାଏ । ଏହା ହେବା ଦ୍ୱାରା ଆୟକର ବିଭାଗ ଅଧିକାରୀ ବର୍ତ୍ତମାନର ଆୟର ଆକଳନ କରି ତା ଉପରେ କର, ସୁଧ ଏବଂ ଜରିମାନା ଲଗାଇଥାନ୍ତି ।

ସେକ୍ସନ ୧୪୭/୧୪୮/୧୪୯: ଯଦି ଆୟକର ବିଭାଗର ଅଧିକାରୀଙ୍କୁ ଲାଗିଥାଏ ଆପଣଙ୍କର ଆୟର ପୂର୍ବରୁ ଯାହା ହିସାବ ହୋଇଥିଲା ଏଥିରୁ ଆପଣଙ୍କର ଆଉ କିଛି ଆୟ ସାମିଲ ନାହିଁ ଅଥବା ଆପଣଙ୍କର ଆଉ କିଛି ଆୟ ଯାହାର ଆପଣ ଖୁଲାସ କରିବାକୁ ଚାହୁଁନାହାନ୍ତି ତେବେ ସେଥିପାଇଁ ଏହି ଧାରାରେ ନୋଟିସ ମିଳିପାରେ ।

ସେକ୍ସନ ୧୪୩(୧): ଏହି ଧାରାରେ ସେତେବେଳେ ନୋଟିସ ମିଳିଥାଏ ଯେତେବେଳେ ଆଇଟିଆର ଦାଖଲରେ କୌଣସି ଭୁଲ କରିଥାନ୍ତି କିମ୍ବା ଭୁଲ ତଥ୍ୟ ଦେଇଥାନ୍ତି । ଆୟକର ବିଭାଗର ଅଧିକାରୀ ଏହି ଧାରାରେ ଆପଣଙ୍କୁ ନୋଟିସ କରି ଆପଣଙ୍କ ପକ୍ଷ ରଖିବାକୁ କହିଥାନ୍ତି । ଜବାବରେ ସନ୍ତୁଷ୍ଟ ନ ହେଲେ ଆପଣଙ୍କ ଉପରେ କର ବଢାଇ ଦିଆଯାଇଥାଏ ।

କେବଳ ଏତିକି ନୁହେଁ, ଭୁଲ ରିଟର୍ଣ୍ଣ ପାଇଁ ସେକ୍ସନ-୧୩୯(୯), ଖାନ୍ ତଲାସୀ ଏବଂ ଜବତ ପାଇଁ ସେକ୍ସନ ୧୫୩(ଏ) ସୁଧ ଏବଂ ଜରିମାନା ବକେୟା ରହିବା ଉପରେ ସେକ୍ସନ ୧୫୬, ଆୟ ଲୁଚାଇବା ସନ୍ଦେହ ହେଲେ ସେକ୍ସନ ୧୩୧(ଏ)ରେ ନୋଟିସ ପଠାଯାଇଥାଏ ।