ରାୟଗଡା ଜିଲ୍ଲାର ପ୍ରଥମ ମହିଳା ଯବାନ ବନିଲେ ରଶ୍ମିତା କୁମ୍ଭାର: ଆସାମରୁ ଟ୍ରେନିଂ ନେଇ ଘରକୁ ଫେରିଛନ୍ତି ଯବାନ ଝିଅ

265

କନକ ବ୍ୟୁରୋ: ଝିଅ ଦେହରେ ସେନା ବର୍ଦ୍ଦି । ସେନା ପୋଷାକରେ ଝିଅକୁ ଦେଖି ବାପା-ମାଆଙ୍କ ଛାତି କୁଣ୍ଢେମୋଟ । କାରଣ ବାପାଙ୍କ ସ୍ୱପ୍ନ ସାକାର କରିଛି ଝିଅ । ବାପାଙ୍କର ଇଛା ଥିଲା, ୪ ପୁଅ ଝିଅ ମଧ୍ୟରୁ କେହି ହେଲେ ବି ଜଣେ ସେନା ବାହିନୀରେ ସାମିଲ ହୁଅନ୍ତୁ । ଆଉ ବାପାଙ୍କ ସ୍ୱପ୍ନକୁ ସାକାର କରିଛନ୍ତି ସାନ ଝିଅ । ସଶସ୍ତ୍ର ସୀମା ବଳରେ ଯବାନ ଭାବେ ନିଯୁକ୍ତି ପାଇଛନ୍ତି ରାୟଗଡାର ରଶ୍ମିତା କୁମ୍ଭାର । ଟ୍ରେନିଂ ସରିଥିବା ବେଳେ ଆଗକୁ ଇଣ୍ଡୋ-ନେପାଳ ସୀମାରେ ପହରା ଦେବେ ରଶ୍ମିତା । ରାୟଗଡା ସଦର ବ୍ଳକ ଗେଟିପଡା ଗାଁର ତୁଳସୀ ରାମ ଓ ପ୍ରେମା କୁମ୍ଭାରଙ୍କ ଝିଅ ରଶ୍ମିତା । ରାୟଗଡା ସ୍ୱଂୟ ଶାସିତ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକ ପାଠ ସାରିବା ପରେ ୨୦୧୯ରେ ଏସ୍,ଏସ୍,ବିରେ ଚାକିରି ପାଇଁ ଆବେଦନ କରିଥିଲେ । ଦୁଇ ବର୍ଷ ପରେ ୨୦୨୧ରେ ନିଯୁ୍କ୍ତି ମିଳିବା ପରେ ଆସାମରେ ଟ୍ରେନିଂ ଶେଷ କରିଛନ୍ତି । ଟ୍ରେନିଂ ସାରି ଘରକୁ ଫେରିଥିବା ରଶ୍ମିତାଙ୍କୁ ରାୟଗଡା ସହରବାସୀ ଓ ଗେଟିପଡା ଅଚଂଳବାସୀ ଖୁବ୍ ଆଡମ୍ବର ସହ ସ୍ୱାଗତ କରିଛନ୍ତି ।