ହାଇକୋର୍ଟରେ ପଡିଛି ଲକ୍ଷାଧିକ ମାମଲା । ଓଡିଶା ହାଇକୋର୍ଟରେ ବାର୍ଷିକ ରିପୋର୍ଟରେ ପ୍ରକାଶ

81

କନକ ବ୍ୟୁରୋ : ଓଡ଼ିଶା ହାଇକୋର୍ଟରେ ପଡ଼ି ରହିଛି ୧ ଲକ୍ଷ ୯୭ ହଜାର ୧୧୯ ମାମଲା । ୨୦୨୧ ଶେଷ ସୁଦ୍ଧା ଏହି ମାମଲା ପଡିରହିଥିବା ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବାର୍ଷିକ ରିପୋର୍ଟ ପ୍ରକାଶ କରାଯାଇଛି । ରାଜ୍ୟ ନ୍ୟାୟପାଳିକାର ପ୍ରଦର୍ଶନ ନେଇ ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବାର୍ଷିକ ରିପୋର୍ଟ ପ୍ରକାଶ କରାଯାଇଛି ।

ବିଚାର ନହୋଇ ଦୀର୍ଘ ଦିନ ଧରି ମାମଲା ପଡ଼ିରହିବା ଓ ଜିଲ୍ଲା ଜଜଙ୍କୁ ଠିକରେ ମାମଲା ବଣ୍ଟନ ନହେବା ଏବଂ କୋର୍ଟଙ୍କ ରହିତାଦେଶ ନିର୍ଦ୍ଦେଶ ଠିକରେ କାର୍ଯ୍ୟକାରୀ କରାନଯିବା ଭଳି ଚିନ୍ତାଜନକ ତଥ୍ୟ ରିପୋର୍ଟରେ ସାମ୍ନାକୁ ଆସିଛି । ରିପୋର୍ଟରେ କୁହାଯାଇଛି ଯେ, କୋର୍ଟରେ ମାମଲା ବଢିବା ଦ୍ୱାରା ନ୍ୟାୟପାଳିକା ଉପରେ ଲୋକଙ୍କ ଆସ୍ଥା ବଢୁଥିବା ସୂଚାଉଛି । ମାତ୍ର ବହୁ କେସ୍ରେ ବିଚାର ହୋଇନପାରିବା ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏଥି ସହିତ ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ ଉଚ୍ଛେଦ ହେବା ପରେ ଏଠିକାର ପ୍ରାୟ ୪୦ ହଜାର ମାମଲା ହାଇକୋର୍ଟକୁ ସ୍ଥାନାନ୍ତର ହୋଇଛି । ଯାହା କି ହାଇକୋର୍ଟଙ୍କ ଭାର ବଢାଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।