ଦୁଇ କିମ୍ବଦନ୍ତୀ ଖେଳାଳିଙ୍କୁ ସମ୍ମାନ ଜଣାଇଲା ଆରସିବି । ଜର୍ସି ନମ୍ବର ୧୭ ଏବଂ ୩୩୩ ନେଲା ଅବସର ।

101

କନକ ବ୍ୟୁରୋ: ଆଇପିଏଲ୍ ଦଳ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଜର୍ସି ନମ୍ବର ୧୭ ଓ ଜର୍ସି ନମ୍ବର ୩୩୩କୁ ସବୁଦିନ ପାଇଁ ରିଟାୟର୍ଡ କରିଦେଇଛି । ଅର୍ଥାତ ଆରସିବିର କୌଣସି ପ୍ଲେୟାର ଏବେ ଏହି ଦୁଇଟି ଜର୍ସି ନମ୍ବରରେ ଦେଖିବାକୁ ମିଳିବେନି । ନିଜ ଦଳର ଦୁଇ କିମ୍ବଦନ୍ତୀ ଖେଳାଳି ଏବି ଡିଭିଲିୟର୍ସ ଓ କ୍ରିସ୍ ଗେଲଙ୍କୁ ସମ୍ମାନ ଜଣାଇ ଆରସିବି ଏହି ଦୁଇ ଜର୍ସିର ଅବସର ନେଇ ଘୋଷଣା କରିଛି ।

ଏବି ଡିଭିଲିୟର୍ସ ୧୭ ନମ୍ବର ଜର୍ସିରେ ମ୍ୟାଚ୍ ଖେଳୁଥିଲେ, ସେହିଭଳି କ୍ରିସ୍ ଗେଲ୍ ମଧ୍ୟ ୩୩୩ ନମ୍ବର ଜର୍ସି ପିନ୍ଧି ପଡିଆକୁ ଓହ୍ଲାଉଥିଲେ । ଏହି ଦୁଇ ଖେଳାଳି ଏବେ ଆରସିବିକୁ ଅଲବିଦା କହିସାରିଛନ୍ତି । ତେବେ ଅବସର ନେବା ପୂର୍ବରୁ କିନ୍ତୁ ଏହି ଦୁଇ ଖେଳାଳି ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଥିଲେ । ଦୁହେଁ ଏକାକି ଆରସିବିକୁ ଅନେକ ମ୍ୟାଚ୍ ଜିତାଇଥିବାବେଳେ, ଆରସିବି ଏବେ ଏହି ଦୁଇ ଖେଳାଳିଙ୍କୁ ନିଜର ହଲ୍ ଅଫ୍ ଫେମରେ ସାମିଲ କରିଛି । ଆଉ ସମ୍ମାନସୂଚକ ଭାବେ ଜର୍ସି ନମ୍ବର ୧୭ ଓ ୩୩୩କୁ ସବୁଦିନ ପାଇଁ ଅବସର ପ୍ରଦାନ କରାଯାଇଛି ।

ଏବି ଡିଭିଲିୟର୍ସ ଆରସିବି ପାଇଁ ୧୧ଟି ଆଇପିଏଲ୍ ସିଜିନ ଖେଳିଥିଲେ । ଏହି ଫ୍ରାଞ୍ଚାଇଜ୍ ପାଇଁ ସେ ୧୫୭ଟି ମ୍ୟାଚ୍ ଖେଳିବା ସହିତ ୪୫୨୨ ରନ୍ କରିଥିଲେ । ଏହା ଭିତରେ ୩୭ଟି ଅର୍ଦ୍ଧଶତକ ସହ ଦୁଇଟି ଶତକ ମଧ୍ୟ ସାମିଲ ଥିଲା । ସେହିପରି କ୍ରିସ୍ ଗେଲ ଆରସିବି ପଟରୁ ମୋଟ ୯୧ଟି ଆଇପିଏଲ୍ ମ୍ୟାଚ୍ ଖେଳିଥିବାବେଳେ, ୧୫୪.୪୦ ଷ୍ଟ୍ରାଇକ୍ ରେଟରେ ୩୪୨୦ ରନ୍ କରିଥିଲେ । ଏହି ଫ୍ରାଞ୍ଚାଇଜ୍ ତରଫରୁ ମ୍ୟାଚ୍ ଖେଳି ଗେଲ୍ ୨୧ଟି ଅର୍ଦ୍ଧଶତକ, ଓ ୫ଟି ଶତକ ହାସଲ କରିଥିଲେ ।