ଚେନ୍ନାଇ ସୁପର କିଙ୍ଗସ୍ ଓ ଜାଡେଜାଙ୍କ ଭିତରେ ନାହିଁ କି ଭଲ ସମ୍ପର୍କ? କ୍ୟାପଟେନ୍ ପଦ ବଦଳିବା ପରେ ଦଳ ଉପରେ ଖପ୍ପା ସାର୍ ଜାଡେଜା !

126

କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗର ଚଳିତ ସିଜିନ୍ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଠିକ୍ ଯାଇନି । ଦଳ ବର୍ତ୍ତମାନ ସୁଦ୍ଧା ନିଜର ୯ଟି ମ୍ୟାଚ୍ ହାରି ସାରିଥିବାବେଳେ, ପ୍ଲେ ଅଫ୍ ଦୌଡରୁ ବାଦ୍ ପଡିସାରିଛି । ହେଲେ ଏହାରି ଭିତରେ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ସିଏସକେ ଭିତରେ ସମ୍ପର୍କ ବିଗିଡି ଯାଇଥିବା ସୂଚନା ମିଳିଛି । ଏପରିକି ଏହି କାରଣରୁ ଜାଡେଜା ଟିମଠୁ ଦୂରେଇ ରହୁଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ରବୀନ୍ଦ୍ର ଜାଡେଜା ନିଜ ଟିମ୍ ଚେନ୍ନାଇ ସୁପର କିଙ୍ଗସ ଉପରେ ଭୀଷଣ ରାଗିଯାଇଛନ୍ତି । କ୍ୟାପଟେନ୍ ପଦକୁ ନେଇ ଏହି ବିବାଦ ଆରମ୍ଭ ହୋଇଛି । ତେବେ ପ୍ରକାଶିତ ରିପୋର୍ଟରେ ଆହୁରି ମଧ୍ୟ କୁହାଯାଉଛି ଯେ, ଏହି ବିବାଦ କାରଣରୁ ସେ ଆଇପିଏଲ ମ୍ୟାଚରୁ ଦୂରେଇ ରହୁଛନ୍ତି ।

ଜାଣି ରଖିବା ଉଚିତ୍ ଯେ, ଚେନ୍ନାଇ ସୁପରକିଙ୍ଗସ୍ ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ରବୀନ୍ଦ୍ର ଜାଡେଜାଙ୍କୁ ନିଜର ଅଧିନାୟକ ଘୋଷଣା କରିଥିଲା । ହେଲେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପରେ ଦଳର ପ୍ରଦର୍ଶନ ଭଲ ରହିନଥିଲା । ୮ଟି ମ୍ୟାଚରୁ ଦଳ ୬ଟି ମ୍ୟାଚରେ ପରାଜୟ ଭୋଗିବା ସହ ପ୍ଲେ ଅଫ୍ ରେସରୁ ଦୂରରେ ରହିଥିଲା । ଏହାପରେ ହଠାତ୍ ରବୀନ୍ଦ୍ର ଜାଡେଜାଙ୍କୁ ହଟେଇ ଦଳ ପୁଣିଥରେ ଏମ୍ ଏସ୍ ଧୋନୀଙ୍କୁ ଅଧିନାୟକ ଭାର ଦେଇଥିଲା ।

ଏହାର ଠିକ୍ ଗୋଟିଏ ମ୍ୟାଚ୍ ପରେ ରବୀନ୍ଦ୍ର ଜାଡେଜା ଆହତ ହୋଇଥିବା ନେଇ ଖବର ଆସିଥିଲା । ଯେଉଁ କାରଣରୁ ସେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ ବି ଖେଳିପାରିନଥିଲେ । ଆଉ ପରେ ପରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିଲେ । ହେଲେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବା ପଛରେ ଆହତ ନୁହେଁ ବରଂ ଦଳ ସହ ତାଙ୍କ ସମ୍ପର୍କ ବିଗିଡି ଯାଇଥିବା ମୁଖ୍ୟ କାରଣ ବୋଲି କୁହାଯାଉଛି ।ସେପଟେ ସିଏସକେ ସିଇଓ କାଶୀ ବିଶ୍ୱନାଥନ୍ ବୟାନ ଦେଇ କହିଛନ୍ତି ଯେ, ବାହାରେ କଣ ଖବର ଚାଲିଛି ସେ ଜାଣିନାହାଁନ୍ତିି । ହେଲେ ରବୀନ୍ଦ୍ର ଜାଡେଜା ଦଳର ପ୍ଲାନ ସହ ଆଗକୁ ବି ଯୋଡି ହେଇ ରହିବେ ବୋଲି ସେ କହିଛନ୍ତି । ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଯଦି ସତ ହୁଏ । ଚେନ୍ନାଇ ଓ ଜାଡେଜାଙ୍କ ଭିତରେ ଯଦି ସତରେ ସମ୍ପର୍କ ବିଗିଡିଥାଏ ତେବେ ଏହାର ପ୍ରଭାବ ଦଳ ଉପରେ ନିଶ୍ଚୟ ପଡିବ ବୋଲି କ୍ରିକେଟ୍ ପଣ୍ଡିତ ମାନେ କହିଛନ୍ତି ।