‘ବିଶ୍ୱକପ ଜିତିବ ଭାରତ’ : ପାକିସ୍ତାନ ପଟୁ ଆସିଲା ଭବିଷ୍ୟବାଣୀ । ଜାଣନ୍ତୁ କିଏ କହିଲେ ଏମିତି କଥା ।

446

କନକ ବ୍ୟୁରୋ : କିଏ ଜିତିବ ୨୦୧୯ କ୍ରିକେଟ୍ ବିଶ୍ୱକପ ? ବିଶ୍ୱକପ ଟାଇଟଲର ଦାବିଦାର ନେଇ ଭବିଷ୍ୟବାଣୀ କରୁଛନ୍ତି ଅନେକ ପୂର୍ବତନ ଖେଳାଳୀ । ଇଂଲଣ୍ଡରେ ଚାଲିଥିବା କ୍ରିକେଟ୍ ବିଶ୍ୱକପର ଅଧା ଯାତ୍ରା ଶେଷ ହେଲାଣି । କେଉଁ ୪ଟି ଟିମ୍ ସେମି-ଫାଇନାଲ ଟିକେଟ୍ ହାତେଇବେ ଏବେ ତା ଉପରେ ରହିଛି ସମସ୍ତଙ୍କ ନଜର । ଆଉ ଏହା ପୂର୍ବରୁ ବିଶ୍ୱକପ୍ ବିଜେତା ନେଇ ଭବିଷ୍ୟବାଣୀ କରିଛନ୍ତି ପାକିସ୍ତାନ ଟିମର ପୂର୍ବତନ ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ସାହିଦ ଆଫ୍ରିଦି ।

ପାକିସ୍ତାନର ପୂର୍ବତନ ଖେଳାଳୀ ସୋଏବ ଅଖତାର ନିଜ ୟୁଟ୍ୟୁବ ଚ୍ୟାନେଲରେ ସାହିଦ ଆଫ୍ରିଦିଙ୍କୁ ବିଶ୍ୱକପରେ ଏକ ଦଳ ଉପରେ ବାଜି ଲଗାଇବାକୁ କହିଥିଲେ । ଆଉ ସାହିଦ ଆଫ୍ରିଦି ଯେଉଁ ଦଳ ଉପରେ ବାଜି ଲଗାଇଛନ୍ତି, ତାହା ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସୋଏବ ଅଖତାର ଆଫ୍ରିଦିଙ୍କୁ ପଚାରିଥିଲେ କେଉଁ ଦଳ ୨୦୧୯ କ୍ରିକେଟ୍ ବିଶ୍ୱକପ ଜିତିବ ? ଆଉ ଏହି ପ୍ରଶ୍ନର ଉତ୍ତର ଦେଇ ସାହିଦି ଆଫ୍ରିଦି କହିଛନ୍ତି, ଚଳିତ ବିଶ୍ୱକପରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ସମସ୍ତ ମ୍ୟାଚରେ ଦଳ ଗୁଡିକର ପ୍ରଦର୍ଶନରୁ ଜଣାପଡୁଛି, ଭାରତୀୟ ଦଳ ହିଁ ବିଶ୍ୱକପ ଜିତିବାର ପ୍ରବଳ ଦାବିଦାର ଅଟେ ।

ସାହିଦ ଆଫ୍ରିଦି କହିଛନ୍ତି, ଭାରତର ବ୍ୟାଟିଂ ବାହିନୀ ସବୁବେଳେ ସୁଦୃଢ ରହିଥାଏ । କିନ୍ତୁ ଚଳିତ ବିଶ୍ୱକପରେ ଭାରତର ବୋଲିଂ ବାହିନୀ ମଧ୍ୟ ଶକ୍ତିଶାଳୀ ରହିଥିବା ଦେଖିବାକୁ ମିଳିଛି । ତେବେ ବିଶ୍ୱକପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯାଇପାରେ ବୋଲି ଭବିଷ୍ୟବାଣୀ କରିଛନ୍ତି ଆଫ୍ରିଦି । ତେବେ ସେମିଫାଇନାଲରେ ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ସ୍ଥାନ ପାଇପାରନ୍ତି ବୋଲି ସେ କହିଛନ୍ତି ।