ହିତାଧିକାରୀଙ୍କୁ ସବସିଡ୍ ବାଣ୍ଟିବାରେ ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ଓଡ଼ିଶା : ଭାରତୀୟ ରିଜର୍ଭ ବ୍ୟାଙ୍କର ରିପୋର୍ଟ

150

କନକ ବ୍ୟୁରୋ : ହିତାଧିକାରୀଙ୍କୁ ସବସିଡି ବାଣ୍ଟିବାରେ ଆଗରେ ଓଡ଼ିଶା । ଗତ ତିନ ବର୍ଷ ମଧ୍ୟରେ ଝାରଖଣ୍ଡ, କେରଳ, ଓଡ଼ିଶା, ତେଲେଙ୍ଗାନା ଓ ଉତ୍ତରପ୍ରଦେଶରେ ସବସିଡରେ ସର୍ବାଧିକ ବୃଦ୍ଧି ପାଇଛି । ଗୁଜୁରାଟ, ଓ ଛତିଶଗଡ଼ ସେମାନଙ୍କ ରାଜସ୍ୱର ୧୦ ପ୍ରତିଶତରୁ ଅଧିକ ସବସିଡ୍ ବାବଦରେ ଖର୍ଚ୍ଚ କରିଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କର ୨୦୨୨ ଜୁନ୍ ମାସର ରିପୋର୍ଟରେ ଏହା ପ୍ରକାଶ କରାଯାଇଛି । ଏହି ସବୁ ରାଜ୍ୟ ସରକାରମାନେ ଦେଉଥିବା ସବସିଡିର ସିଂହ ଭାଗ ମାଗଣା ଯୋଜନାରେ ପ୍ରଦାନ କରୁଥିବା ରିପୋର୍ଟରେ କୁହାଯାଇଛି ।

କିନ୍ତୁ ମାଗଣା ଦିଆଯାଉଥିବା ସବସିଡ୍ରେ କୌଣସି ଅର୍ଥନୈତିକ ଲାଭ ମିଳେ ନାହିଁ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ବିଶେଷକରି ବିଦ୍ୟୁତ୍, ପାଣି, ପରିବହନ, ଋଣ ଛାଡ ଆଦିରେ ଅଧିକ ସବସିଡି ପ୍ରଦାନ କରାଯାଉଛି । ଯଦି ଏଭଳି ମାଗଣା ଯୋଜନା ମାଧ୍ୟମରେ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଜାରି ରହିବ ତେବେ ତାହା ରାଜକୋଷ ଉପରେ ଚାପ ପକାଇବ ବୋଲି ସତର୍କ କରିଛି ରିଜର୍ଭ ବ୍ୟାଙ୍କ । ତେଣୁ ଦୀର୍ଘମିଆଦୀ ଯୋଜନାରେ ନିଜ ବ୍ୟୟର ଢାଞ୍ଚାକୁ ବଦଳାଇବାକୁ ରାଜ୍ୟଗୁଡିକୁ ପରାମର୍ଶ ଦିଆଯାଇଛି ।

ସବସିଡି ପାଉଥିବା ହିତାଧିକାରୀମାନେ ଯଦି ବାସ୍ତବରେ ସଶକ୍ତ କରାଯାଇପାରିବ ତେବେ ଭବିଷ୍ୟତରେ ଏଭଳି ସୁବିଧା ଦେବାର ଆବଶ୍ୟକତା ରହିବ ନାହିଁ । ତାହା ଉପରେ ରାଜ୍ୟଗୁଡିକୁ ଅଧିକ ଧ୍ୟାନ ଦେବା ଉଚିତ୍ ବୋଲି ରିପୋର୍ଟରେ କୁହାଯାଇଛି । ତେବେ ଏହି ସବସିଡ୍ ରାଶିକୁ ସ୍ୱାସ୍ଥ୍ୟ, କୃଷି, ଶିକ୍ଷା, ଗବେଷଣା, ଭିତ୍ତିଭୂମି ଏବଂ ଗ୍ରାମୀଣ ବିକାଶ ଦିଗରେ ଖର୍ଚ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ଯାହା ଫଳରେ ଅଧିକ ନିଯୁକ୍ତି ସୃଷ୍ଟି ହେବା ସହ ଆର୍ଥିକ ବିକାଶ ମଧ୍ୟ ହୋଇପାରିବ ବୋଲି ରିପୋର୍ଟରେ କୁହାଯାଇଛି ।