ଜୀବନ ମାଗୁଛି ୭ ମାସର ଆଭାସ । ଚିକିତ୍ସା ପାଇଁ ପାଖରେ ଟଙ୍କା ନାହିଁ, ବାପା-ମା’ଙ୍କ ଆଖିରୁ ଲୁହ ଶୁଖୁନି । ସହଯୋଗର ହାତ ବଢାଇଲେ ସୁସ୍ଥ ହୋଇଯିବ କୁନି ଶିଶୁ ।

88

କନକ ବ୍ୟୁରୋ : ମାରାତ୍ମକ ଉଇସ୍କଟ୍ ଆଲଟ୍ରିଜ ସିଣ୍ଡ୍ରମ ରୋଗରେ ପୀଡିତ ୭ ମାସର ଶିଶୁ । ଏହା ଏକ ବଂଶଗତ ରୋଗ । ଯାହା ଶରୀରରୁ ରୋଗ ପ୍ରତିରୋଧକ ଶକ୍ତି କମାଇ ଦିଏ । ଏହା ଝିଅଙ୍କ ଅପେକ୍ଷା ପୁଅଙ୍କୁ ପ୍ରଥମେ ଆକ୍ରାନ୍ତ କରିଥାଏ । ବୋନ ମାର ଟ୍ରାନ୍ସପ୍ଲାଂଟ କଲେ ସୁସ୍ଥ ହୋଇପାରିବ ରୋଗୀ । ଯାଜପୁରର ଆଭାସ ଏବେ ଏହି ରୋଗରେ ପୀଡିତ । ତେଣୁ ପୁଅର ଚିକିତ୍ସା ପାଇଁ ଅହରହ ସଂଘର୍ଷ କରୁଛନ୍ତି ବାପା ମା’ ।

ମା’ କୋଳରେ ଖେଳୁଛି, ଜୁଳୁଜୁଳୁ ହୋଇ ଚାହୁଁଛି କୁନି ପୁଅ । ବୟସ ମାତ୍ର ୭ ମାସ । ଏହି କଅଁଳ ବୟସରେ ମାରାତ୍ମକ ଉଇସ୍କଟ୍ ଆଲଟ୍ରିଜ ସିଣ୍ଡ୍ରମ ନାମକ ରୋଗରେ ପୀଡିତ । କୁନି ପୁଅକୁ ସୁସ୍ଥ କରିବା ପାଇଁ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ଏହି ଅପରେସନ୍ ପାଇଁ ୧୫ ଲକ୍ଷ ଟଙ୍କା ଦରକାର । ଯାହା ଯୋଗାଡ କରିବା ଏକ ମଧ୍ୟବିତ୍ତ ପରିବାର ପାଇଁ କଷ୍ଟକର ବ୍ୟାପାର । ତେଣୁ ଆଭାସକୁ କୋଳରେ ଧରି ପ୍ରତି ମୁହୁର୍ତରେ ଆଶା ଆଶଙ୍କାରେ ରହୁଛନ୍ତି ଯାଜପୁର ସୁକିନ୍ଦା ବ୍ଲକ ସିଆରିଆ ଗାଁର ଦମ୍ପତି ସଂଜୀବ ମହନ୍ତ ଓ ମମିତା ମଞ୍ଜରୀ ମହନ୍ତ ।

ଜନ୍ମରୁ ସୁସ୍ଥ ଥିଲା ଆଭାସ । ପୁଅ ଜନ୍ମ ହେବା ପରେ ଭୋଜି ଭାତରେ ପୁରି ଉଠିଥିଲା ଘର । ହେଲେ ସେ ଖୁସି ବେଶି ଦିନ ରହିଲା ନାହିଁ । ୨୦ ଦିନ ପରେ ଝାଡାରେ ରକ୍ତ ପଡିବାରୁ ଡାକ୍ତରଖାନାକୁ ନେଇଥିଲେ ବାପା-ମା । ଭୁବନେଶ୍ୱର ଏମ୍ସରେ ପରୀକ୍ଷାନୀରିକ୍ଷା ପରେ ଡାକ୍ତର କହିଲେ, ଆଭାସକୁ ମାରାତ୍ମକ ଉଇସ୍କଟ୍ ଆଲଟ୍ରିଜ ସିଣ୍ଡ୍ରମ ରୋଗ ହୋଇଛି । ଏଭଳି ରୋଗରୁ ପୁଅକୁ ସୁସ୍ଥ କରିବା ପରିବାର ପାଖରେ ସାମର୍ଥ୍ୟ ନଥିବାରୁ ମାଆ, ମୁଖ୍ୟମନ୍ତ୍ରୀଙ୍କୁ ନେହୁରା ହେଉଥିବା ବେଳେ ଅନ୍ୟାନ ଶୁତ୍ରରୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ବାପା ।

ଉପଯୁକ୍ତ ଚିକିତ୍ସା ଅଭାବରୁ ଦିନକୁ ଦିନ ଆଭାସର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଉଛି । ତେଣୁ ଯଦି କେହି ସହୃଦୟ ବ୍ୟକ୍ତି କି ଅନୁଷ୍ଠାନ ଆଭାସ ପାଇଁ ସହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଏହି ଠିକଣାରେ ଯୋଗାଯୋଗ କରିପାରିବେ ।

ନାମ- ସଂଜୀବ କୁମାର ମହାପାତ୍ର
ଆକାଉଂଟ ନମ୍ବର- ୧୦୭୫୦୯୩୮୦୭୨
ଆଇଏଫସି କୋଡ- ଏସବିଆଇଏନ୦୦୦୫୭୫୭
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କଳିଙ୍ଗନଗର ଶାଖା
ଫୋନ ନମ୍ବର- ୯୪୩୮୨୭୫୪୯୦