ବିଧାନସଭାରେ ବାବୁ ପ୍ରସଙ୍ଗରେ ଶାସକ-ବିରୋଧୀ ମୁହାଁମୁହିଁ। ବିରୋଧୀ ଦଳ ନେତାଙ୍କ ଅଭିଯୋଗ, ରାଜ୍ୟରେ ଚାଲିଛି ଅଫିସର୍ ରାଜ୍।

83

କନକ ବ୍ୟୁରୋ: ବିଧାନସଭାରେ ବାବୁଙ୍କୁ ନେଇ ତୁମ୍ବିତୋଫାନ । ପ୍ରଶ୍ନକାଳ ଓ ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ଆଉ ଏ ଅଫିସରଙ୍କୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ସ୍ଥିତିକୁ ଆସିଥିଲେ । ଯାହାକୁ ନେଇ ଗୃହ ସ୍ୱାଭାବିକ ହୋଇପାରିନଥିଲା । ପ୍ରଥମେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ, ସରକାରୀ ଅଫିସରଙ୍କ ଦ୍ୱାରା ଅପମାନିତ ହେଉଛନ୍ତି ଜନପ୍ରତିନିଧି । ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାନସଭାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ମନ୍ତ୍ରୀ ରିତା ସାହୁ ଭେଟିବା ପ୍ରସଙ୍ଗ ଉଠାଇଛନ୍ତି । କହିଥିଲେ, ସରକାର ପାଖକୁ କର୍ମଚାରୀ ଯିବ ନା କର୍ମଚାରୀ ପାଖକୁ ସରକାର ଯିବ । ରାଜ୍ୟରେ ଅମଲାତନ୍ତ୍ର ସରକାର ଚାଲିଛି । ଦିନ ଦ୍ୱିପ୍ରହରରେ ଗଣତନ୍ତ୍ର ବ୍ୟବସ୍ଥାକୁ ଉଲ୍ଲଘଂନ କରାଯାଉଛି । ମନ୍ତ୍ରୀ ଯାଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିବାରୁ ଆଗକୁ ଏମିିତି ହେବ ନାହିଁ କହି ବୟନ ଶିଳ୍ପ ମନ୍ତ୍ରୀ ଗୃହରେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ଅନ୍ୟପଟେ ଗୃହ ଭିତରେ ଏହାକୁ କାଉଣ୍ଟର କରିଥିଲେ ଶାସକ ଦଳ । ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ଜଣେ ମନ୍ତ୍ରୀଙ୍କୁ କୁହନ୍ତୁ ମନ୍ତ୍ରୀମାନଙ୍କୁ କୁହନ୍ତୁ ନାହିଁ । ଏଭଳି କହି ମନ୍ତ୍ରୀମାନଙ୍କ କ୍ଷମତାକୁ କ୍ଷୂର୍ଣ୍ଣ କରାଯାଉଛି । ନରସିଂହଙ୍କ ମନ୍ତବ୍ୟକୁ ନେଇ ଗୃହରେ କଂଗ୍ରେସ-ବିଜେଡି ମୁହାଁମୁହିଁ ହୋଇଛନ୍ତି । ଗୃହର ମଧ୍ୟଭାଗକୁ ଆସି ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ହୋହଲ୍ଲା କରିଥିଲେ । ମନ୍ତ୍ରୀ ରୀତା ସାହୁ, ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଫଟୋ ଦେଖାଇ ନାରାବାଜି କରିବା ସହ ହଙ୍ଗାମା କରିଥିଲେ । ସେପଟେ ନିଜ ନିଜ ସ୍ଥାନରେ ଛିଡା ହୋଇ ନାରାବାଜି କରିଛନ୍ତି ଶାସକ ଦଳ । ବିଧାନସଭାରେ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁତଲବି ଘୋଷଣା କରିଥିଲେ ବାଚସ୍ପତି ।