ଯୁକ୍ତ ୨ରେ ଜିଲ୍ଲା ଟପ୍ପର । ଉଚ୍ଚଶିକ୍ଷା ପାଇଁ ଘରେ ନାହିଁ ଟଙ୍କା । ପଢିବାକୁ ସାହାଯ୍ୟ ମାଗୁଛନ୍ତି ପାହାଡି ଇଲାକାର ପାଠୁଆ ପୁଅ ।

123

କନକ ବ୍ୟୁରୋ: ପାହାଡିଆ ଗାଁରେ ସ୍ୱପ୍ନ ଗଢୁଛନ୍ତି ଗାନ୍ଧୀ । ବଣ ଜଙ୍ଗଲର ଏ ପରିବେଶ ଭିତରେ ପାଠ ପଢିବାର ଝୁଙ୍କ ଆଉ ନୂଆ ଆଶା ନେଇ ନିଜ ଡେଣାରେ ଉଡାଣ ଭରୁଛନ୍ତି ଏ ଗରିବ ଘରର ପୁଅ । ଇଚ୍ଛା ତ ଅନେକ, ଆଶା ଅସୁମାରୀ । ପାଠ ପଢିବେ, ବଡ ହୋଇ ପ୍ରଫେସର ହେବେ । ହେଲେ ଗରିବର ଗୋଟିଏ ସ୍ୱପ୍ନ ସାକାର ହେବା ଏତେ ସହଜ ନୁହେଁ । ସ୍ୱପ୍ନ ସିନା ଆଖି ଦେଖେ, ହେଲେ ସତ ତ ଶରୀର କରେ, ଆର୍ଥିକ ସ୍ଥିତାବସ୍ଥା କରେ । ତେଣୁ ଗରିବକୁ ବଡ ସ୍ୱପ୍ନ ଦେଖିବା ମନା । କିନ୍ତୁ ମେଧାବୀ ଛାତ୍ର ଗାନ୍ଧୀ ସ୍ୱପ୍ନ ପଛରେ ଧାଇଁବା ଛାଡି ନାହାନ୍ତି । ପରିବାରର ପରିସ୍ଥିତି ଯାହା ବି ହେଉନା କାହିଁକି ପାଠ ପଢି ପରିଶ୍ରମ କରି ଆଗକୁ ବଢିବାକୁ ଲକ୍ଷ୍ୟ ରଖିଛନ୍ତି ସେ ।

ଗାନ୍ଧୀ କରକରିଆ । ଯୁକ୍ତ ୨ ପରୀକ୍ଷାରେ ରାୟଗଡା ଜିଲ୍ଲାରେ ଟପ୍ପର ହୋଇଛନ୍ତି । କୋଲନରା ବ୍ଲକର ମଣ୍ଡଳପିତେଶୁ ଗାଁରେ ନିଜ ବାପାମାଆଙ୍କ ସହ ରୁହନ୍ତି । ବାପା ଚାଷବାସ କରୁଥିବା ବେଳେ ମାଆ ଗାଁ ଛକରେ ପରିବା ଦୋକାନ କରିଛନ୍ତି । ଆଉ ସେହି ପରିବା ଦୋକାନ ହିଁ ଘର ଚଳେଇବା ସହ ପୁଅର ପାଠ ପଢାରେ ସାହା ସାଜେ । ଦାରିଦ୍ରତାର ଏହି ଘରୁ ଗାନ୍ଧୀ ମାଟ୍ରିକରେ ୪୦୫ ମାର୍କ ରଖି ପାସ୍ କରିବା ପରେ ପ୍ଲସ ଟୁ ପଢିଥିଲେ । ଆଉ ସେଥିରେ ବି ୬୦୦ରୁ ୫୩୬ ରଖି ଜିଲ୍ଲାରେ ଟପ୍ପର ହୋଇଛନ୍ତି । ପରିବା ବିକାଳୀ ମାଆର ପାଠୁଆ ପୁଅକୁ ସବୁ ଆଡୁ ପ୍ରଶଂସା ମିଳିବା ପରେ ପରିବାରରେ ଖୁସି ଖେଳିଯାଇଥିଲା । ହେଲେ ପୁଅର ଉଚ୍ଚଶିକ୍ଷା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି ।

ପରିବା ଦୋକାନରୁ ସେତେ ଭଲ ରୋଜଗାର ହେଉନି । ଯାହା ବି ହେଉଛି ସେଥିରେ ୫ ଜଣ ଚଳୁଛନ୍ତି । ଆଉ ଟଙ୍କା ବଳିଲେ ତ ପୁଅ ପାଠ ପଢିବ । ତେଣୁ ନିରାଶା ନେଇ ମାଆ ସହ ପରିବା ବିକୁଛନ୍ତି ନିଜେ ଗାନ୍ଧୀ । ଦୋକାନରେ ଦଣ୍ଡିରେ ପରିବା ଓଜନ କଲା ବେଳେ ନିଜ ସ୍ୱପ୍ନର ଓଜନକୁ ମାପୁଛନ୍ତି ଗାନ୍ଧୀ । କେବେ ସେ ପାଠ ପଢି ପ୍ରଫେସର ହେବେ ଆଉ ନିଜ ଅଞ୍ଚଳକୁ ଶିକ୍ଷିତ କରିବେ ।

‘ଗରିବ ବି ଦେଖିପାରେ ସ୍ୱପ୍ନ’ ରାଷ୍ଟ୍ରପତି ଭାବେ ଶପଥ ନେବା ବେଳେ ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କ ଏହି ପଦିଏ କଥା ଅନେକ ଅସହାୟ, ଗରିବ ପିଲାଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି । ରାଜ୍ୟ ସରକାର ବି ଗରିବ ଘରର ଶେଷ କିଷାନଙ୍କ ଭଳି ପିଲାଙ୍କୁ ସାହାଯ୍ୟ କରି ସଫଳତା ଶୀର୍ଷରେ ପହଞ୍ଚିବାରେ ସହାୟତା କରିଛନ୍ତି । ସ୍ୱପ୍ନ ପଛରେ ଧାଉଁଥିବା ମେଧାବୀ ପିଲା ଗାନ୍ଧୀଙ୍କୁ ବି ସରକାର ଓ ପ୍ରଶାସନିକ ସ୍ତରରେ ସାହାଯ୍ୟ ମିଳିଲେ ସେ ବି ନିଜ ଇଚ୍ଛାକୁ ପୂରା କରିପାରନ୍ତେ ।