‘ଭକ୍ତି’ ହିଁ ଭକ୍ତ-ଭଗବାନଙ୍କୁ ଏକାକାର କରିବାର ଏକମାତ୍ର ମାଧ୍ୟମ ! ଯାହାର ଜ୍ୱଳନ୍ତ ଉଦାହରଣ ହେଲେ ବାଲିଗ୍ରାମର ଦାସିଆ ବାଉରୀ

621

ଜଗତର ନାଥ ଜଗନ୍ନାଥ । କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା । ତାକୁ ଯିଏ ଯେଉଁ ମନରେ, ଯେଉଁ ପରିସ୍ଥିତିରେ ବି ଡାକେ, ସିଏ ତାଙ୍କୁ ସେଇଠି ଦର୍ଶନ ଦିଏ । ଭକତ ଭାବରେ ବନ୍ଧା କାଳିଆ ସାଆନ୍ତ । ସେଥିପାଇଁ ତ ଶ୍ରୀନଅରର ରତ୍ନବେଦୀକୁ ମୁରୁଛି ଦେଇ ଭକତଙ୍କୁ ଦର୍ଶନ ଦେବା ପାଇଁ ଚାଲିଆସନ୍ତି ବାହାରକୁ । ଆଉ ଭକ୍ତମାନେ ବି କାଳିଆଠାକୁରଙ୍କର ଗୋଟିଏ ଝଲକ ପାଇବା ପାଇଁ ଚାତକ ଭଳି ଅନାଇ ବସିଥାନ୍ତି । ଭକ୍ତ ଓ ଭଗବାନଙ୍କୁ ଏକାକାର କରିବାର ଏକମାତ୍ର ମାଧ୍ୟମ ହେଉଛି ଭଗବାନଙ୍କ ପ୍ରତି ଦୃଢ ବିଶ୍ୱାସ ତଥା ନିରନ୍ତର ଭକ୍ତି ଭାବନା । ସ୍ୱୟଂ ଭଗବାନ ଭକ୍ତର ଭକ୍ତିରେ ହିଁ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଲେ ବାଲିଗ୍ରାମର ଭକ୍ତ ଶିରୋମଣି ଦାସିଆ ବାଉରୀ ।

ପୁରୀର ଚାରି ମାଇଲ ଦୂରରେ ବାଲିଗ୍ରାମ ନାଁରେ ଏକ ଗାଁ ରହିଛି । ଏକ ନୀଚ ଜାତିରେ ଦାସିଆଙ୍କ ଜନ୍ମ । ସମାଜ ଦୃଷ୍ଟିରେ ସେ ଥିଲେ ଅସ୍ପୃଶ୍ୟ , ଘୃଣ୍ୟ ତଥା ନୀଚ । ପିଲାଟି ବେଳରୁ ଜଗନ୍ନାଥଙ୍କ ପ୍ରତି ଥିଲା ତାଙ୍କର ପ୍ରଗାଢ ଭଲ ପାଇବା ଏବଂ ଭକ୍ତି ଭାବନା । ଶୟନେ ବସନେ ଜାଗରଣେ ସବୁବେଳେ ଶ୍ରୀ ଜଗନ୍ନାଥ ହିଁ ତାଙ୍କ ହୃଦୟ କନ୍ଦରରେ ରହିଥାନ୍ତି । ତାଙ୍କର ଇଚ୍ଛାଥିଲା ନିଜ ଆରାଧ୍ୟ ପ୍ରଭୁଙ୍କୁ କିଛି ଅର୍ପଣ କରିବେ । ହେଲେ ସେ ଏତେ ଦରିଦ୍ର ଥିଲେ ଯେ ଦେବା ପାଇଁ ପାଖରେ କିଛି ନଥିଲା । ଯୋଗାଡ କରି ଗାଁ ଲୋକଙ୍କ ହାତରେ ମହାପ୍ରଭୁଙ୍କ ପାଇଁ ପଠାଇଲେ ନଡିଆ । ଏ କଥା ଶୁଣି ଗାଁ ଲୋକ ହସି ଉଡାଇଦେଲେ ।

 

ବହୁ କାକୁତି ମିନତି ପରେ ଦାସିଆର ନଡିଆ ନେବାକୁ ରାଜି ହେଲେ ସେମାନେ । ମାତ୍ର ଅରୁଣ ସ୍ତମ୍ଭ ନିକଟରେ ନଡିଆ ଅର୍ପଣ କରିଦେବେ ବୋଲି କହିଲେ । ସେତିକିରେ ବି ଖୁସି ହୋଇଗଲେ ଦାସିଆ । ଦାସିଆର ନଡିଆକୁ ଆଣିଲେ ସିନା, ମାତ୍ର ଏହାକୁ ହେୟ ଜ୍ଞାନ କରୁଥିଲେ ଗାଁ ଲୋକ ।

 

କୌତୁହଳରେ ଅରୁଣ ସ୍ତମ୍ଭ ନିକଟରେ କହିଲେ – ପ୍ରଭୁ ! ଏ ନଡିଆ ପଠାଇଛି ଦାସିଆ ବାଉରୀ । ତା’ ପରେ ଯାହା ଘଟିଲା ସମସ୍ତେ ଚକିତ ହୋଇ ରହିଗଲେ । ହଠାତ ଶୂନ୍ୟରୁ ବାହାରି ଆସିଲା ଦୁଇଟି ଲମ୍ବା କାଳିଆ ହାତ । ଦାସିଆଙ୍କ ନଡିଆ ଗ୍ରହଣ କରିବା ପରେ ଅନ୍ତର୍ଦ୍ଧାନ ହୋଇଗଲା । ଆଉ କାଳ କାଳକୁ ରହିଗଲା ଦାସିଆ ବାଉରୀର ଗାଥା ।