ରୋହିତ ବେମୁଲା ଆତ୍ମହତ୍ୟା ମାମଲା । ପୋଲିସର କ୍ଲୋଜର ରିପୋର୍ଟକୁ ପରିବାରର ବିରୋଧ, ସ୍ମୃତି ଇରାନୀଙ୍କ ସହ ବହୁନେତାଙ୍କୁ ମିଳିଛି କ୍ଲିନଚିଟ୍

74

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ରୋହିତ ବେମୁଲା ଆତ୍ମହତ୍ୟା ମାମଲାରେ କ୍ଲୋଜର ରିପୋର୍ଟ ଦାଖଲ କରିଛି ହାଇଦ୍ରାବାଦ ପୋଲିସ । ତେଲେଙ୍ଗାନା ହାଇକୋର୍ଟରେ ସତ୍ୟପାଠ ଦାଖଲ ସହ ରୋହିତ ଜାଲ ପ୍ରମାଣ ପତ୍ର ଦେଇ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିବା ଦର୍ଶାଯାଇଛି । ସତ ସାମ୍ନାକୁ ଆସିଯିବା ଭୟରେ ସେ ଆତ୍ମହତ୍ୟା କରିଥିବା ରିପୋର୍ଟରେ ଦର୍ଶାଇଛି ପୋଲିସ । ଏଥିସହ ଏହି ମାମଲାରେ ଅଭିଯୁକ୍ତ ଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ତକ୍ରାଳୀନ ସିକନ୍ଦରାବାଦ ସାଂସଦ ବଣ୍ଡାରୁ ଦତାତ୍ରେୟଙ୍କ ସମେତ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ କୁଳପତି ଓ ଅନ୍ୟ ନେତାଙ୍କୁ ଦୋଷମୁକ୍ତ କରାଯାଇଛି । ସେପଟେ ପୋଲିସର ତଦନ୍ତ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି ରୋହିତଙ୍କ ପରିବାର । ଏହାକୁ କୋର୍ଟରେ ଚାଲେଞ୍ଜ କରିବେ ବୋଲି କହିଛନ୍ତି ରୋହିତଙ୍କ ଭାଇ । ନ୍ୟାୟ ପାଇଁ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ପକ୍ଷରୁ ମଧ୍ୟ ପୋଲିସର ଏହି ରିପୋର୍ଟକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୋଲିସ ଏହି ରିପୋର୍ଟକୁ ଫେରାଇ ନେବା ସହ ନ୍ୟାୟ ପାଇଁ ଦାବି କରିଛନ୍ତି ଛାତ୍ର ।

୨୦୧୬ ଜାନୁଆରୀ ୧୭ରେ ଆତ୍ମହତ୍ୟା କରିଥିଲେ ରୋହିତ ବେମୁଲା । ହଷ୍ଟେଲରୁ ମୃତଦେହ ଉଦ୍ଧାର ପରେ ଏହି ଘଟଣାକୁ ନେଇ ପୂରା ଦେଶରେ ଦେଖାଦେଇଥିଲା ତୁମ୍ଭିତୋଫାନ । ଏହା ଏକ ରାଜନୈତିକ ମୁଦ୍ଦା ପାଲଟିଥିବା ବେଳେ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ରାହୁଲ ଗାନ୍ଧୀ । ମାମଲାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ଅନେକ ବିଜେପି ନେତା ଓ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା । ଏବେ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ କ୍ଲିନଚିଟ ମିଳିଛି ।

ରୋହିତ ବେମୁଲା ଆତ୍ମହତ୍ୟା ମାମଲାରେ ପୋଲିସ କ୍ଲୋଜର ରିପୋର୍ଟ ଦାଖଲ କରିବା ପରେ ତେଜୁଛି ଛାତ୍ର ଆନ୍ଦୋଳନ । ଏବେ ନ୍ୟାୟିକ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି ପରିବାର ସଦସ୍ୟ ।